କୋଇଲାକୁ ନେଇ ଗମ୍ଭୀର ସ୍ଥିତି: ଭୟଙ୍କର ବିଦ୍ୟୁତ ସଙ୍କଟ ଆସନ୍ନ, ପାୱାର ପ୍ଲାଣ୍ଟ୍‌ରେ ମାତ୍ର ୪ ଦିନର କୋଇଲା

ସଙ୍କଟ ଦେଖାଦେବନି: ମନ୍ତ୍ରୀ, ୫୦% କୋଇଲା ବାହାରେ ବିକିବାକୁ କ୍ୟାପ୍‌ଟିଭ୍‌ ଖଣିକୁ ଅନୁମତି

ନୂଆଦିଲ୍ଲୀ: କୋଇଲା ଅଭାବକୁ ନେଇ ଦେଶରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ଯେତିକି କୋଇଲା ଅଛି ତାହା ଅତିବେଶିରେ ୪ ଦିନର ଆବଶ୍ୟକତା ପୂରଣ କରିବ। ଏହି ସ୍ଥିତିରେ ଶୀଘ୍ର ସୁଧାର ନହେଲେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେବ। ଦେଶର ଅନେକ ଅଞ୍ଚଳ ଅନ୍ଧାର ଭିତରକୁ ଠେଲି ହୋଇଯିବ। ଏହି ସଙ୍କଟ ବିଷୟରେ କୋଇଲା ସଚିବ ଅନିଲ କୁମାର ଜୈନ କହିଛନ୍ତି ଯେ ପାୱାର ପ୍ଳାଣ୍ଟ୍‌ଗୁଡ଼ିକରେ ଦୈନିକ ୬୦,୦୦୦-୮୦,୦୦୦ ଟନ୍ କୋଇଲାର ଅଭାବ ରହୁଛି। ପ୍ରବଳ ବର୍ଷା ଯୋଗୁଁ ଧାନବାଦରେ ଥିବା ଖଣିଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ସ୍ଥିତି ଠିକ୍ ରହିବ ତେବେ ଅକ୍ଟୋବର ଦ୍ବିତୀୟ ସପ୍ତାହ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଗତ ଅଗଷ୍ଟରେ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ୧୩ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ଥିଲା। ସେପ୍ଟେମ୍ବରରେ ତାହା ୪ ଦିନକୁ ହ୍ରାସ ପାଇଛି। ଗତ କିଛି ବର୍ଷ ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳିନଥିଲା। ଦେଶର ଅଧାରୁ ଅଧିକ ପାୱାର ପ୍ଲାଣ୍ଟ୍‌ରେ ବିଦ୍ୟୁତ ଉତ୍ପାଦନ ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଭାରତରେ ୭୦% ବିଦ୍ୟୁତ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ଉତ୍ପାଦନ କରାଯାଏ। କୋଇଲା ଅଭାବ ଯୋଗୁଁ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ଉତ୍ପାଦନ ପ୍ରଭାବିତ ହୋଇଛି। କୋଇଲା ସଙ୍କଟକୁ ଦୂର କରିବା ଲାଗି ବିଭିନ୍ନ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ଆଲୁମିନିୟମ୍ ଓ ଇସ୍ପାତ କାରଖାନା ପାଇଁ ଥିବା କୋଇଲାକୁ ପାୱାର ପ୍ଲାଣ୍ଟ୍‌ରେ ବ୍ୟବହାର ପାଇଁ ପଠାଯାଉଛି। ଏହା ଆଲୁମିନିୟମ୍ ଓ ଇସ୍ପାତ କଂପାନିଗୁଡ଼ିକର ଚିନ୍ତା ବଢ଼ାଇଛି। କୋଲ୍ ଇଣ୍ଡିଆ ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ କରୁନଥିବା ନେଇ କିଛି ଆଲୁମିନିୟମ୍ କଂପାନି ଅଭିଯୋଗ କରିବା ଆରମ୍ଭ କରିଛନ୍ତି।

କରୋନା ମହାମାରୀର ଦ୍ବିତୀୟ ଲହର ଭୟ ଦୂର ହେବା ପରେ ହଠାତ୍‌ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥିବା ବେଳେ କଳ କାରଖାନାରେ ଉତ୍ପାଦନ ତ୍ବରାନ୍ବିତ ହୋଇଥିବାରୁ ବିଦ୍ୟୁତ ଚାହିଦା ବଢ଼ିଛି। ସେହି ଚାହିଦା ପୂରଣ କରିବା ଲାଗି ଯେତିକି ଜାଳେଣି କୋଇଲା ଦରକାର ତାହା ମିଳୁନାହିଁ। ମୌସୁମୀ ବର୍ଷା ଯୋଗୁଁ କୋଇଲା ଉତ୍ତୋଳନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ କୋଇଲା ପରିବହନ ବ୍ୟାହତ ହୋଇଛି। ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ଲାଗି ଏବେ ଅସୁବିଧାଜନକ ସ୍ଥିତି ସୃଷ୍ଟି ହୋଇଛି।

ସଙ୍କଟ ଦେଖାଦେବନି: ମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେବନି ବୋଲି ଏନ୍‌ଡିଟିଭି ସହ ଆଲୋଚନା ବେଳେ ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ କହିଛନ୍ତି। କୋଇଲା ପରିବହନକୁ ନେଇ କିଛି ସମସ୍ୟା ରହିଥିବା ବିଷୟକୁ ସେ ସ୍ବୀକାର କରିବା ସହ ସେ କହିଛନ୍ତି ପ୍ରତିଦିନ ଖଣିରୁ କୋଇଲା ପରିବହନ କରାଯାଉଛି। ଏହା ଉପରେ ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନଜର ରଖିଛି। ସେଥିରେ ଶକ୍ତି ବିଭାଗ ଓ ରେଳବାଇର ପ୍ରତିନିଧି ସଦସ୍ୟ ରହିଛନ୍ତି। କୋଇଲା ଉତ୍ତୋଳନ ହେଉଥିବା ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳରେ ହେଉଥିବା ବର୍ଷା ଏକ ସମସ୍ୟା ହୋଇଥିଲେ ମଧ୍ୟ ସେହି ସ୍ଥିତିର ମୁକାବିଲା କରାଯାଉଛି ବୋଲି ସେ କହିଛନ୍ତି।

୫୦% କୋଇଲା ବାହାରେ ବିକିବାକୁ କ୍ୟାପ୍‌ଟିଭ୍‌ ଖଣିକୁ ଅନୁମତି
ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟର ସ୍ଥାୟୀ ସମାଧାନ ବାଟ ବାହାର କରିବା ଲାଗି କ୍ୟାପ୍‌ଟିଭ୍ ଖଣିଗୁଡ଼ିକୁ ୫୦% କୋଇଲା ବିକ୍ରି କରିବା ଅନୁମତି ଦିଆଯାଇଛି। ଏହା ପାୱାର ପ୍ଲାଣ୍ଟ୍‌ଗୁଡ଼ିକର କୋଇଲା ଅଭାବକୁ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଯେଉଁ କାରଖାନାର ନିଜସ୍ବ ପାୱାର ପ୍ଲାଣ୍ଟ୍ ରହିଛି ସେମାନଙ୍କୁ କୋଇଲା ଖଣି ଆବଣ୍ଟନ କରାଯାଇଛି। ସେହି ଖଣିଗୁଡ଼ିକୁ କ୍ୟାପ୍‌ଟିଭ୍ ଖଣି କୁହାଯାଏ। ଏହି କୋଇଲା ଖଣିରୁ ଉତ୍ତୋଳନ ହେଉଥିବା କୋଇଲାକୁ କଂପାନିଗୁଡ଼ିକ କେବଳ ନିଜସ୍ବ ପାୱାର ପ୍ଲାଣ୍ଟ୍‌ରେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ସେମାନେ ବାର୍ଷିକ ଉତ୍ପାଦନର ୫୦% କୋଇଲା ଅନ୍ୟମାନଙ୍କୁ ବିକିପାରିବେ।

ସମ୍ବନ୍ଧିତ ଖବର