ଏନ୍‌ପିଏ ବୋମା ଫିଙ୍ଗିଲେ ରାଜନ୍‌:ଜାଲିଆତି ତାଲିକା ପିଏମ୍‌ଓକୁ ପଠାଇଥିଲେ

କାର୍ଯ୍ୟାନୁଷ୍ଠାନ ବିଷୟରେ ଜାଣିନାହାନ୍ତି:ଏନ୍‌ପିଏ ପାଇଁ ୟୁପିଏକୁ ଦାୟୀ କଲେ

ସରକାରୀ ବ୍ୟାଙ୍କରେ ଆର୍‌ବିଆଇ ନୋମିନିକୁ ବିରୋଧ
ନୂଆଦିଲ୍ଲୀ,: ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ବା ଏନ୍‌ପିଏ ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ ଆଜି ଏକ ବୋମା ଫିଙ୍ଗିଛନ୍ତି। ସେ କହିଛନ୍ତି ହାଇ ପ୍ରୋଫାଇଲ୍‌ ବ୍ୟାଙ୍କ ଜାଲିଆତିର ଏକ ତାଲିକା ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପଠାଇଥିଲେ। ମିଳିତଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ଏହି ତାଲିକା ଦେଇଥିଲେ। କିନ୍ତୁ ଏହାର ଅଗ୍ରଗତି କ’ଣ ହୋଇଛି ତାହା ସେ ଜାଣିନାହାନ୍ତି। ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସଂସଦୀୟ ସ୍ଥାୟୀ କମିଟିକୁ ଏନ୍‌ପିଏ ସମ୍ପର୍କରେ ରାଜନ୍‌ ପଠାଇଥିବା ୧୭ ପୃଷ୍ଠାର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି। ଦେଶରେ ସରକାରୀ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଜାଲିଆତି ଆକାର ବଢ଼ୁଥିଲେ ମଧ୍ୟ ଏନ୍‌ପିଏ ତୁଳନାରେ ଏହା ତଥାପି ଖୁବ୍‌ କମ୍‌ ବୋଲି ସେ କହିଛନ୍ତି।
ସେ ଗଭର୍ଣ୍ଣର ଥିବା ସମୟରେ ରିଜର୍ଭ ବ୍ୟାଙ୍କରେ ଏକ ଜାଲିଆତି ଅନୁଧ୍ୟାନ କକ୍ଷ ସ୍ଥାପନ କରିଥିଲେ। ଜାଲିଆତି ମାମଲା ଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ ପାଇଁ ଏହା କରାଯାଇଥିଲା। ଏତଦ୍‌ବ୍ୟତୀତ ଅତିକମ୍‌ରେ ଜଣେ ଦୁଇଜଣ ଠକଙ୍କ ନାମ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ଦେବା ପାଇଁ ସେ କହିଥିଲେ। ଏ କ୍ଷେତ୍ରରେ କ’ଣ ଅଗ୍ରଗତି ହୋଇଛି ତାହା ବି ସେ ଜାଣନ୍ତି ନାହିଁ। ତେବେ ଏହି ବିଷୟକୁ ଜରୁରି ବିଷୟ ଭାବେ ବିବେଚନା କରାଯିବା ଉଚିତ ବୋଲି ରାଜନ୍‌ କହିଛନ୍ତି। ଦୁର୍ଭାଗ୍ୟର କଥା ହେଉଛି ଜଣେ ବି ହାଇ ପ୍ରୋଫାଇଲ୍‌ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଭାବୀ ବ୍ୟବସ୍ଥା ନଥିଲା। ଯାହାଫଳରେ ଜାଲିଆତିକୁ ନିରୁତ୍ସାହିତ କରାଯାଇ ପାରୁ ନଥିଲା।

ଅବଶ୍ୟ ରାଜନ୍‌ କେଉଁ ବର୍ଷ ଏ ସମ୍ପର୍କରେ ପିଏମ୍‌ଓକୁ ଜଣାଇଥିଲେ ତାହା ସ୍ପଷ୍ଟ କରି ନାହାନ୍ତି। ୨୦୦୬ରୁ ୨୦୦୮ ମଧ୍ୟରେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଉଚ୍ଚ ସ୍ତରରେ ଥିଲା। ଏହି ସମୟରେ ବିଦ୍ୟୁତ କାରଖାନା ଭଳି ଭିତ୍ତିଭୂମି ପ୍ରକଳ୍ପ ପାଇଁ ବିପୁଳ ଋଣ ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଉପଯୁକ୍ତ ପରୀକ୍ଷାନିରୀକ୍ଷା ନକରି ଋଣ ଦେଇଥିଲେ। ଏହା ହିଁ ଏନ୍‌ପିଏ ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି ରାଜନ୍‌ କହିଛନ୍ତି। ଏତଦ୍‌ବ୍ୟତୀତ ଏନ୍‌ପିଏ ବୃଦ୍ଧିର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ରାଜନ୍‌ଙ୍କ ଉତ୍ତରକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି।

କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ, ରାଜନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ କାର୍ଯ୍ୟାଳୟକୁ ଇଙ୍ଗିତ କରିଛନ୍ତି। ପ୍ରଧାନମନ୍ତ୍ରୀ କାହିଁକି ଏହି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ? ୟୁପିଏ କ୍ଷମତାରୁ ଯିବାବେଳକୁ ଏନ୍‌ପିଏ ରାଶି ୨ ଲକ୍ଷ ୮୩ ହଜାର କୋଟି ଟଙ୍କା ଥିଲା। କିନ୍ତୁ ଏବେ ଏନ୍‌ପିଏ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯେଓ୍ଵାଲା କହିଛନ୍ତି। ସୂର୍ଯେଓ୍ଵାଲା ତାଙ୍କ ଟ୍ଵିଟ୍‌ରେ ଦର୍ଶାଇଛନ୍ତି ଯେ, ରାଜନ୍‌ ୨୦୧୬ରେ ପିଏମ୍‌ଓକୁ ଋଣ ଖିଲାପୀଙ୍କର ତାଲିକା ଦେଇଥିଲେ। କିନ୍ତୁ ମୋଦୀ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ରାଜନ୍‌ଙ୍କ ରିପୋର୍ଟ ୟୁପିଏ ସରକାରଙ୍କ ଅମଳର ଏକ ବଡ଼ ଦୁର୍ନୀତିର ଘୋଷଣା କରିଛି। ୨୦୦୬ରୁ ୨୦୧୧ ମଧ୍ୟରେ ୟୁପିଏ ସରକାର ଯେଭଳି ଢଙ୍ଗରେ କାର୍ଯ୍ୟ କରୁଥିଲା ସେଥିପାଇଁ ଏନ୍‌ପିଏ ବୃଦ୍ଧି ପାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ସେତେବେଳର ସରକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ମୂଳକୁ ଆକ୍ରମଣ କରିଥିଲେ।
ସରକାରୀ ବ୍ୟାଙ୍କ ଗୁଡ଼ିକରେ ରିଜର୍ଭ ବ୍ୟାଙ୍କର ନୋମିନି ରହିବାକୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ ନାପସନ୍ଦ କରିଛନ୍ତି। ଏହାଦ୍ୱାରା ରିଜର୍ଭ ବ୍ୟାଙ୍କ ପାଇଁ ଏକପ୍ରକାର ଭ୍ରମ ସୃଷ୍ଟି ହୋଇଥାଏ। ବାଣିଜ୍ୟିକ ଋଣ ପ୍ରଦାନ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଜଣେ ଖେଳାଳୀ ନୁହେଁ, ବରଂ ଜଣେ ରେଫରି। ବାଣିଜ୍ୟିକ ବ୍ୟାଙ୍କରେ ଥିବା ରିଜର୍ଭ ବ୍ୟାଙ୍କ ନୋମିନିଙ୍କର ଋଣ ପ୍ରଦାନ ଅଭିଜ୍ଞତା ନଥାଏ। ସେ କେବଳ ଋଣ ପ୍ରଦାନ ନୀତି ଠିକ୍‌ ଭାବେ ଅବଲମ୍ବନ କରାଯାଉଛି କି ନାହିଁ ତାହା ଦେଖିଥାନ୍ତି ବୋଲି ଏଷ୍ଟିମେଟ୍‌ କମିଟିକୁ ରାଜନ୍‌ ଦେଇଥିବା ଉତ୍ତରରେ କହିଛନ୍ତି। ଏନ୍‌ପିଏ ସମସ୍ୟାକୁ ଚିହ୍ନଟ କରିବା ଏବଂ ତାହାର ସମାଧାନ କରିବାରେ ରାଜନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି କମିଟି ନିକଟରେ ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ପ୍ରଶଂସା କରିବା ପରେ କମିଟି ରାଜନ୍‌ଙ୍କ ଠାରୁ ଉତ୍ତର ଲୋଡ଼ିଥିଲା।

ସମ୍ବନ୍ଧିତ ଖବର