ଅର୍ଥନୀତିର ଖରାପ ସ୍ଥିତି, ରାଜନ୍ ସବୁ ଜାଣିଥିଲେ

ପୁସ୍ତକରୁ ପଦାକୁ ଆସିଲା ସୂଚନା

ନ୍ୟୁୟର୍କ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛିଦିନ ପୂର୍ବେ କଲମ୍ବିଆ ବିଶ୍ବବିଦ୍ୟାଳୟରେ ଭାରତୀୟ ଅର୍ଥନୀତି ସଂକ୍ରାନ୍ତ ଆଲୋଚନାରେ ଭାଗନେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଦେଖାଦେଇଥିବା ଖରାପ ସ୍ଥିତି ପାଇଁ ମନମୋହନ ଏବଂ ରାଜନ ଦାୟୀ ବୋଲି କହିଥିଲେ। ଅର୍ଥାତ୍ ରାଜନ ରିଜର୍ଭ ବ୍ୟାଙ୍କର ଦାୟିତ୍ବ ନେବାବେଳେ ଭାରତୀୟ ଅର୍ଥନୀତି ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭଲଥିଲା ବୋଲି ତାଙ୍କର ଏହି ମନ୍ତବ୍ୟ ସୂଚାଇଥିଲା।

କିନ୍ତୁ ରାଜନ୍ ୨୦୧୨ରେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଦେଶର ଅର୍ଥନୀତି ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପର୍କରେ କ’ଣ କହିଥିଲେ ତାହା ଏବେ ପଦାକୁ ଆସିଛି। ଚଳିତବର୍ଷ ମେ ମାସରେ ପ୍ରକାଶ ପାଇଥିବା ‘ଡିଫାଇନିଂ ଇଣ୍ଡିଆ: ଥ୍ରୁ ଦେୟାର ଆଏଜ୍‌’ ପୁସ୍ତକରେ ଏହା ଉଲ୍ଲେଖ କରାଯାଇଛି। ସୋନିଆ ସିଂହଙ୍କ ଦ୍ବାରା ଲିଖିତ ଏହି ପୁସ୍ତକରେ ରାଜନ୍ ସେତେବେଳେ ଅର୍ଥନୀତି ସମ୍ପର୍କରେ କ’ଣ କହିଥିଲେ ତାହା ଚର୍ଚ୍ଚା ପରିସରକୁ ଆସିଛି। ରାଜନ୍ କହିଥିଲେ, ସେହି ସମୟରେ ଭାରତରେ ସ୍ଥିତି ଖରାପରୁ ଅଧିକ ଖରାପ ଆଡ଼କୁ ଯାଉଥିଲା। ବିଶ୍ବ ମାନ୍ଦାବସ୍ଥା ପରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିଲା, ଚଳନ୍ତି ଖାତା ନିଅଣ୍ଟ ଏବଂ ବିତ୍ତୀୟ ନିଅଣ୍ଟ ବି ବଢ଼ୁଥିଲା। ୨୦୧୨ ମସିହାର ଗ୍ରୀଷ୍ମଋତୁରେ ଚିଦମ୍ବରମ୍ ଅର୍ଥମନ୍ତ୍ରୀ ଥିଲେ। ଆଇଏମଏଫରେ କାର୍ଯ୍ୟ କରିବା ସମୟରୁ ମୋର ଚିଦମ୍ବରମଙ୍କ ସହିତ ପରିଚୟ ଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ସି ରଙ୍ଗରାଜନ୍‌ଙ୍କଠାରୁ ଏକ ଟେଲିଫୋନ୍ କଲ୍ ପାଇଲି। ମୁଁ ଭାରତରେ କିଛି କାର୍ଯ୍ୟ କରିବା ପାଇଁ ଆଗ୍ରହୀ ‌କି ବୋଲି ରଙ୍ଗରାଜନ୍ ମୋତେ ପଚାରିଥିଲେ। ପ୍ରତ୍ୟେକ ଭାରତୀୟ ସେମାନଙ୍କ ଜୀବନର ଏକ ମୁହୂର୍ତ୍ତରେ ସମ୍ମୁଖୀନ ହେଉଥିବା ପ୍ରଶ୍ନ:- ଦେଶକୁ ସେବା ଯୋଗାଇବା ପାଇଁ ଆପଣ କେତେ ପ୍ରସ୍ତୁତ?ର ସମ୍ମୁଖୀନ ହୋଇଥିଲି। ଅର୍ଥନୈତିକ ଦୃଷ୍ଟିକୋଣରୁ ତାହା ଭାରତ ପାଇଁ ଖରାପ ସମୟ ଥିଲା ବୋଲି ରାଜନ୍ କହିଥିଲେ। ଯେତେବେଳେ ପରିବର୍ତ୍ତନର ଆବଶ୍ୟକତା ଏବଂ ସମ୍ଭାବନା ରହିଛି ସେତେବେଳେ ଜଣେ ଅର୍ଥନୀତିଜ୍ଞଙ୍କ ପାଇଁ ଦାୟିତ୍ବ ନେବାଠାରୁ ଆଉ ଭଲ ସମୟ କ’ଣ ଥାଇପାରେ ବୋଲି ରାଜନ୍ ହସି କରି କହିଥିଲେ।

ଅର୍ଥନୀତିଜ୍ଞରୁ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଅମଳରେ ଅର୍ଥନୀତିର ଅବସ୍ଥା ଏତେ ଖରାପ କିଭଳି ହେଲା ବୋଲି ସମାଲୋଚନା କରାଯାଉଥିଲା। ୨୦୧୨ରେ ସେ ଟି ଏନ ନିନାନ୍, ଇସର ଆଲୁୱାଲିଆ ଏବଂ ମନମୋହନ ସିଂହଙ୍କ ସହିତ ଏକ ପ୍ୟାନେଲ ଆଲୋଚନାରେ ଭାଗ ନେଇଥିଲେ। ୨୦୦୭-୦୮ର ଉଚ୍ଚ ଅଭିବୃଦ୍ଧି ପରେ ଭାରତୀୟ ଅର୍ଥନୀତି କିଭଳି ନିମ୍ନମୁଖୀ ହୋଇଚାଲିଛି ତାହା ଉପରେ ସେଠାରେ ଆଲୋଚନା ହେଉଥିଲା। ଏ ନେଇ ଆମେ ମତ ଦେଉଥିଲୁ। ତେବେ ମନମୋହନ ଆମ କଥାକୁ ଶୁଣୁଥିଲେ ଏବଂ ପରେ ଆମକୁ କହିଥିଲେ, ଯଦି ସମସ୍ତେ ଏହା କହୁଛନ୍ତି ତାହେଲେ ସେ ଏନେଇ ଚିନ୍ତା କରିବେ। ସମାଲୋଚନା ଯଦି ଗଠନମୂଳକ ହୋଇଥିବ ତାହେଲେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏହା କହିବାର କାରଣ ହେଲା ବିତ୍ତୀୟ ପଦକ୍ଷେପ ନେଇ ସରକାର ସେହି ସମୟରେ ପ୍ରସ୍ତୁତ ହୋଇ ସାରିଥିଲେ ଏବଂ ଯାହାକୁ ୨୦୧୨ରେ ଅର୍ଥମନ୍ତ୍ରୀ ଚିଦମ୍ବରମ୍ ଘୋଷଣା କରିଥିଲେ। ଯଦି ଆମେ ସେହି ପ୍ରକ୍ରିୟା ସେତେବେଳେ ଆରମ୍ଭ କରି ନଥାନ୍ତୁ ତାହେଲେ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରିଥାନ୍ତା ବୋଲି ରାଜନ୍ ଏହି ପୁସ୍ତକରେ କହିଛନ୍ତି।

ସମ୍ବନ୍ଧିତ ଖବର