ଆର୍ଥିକ ନୀତିକୁ ସମାଲୋଚନା କଲେ ଅର୍ଥମନ୍ତ୍ରୀଙ୍କ ସ୍ବାମୀ: ନରସିଂହରାଓ-ମନମୋହନଙ୍କ ନୀତି ହିଁ ସଙ୍କଟ ଟାଳିପାରିବ
ବିଜେପିର ‘ନେତି, ନେତି’ ଅଛି, କିନ୍ତୁ ‘ନୀତି’ ନାହିଁ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ତାଙ୍କ ସ୍ବାମୀ ପରାକଲା ପ୍ରଭାକର ଆଜି ଏକ ଅଡ଼ୁଆରେ ପକାଇଛନ୍ତି। ଶ୍ରୀ ପ୍ରଭାକର ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ଏକ ସ୍ତମ୍ଭ ଲେଖି ମୋଦୀ ସରକାରଙ୍କ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଦୀର୍ଘଦିନ ଧରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦୂରସଂଚାର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଶ୍ରୀ ପ୍ରଭାକର କହିଛନ୍ତି, ଭାରତୀୟ ଅର୍ଥନୀତିର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ସୁଧାର ଆଣିବା ଲାଗି ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କିନ୍ତୁ ଆର୍ଥିକ ସଙ୍କଟକୁ ଟାଳିବା ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ନକ୍ସା ପ୍ରସ୍ତୁତ କରିପାରି ନାହାନ୍ତି। ଭାରତୀୟ ଅର୍ଥନୀତିକୁ ବର୍ତ୍ତମାନର ସଙ୍କଟରୁ ଉଦ୍ଧାର କରିବା ପାଇଁ ହେଲେ ପିଭି ନରସିଂହରାଓ-ମନମୋହନ ସିଂହ ଅତୀତରେ ଆପଣାଇଥିବା ନୀତିକୁ ଗ୍ରହଣ କରିବାକୁ ହେବ ବୋଲି ଶ୍ରୀ ପ୍ରଭାକର ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଦେଶ ପାଇଁ ପକାଇଥିବା ଆର୍ଥିକ ଢାଞ୍ଚାକୁ ବର୍ତ୍ତମାନର ଶାସକ ଦଳ ସମାଲୋଚନା କରୁଥିବାରୁ ଶ୍ରୀ ପ୍ରଭାକର ଏହାକୁ ଗ୍ରହଣ କରିପାରି ନାହାନ୍ତି। ଦଳର ଯେଉଁ ଚିନ୍ତାନାୟକ ଗୋଷ୍ଠୀ ରହିଛି ସେମାନେ ଅନୁଭବ କରିପାରୁନାହାନ୍ତି ଯେ ସେମାନେ କରୁଥିବା ଆକ୍ରମଣ କେବଳ ରାଜନୈତିକ ଆକ୍ରମଣ ଭାବେ ସୀମିତ ରହିଯାଉଛି। ଏହା ଅର୍ଥନୈତିକ ସମାଲୋଚନା ସ୍ତରକୁ ଉଠିପାରୁନାହିଁ। ସେହିଭଳି ଶ୍ରୀ ପ୍ରଭାକର ଏହା ମଧ୍ୟ କହିଛନ୍ତି, ସରକାର ଅର୍ଥନୀତିରେ ମାନ୍ଦାବସ୍ଥାକୁ ଗ୍ରହଣ କରୁନାହାନ୍ତି। କିନ୍ତୁ ଯେଉଁସବୁ ତଥ୍ୟ ଆସୁଛି ସେଥିରୁ ଜଣା ପଡ଼ିଯାଉଛି ଅର୍ଥନୀତିରେ ଗୋଟିଏ ପରେ ଗୋଟିଏ କ୍ଷେତ୍ର