ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲା : ଇଡି ଜବତ କଲା ୬୦ କୋଟିର ଗହଣା

ହୀରା ମୁଦି ଦାମ୍ ୧୫ କୋଟି, ମିଳିଲା ଏୟାର୍‌କ୍ରାଫ୍ଟ

ମୁମ୍ବାଇ : ମୁମ୍ବାଇର ପଞ୍ଜାବ ଆଣ୍ଡ ମହାରା‌ଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କର ଜାଲିଆତି ମାମଲାରେ‌ ସଂଶ୍ଳଷ୍ଟ ରିଅଲ ‌ଇଷ୍ଟେଟ କମ୍ପାନି ଏଚ୍‌ଡିଆଇଏଲ୍‌ ମୁଖ୍ୟ ସାରଙ୍ଗ ଓରଫ୍ ସନି ୱାଧୱନଙ୍କ ଠାରୁ ୬୦ କୋଟି ଟଙ୍କା ମୂଲ୍ୟର ଗହଣା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ଏଥିରେ ଗୋଟିଏ ହୀରା ମୁଦି ରହିଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି‌ ହେବ ବୋଲି କୁହାଯାଉଛି। ଏଥିସହିତ ଗୋଟିଏ ୯ ଆସନ ବିଶିଷ୍ଟ ବମ୍ବାଡିୟର ଚାଲେଞ୍ଜର-୩୦୦ ନାମକ ଏକ ଘରୋଇ ଏୟାରକ୍ରାଫ୍ଟ ମଧ୍ୟ ଜବତ ହୋଇଛି। ଏହି ଏୟାରକ୍ରାଫ୍ଟଟି ପ୍ରିଭିଲେଜ୍ ଏୟାରୱେଜ୍ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନି ନାମରେ ରହିଛି। କମ୍ପାନିରେ ସନି ଏବଂ ତାଙ୍କ ବାପା ରାକେଶ ୱାଧୱନ ନିର୍ଦ୍ଦେଶକ ରହିଛନ୍ତି। ଧରା ପଡ଼ିଯିବା ଭୟରେ ୱାଧୱନ ବାପପୁଅ ଗହଣା ଗୁଡ଼ିକୁ ସନିଙ୍କ ପତ୍ନୀଙ୍କର ଜଣେ ଘନିଷ୍ଠ ବାନ୍ଧବୀଙ୍କ ନିକଟରେ ରଖିଥିଲେ। ଏ ସମ୍ପର୍କରେ ଇଡି ଅଧିକାରୀମାନେ ଜାଣିବା ପରେ ସେହି ବାନ୍ଧବୀଙ୍କୁ ଗହଣା ଦେଇଦେବା ପାଇଁ କହିଥିଲେ।

ଇଡିର ଅଧିକାରୀମାନଙ୍କୁ ଏହା ମଧ୍ୟ ସୂଚନା ମିଳିଛି ଯେ, ସନିଙ୍କର ମାଳଦୀପରେ ଏକ ୟାଟ୍ ରହିଛି। ଏହାକୁ ଜବତ ପାଇଁ ଇଡି ପ୍ରକ୍ରିୟା ଆରମ୍ଭ କରିଛି। ଏହି ପରିବାର ନିକଟରୁ ଏକ ଲାଇସେନ୍ସ ଥିବା ପିସ୍ତଲ ମିଳିଛି। ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ସମୟରେ ଲାଇସେନ୍ସ ଥିବା ପିସ୍ତଲକୁ ପୁଲିସ ନିକଟରେ ଦାଖଲ କରିଥିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହା କରାଯାଇ ନାହିଁ। ପୂର୍ବରୁ ଇଡି ୱାଧୱନ ବାପପୁଅଙ୍କ ନାମରେ ଥିବା ପ୍ରାୟ ୧୦ଟି ଦାମୀ ଓ ବିଳାସପୂର୍ଣ୍ଣ କାର୍ ଜବତ କରିଥିଲା। ଏଥିରେ ଦୁଇଟି ରୋଲସ ରୟେସ, ଦୁଇଟି ଲ୍ୟାଣ୍ଡ ରୋଭର, ଗୋଟିଏ ବେଣ୍ଟଲି ଏବଂ ଗୋଟିଏ ମର୍ସିଡିଜ୍ କାର୍ ରହିଛି। ଉଭୟ ସନି ଏବଂ ରାକେଶ ଅନେକ ରାଜନେତାଙ୍କର ଘନିଷ୍ଠ। ସେମାନେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ହେପାଜତରେ ଅଛନ୍ତି। କଂଗ୍ରେସ-ଏନସିପି ସରକାରଙ୍କ ସମୟରେ ୱାଧୱନ ପରିବାରର ରିଅଲ ଇଷ୍ଟେଟ ବ୍ୟବସାୟ ବହୁମାତ୍ରାରେ ବୃଦ୍ଧି ପାଇଥିଲା।

୪୩୫୫ କୋଟି ଟଙ୍କାର ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାରେ ଏହାର ପୂର୍ବତନ ଅଧ୍ୟକ୍ଷ ୱାରିଆମ୍ ସିଂହ,‌ ପୂର୍ବତନ ଏମଡି ଜୟ ଥୋମାସ, ଏଚଡିଆଇଏଲର ବାପପୁଅ ଏବଂ ଅନ୍ୟ ଅଧିକାରୀମାନଙ୍କ ନାମରେ ଗତ ସୋମବାର ଏଫଆଇଆର ରୁଜୁ କରିଥିଲା। ଗୁରୁବାର ଏଚଡିଆଇଏଲ କମ୍ପାନିର ବାପପୁଅଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ସେହିଭଳି ପୂର୍ବରୁ ନିଲମ୍ବିତ ହୋଇଥିବା ପିଏମସି ବ୍ୟାଙ୍କର ଏମଡି ଜୟ ଥୋମାସଙ୍କୁ ଗିରଫ କରି ଆସନ୍ତା ଅଗଷ୍ଟ ୧୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଶନିବାର ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ୱାରିଆମ୍ ସିଂହଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର