ଓଲା ଇଲେକ୍ଟ୍ରିକ୍ ମୋବିଲିଟିରେ ରତନ ଟାଟାଙ୍କ ନିବେଶ

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ କାରର ଭବିଷ୍ୟତ ଭଲ ଥିବାରୁ ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟା ଏହି କମ୍ପାନିରେ ଅର୍ଥ ନିବେଶ କରିଛନ୍ତି। ରତନ ଟାଟା ତାଙ୍କ ବ୍ୟକ୍ତିଗତ କ୍ଷମତାରେ ଏହି ଅର୍ଥ ନିବେଶ କରିଛନ୍ତି। ନୂଆକରି ଗଠନ ହୋଇଥିବା ଓଲାର ଇଲେକ୍ଟ୍ରିକ୍ ମୋବିଲିଟି କମ୍ପାନିରେ ଏହି ନିବେଶ କରିଛନ୍ତି। ପୂର୍ବରୁ ଓଲାର ମୂଳ କମ୍ପାନି ଏଏନଆଇ ଟେକ୍ନୋଲୋଜିରେ ମଧ୍ୟ ରତନ ଅର୍ଥ ନିବେଶ କରିସାରିଛନ୍ତି। ଦେଶରେ ଇଲେକ୍ଟ୍ରିକ ମୋବିଲିଟି ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଓଲା ଚଳାଇଥିବା ଉଦ୍ୟମକୁ ରତନ ଏହାଦ୍ବାରା ପ୍ରୋତ୍ସାହନ ଯୋଗାଇଛନ୍ତି। ବିଶେଷକରି ଦେଶରେ ଚାର୍ଜି ଭିତ୍ତିଭୂମି ସ୍ଥାପନରେ ନୂଆ ଚିନ୍ତାଧାରାର ପ୍ରବର୍ତନ, ସ୍ବାପିଂ ମଡେଲ ଆଦି ସୃଷ୍ଟିରେ ଏହି ଅର୍ଥ ସହାୟକ ହେବ। ଓଲା ଇଲେକ୍ଟ୍ରିକ ଏବେ ଦେଶରେ ଏକାଧିକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ସେଗୁଡ଼ିକ ମଧ୍ୟରେ ଚାର୍ଜିଂ ସଲ୍ୟୁସନ, ବ୍ୟାଟେରିଂ ସ୍ବାପିଂ ଷ୍ଟେସନ, ଦୁଇ, ତିନି ଏବଂ ଚାରି ଚକିଆ ଗାଡ଼ିର ଚଳାଚଳ ଆଦି ଅନ୍ତର୍ଭୁକ୍ତ ରହିଛି। ତେବେ ରତନ ଟାଟାଙ୍କ ନିବେଶ ରାଶି ସମ୍ପର୍କିତ ବିଶେଷ ସୂଚନା ହସ୍ତଗତ ହୋଇନାହିଁ। ରତନ କହିଛନ୍ତି, ଦେଶରେ ଇଲେକ୍ଟ୍ରିକ ଯାନର ପରିବେଶରେ ନାଟକୀୟ ପରିବର୍ତନ ଆସିଛି। ଇଲେକ୍ଟ୍ରିକ ଯାନର ବଜାର ବୃଦ୍ଧି ଏବଂ ବିକାଶରେ ଓଲା ଇଲେକ୍ଟ୍ରିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ‌ରତନ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର