୨୬ଟି ପ୍ରମୁଖ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା, ୭୧ଟି ସମସ୍ୟାର ସମାଧାନ

ଭୁବନେଶ୍ବର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ୨୬ଟି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଜି କ୍ୟାବିନେଟ୍ କମିଟି ନିବେଶ ପ୍ରକଳ୍ପ ନିରୀକ୍ଷଣ ଗ୍ରୁପ୍ ( ସିସିଆଇ ପିଏମ୍‌ଜି) ବୈଠକରେ ସୀମକ୍ଷା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ସମୁଦାୟ ୭୩,୫୩୧ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉଛି। ସେଥି ମଧ୍ୟରୁ ୧୭ଟି ରେଳ ପ୍ରକଳ୍ପ ପାଇଁ ୨୨,୦୨୭ କୋଟି ଟଙ୍କା, ୨ ବିଦ୍ୟୁତ ଶକ୍ତି ପ୍ରକଳ୍ପରେ ୧୯,୯୪୪ କୋଟି ଟଙ୍କା, ୨ଟି ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ ଲାଗି ୧୮,୮୫୮ କୋଟି ଟଙ୍କା, ୨ଟି ସଡ଼କ ଓ ରାଜପଥ ପ୍ରକଳ୍ପରେ ୨୩୦୨ କୋଟି ଟଙ୍କା, ଏକ କୋଇଲା ଖଣି ପ୍ରକଳ୍ପରେ ୯,୮୯୭ କୋଟି ଟଙ୍କା ଓ ଦୁଇଟି ସିମେଣ୍ଟ୍‌ ଶିଳ୍ପ ପ୍ରକଳ୍ପରେ ୪୫୦୦ କୋଟି ଟଙ୍କା ନିବେଶ କରାଯାଉଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟ ଶେଷ କରିବା ଲାଗି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦି‌ଷ୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ସେ ଉପରେ ଚିନ୍ତା ପ୍ରକଟ କରି ତାହାର ତ୍ବରିତ ସମାଧାନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି। ଜିଲ୍ଲା ପ୍ରଶାସନକୁ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି।

ଆଜି ଲୋକସଭାର ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି। ଜଙ୍ଗଲ ମଞ୍ଜୁରି, କ୍ଷତିପୂରଣ ପ୍ରଦାନ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ଜମିକୁ ଅକ୍ତିଆରକୁ ଆଣିବା ଏବଂ ବନ୍ୟ ଜନ୍ତୁ ମଞ୍ଜୁରି ସମ୍ପର୍କିତ ୭୧ଟି ସମସ୍ୟା ବିଷୟରେ ଆଜିର ବୈଠକରେ ଆଲୋଚନା କରି ତାହାର ସମାଧାନ କରାଯାଇଛି। ପ୍ରକଳ୍ପ ସମ୍ପର୍କିତ ତଥ୍ୟ ନିୟମିତ ଭା‌ବେ ସିସିଆଇ ପିଏମ୍‌ଜି ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ଶିଳ୍ପ ସଚିବ ଶ୍ରୀ ଶର୍ମା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକୁ କହିଛନ୍ତି। ଏହା ଦ୍ବାରା ନୂଆ ସମସ୍ୟା ବିଷୟରେ ରାଜ୍ୟ ସରକାର ଅବଗତ ହୋଇପାରିବେ ଓ ତାହାର ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି।

ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରସାର ବିଭାଗର ଅତିରିକ୍ତ ସଚିବ ସୁନିତା ଦାୱରା କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ଏହି ମିଳିତ ପଦକ୍ଷେପ ଶିଳ୍ପ ପ୍ରସାର ଦିଗରେ ବିଶେଷ ସହାୟକ ହୋଇଛି। ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଉପସ୍ଥାପନ କରିଥିବା ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ଲାଗି ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ପ୍ରଶାସନିକ ମୁଖ୍ୟ ଓ ଜିଲ୍ଲାପାଳମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର