ଅତ୍ୟନ୍ତ ଚିନ୍ତାଜନକ: ରା‌ଜନ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ଲାଗି ରହିଥିବା ମାନ୍ଦାବସ୍ଥାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସେ କହିଲେ, ସରକାରଙ୍କୁ ତୁରନ୍ତ ଶକ୍ତି ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କ୍ଷେତ୍ର (ଏନବିଏଫସି)ରେ ରହିଥିବା ସମସ୍ୟାକୁ ଦୂର କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏହା ବ୍ୟତୀତ ଘରୋଇ ‌କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ଲାଗି ନୂଆ ପ୍ରକାର ସଂସ୍କାର ଆଣିବାକୁ ପଡ଼ିବ। ୨୦୧୩-୧୬ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥି‌ବା ରାଜନ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସରକାରଙ୍କ ଜିଡିପି ତଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଯେଉଁ ସବୁ ଆକଳନ କରିଛନ୍ତି ତାହା ସରକାର କରିଥିବା ଆକଳନ ତୁଳନାରେ କମ୍ ରହିଛି। ଜିଡିପି ହିସାବ ପଦ୍ଧତିର ସମୀକ୍ଷା କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଦେଶର ଜିଡିପି ଅଭିବୃଦ୍ଧି ହାର ୨୦୧୮-୧୯ରେ ୬.୮% ସ୍ତରକୁ ଖସିଆସିଛି। ୨୦୧୪-୧୫ ପରେ ଏହା ଅଭିବୃଦ୍ଧି ହାର ଏତେ ତଳକୁ ଖସିଛି। ୨୦୧୯-୨୦ରେ ଅଭିବୃଦ୍ଧି ୭% ହେବ ବୋଲି ସରକାର ଆକଳନ କରିଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ଖ୍ୟାତନାମା ଘରୋଇ ସଂସ୍ଥାଗୁଡ଼ିକ କହିଛନ୍ତି ଯେ, ଅଭିବୃଦ୍ଧି ୭% ତଳକୁ ଖସିଯିବ। ଗାଡ଼ି ବଜାର ବିଗତ ଦୁଇ ଦଶନ୍ଧୀର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଏହି କ୍ଷେତ୍ରରେ କାର୍ଯ୍ୟକରୁଥିବା ଅନେକ ଲୋକ ଚାକିରି ହରାଇସାରିଲେଣି। ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ନିର୍ମାଣ ହୋଇସାରିଥିବା ଘର ବିକ୍ରି ହେଉନାହିଁ। ସାବୁନ, ତେଲ ବିକ୍ରି କରୁଥିବା କଂପାନିଗୁଡ଼ିକର ମଧ୍ୟ ବିକ୍ରି କମିଛି। ଏ ସଂକ୍ରାନ୍ତରେ ରାଜନ କହିଛନ୍ତି ଯେ, ବ୍ୟବସାୟର ସବୁ କ୍ଷେତ୍ର ଏବେ ଚିନ୍ତିତ। ପ୍ରୋତ୍ସାହନ ପ୍ୟାକେଜ ‌ଘୋଷଣା କରିବାକୁ ସେମାନେ ସ୍ପଷ୍ଟ ଭାବେ ଦାବି କରୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ହେବ।

ସମ୍ବନ୍ଧିତ ଖବର