ଆର୍ଥିକ ସଙ୍କଟରେ ପଡ଼ୁଛି। ‘ଏ ଲୋଡଷ୍ଟାର୍ ଟୁ ଷ୍ଟିଅର ଦି ଇକୋନୋମି’ ଶୀର୍ଷକରେ ସେ ଏହି ଲେଖା ଲେଖିଛନ୍ତି ଯାହାର ମର୍ମ ହେଉଛି ଅର୍ଥନୀତିକୁ ଆଗକୁ ନେବା ପାଇଁ ଏକ ଧ୍ରୁବତାରା। ଏହାର ପ୍ରଥମ ଧାଡ଼ିରେ ସେ ଲେଖିଛନ୍ତି, ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ସବୁସ୍ତରରେ ଚିନ୍ତା ଦେଖାଦେଇଛି। କିନ୍ତୁ ସରକାର ଏବେ ବି ଏହାକୁ ସ୍ବୀକାର କରୁନାହାନ୍ତି। ତେବେ ସାଧାରଣରେ ଯେଉଁସବୁ ତଥ୍ୟ ପଦାକୁ ଆସୁଛି ସେଥିରୁ ଜଣାଯାଉଛି ଅର୍ଥନୀତିର ଗୋଟିଏ ପରେ ଗୋଟିଏ କ୍ଷେତ୍ର ଖରାପ ହେବାରେ ଲାଗିଛି। ଘରୋଇ ବ୍ୟୟ ସଙ୍କୁଚିତ ହେବାରେ ଲାଗିଛି ଏବଂ ଏହା ୧୮ଟି ତ୍ରୟମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ୩.୧ ପ୍ରତିଶତରେ ରହିଛି। ଗ୍ରାମୀଣ ସ୍ତରରେ ବ୍ୟୟ ଭୟଙ୍କର ଭାବେ ନିମ୍ନମୁଖୀ ହେଉଛି। ସହରାଞ୍ଚଳର ବ୍ୟୟ ହ୍ରାସ ତୁଳନାରେ ଗ୍ରାମାଞ୍ଚଳର ବ୍ୟୟ ହ୍ରାସ ଦୁଇ ଗୁଣ ଅଧିକ ରହିଛି। ଅଣୁ ଏବଂ କ୍ଷୁଦ୍ର ଶିଳ୍ପର ଋଣ ସ୍ଥାଣୁ ହୋଇଯାଇଛି। ନିଟ୍ ରପ୍ତାନି ସାମାନ୍ୟ ବୃଦ୍ଧି ଘଟୁଛି କିମ୍ବା ସ୍ଥିର ରହୁଛି। ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୫ ପ୍ରତିଶତକୁ ଖସିଆସି ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବେକାରି ହାର ୪୫ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ଅର୍ଥନୀତି କାହିଁକି ଏଭଳି ହୋଇଛି ତାହା ସରକାର ଏପର୍ଯ୍ୟନ୍ତ ବୁଝିଛନ୍ତି ବୋଲି ଜଣାପଡ଼ୁନାହିଁ। ସେହିଭଳି ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟା ଗୁଡ଼ିକୁ ସମାଧାନ ପାଇଁ ସରକାରଙ୍କର ରଣନୀତିକ ଦୃଷ୍ଟିକୋଣ ରହିଛି ବୋଲି ଖୁବ୍ କମ୍ ପ୍ରମାଣ ମିଳୁଛି। ବିଜେପିର ଆର୍ଥିକ ନୀତି ମୁଖ୍ୟତଃ ‘ନେତି ନେତି’ ବା ଏହା ନୁହେଁ, ଏହା ନୁହେଁକୁ ଗ୍ରହଣ କରିଲା। କିନ୍ତୁ ତାହାର ନିଜସ୍ବ ନୀତି ବା ପଲିସିକୁ ପ୍ରସ୍ତୁତ କରିଲା ନାହିଁ ବୋଲି ଶ୍ରୀ ପ୍ରଭାକର କହିଛନ୍ତି। ବାଜପେୟୀ ସରକାର ୨୦୦୪ରେ ନିର୍ବାଚନ ପ୍ରଚାରରେ ଭାରତ ଉଦୟକୁ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଥିଲେ। କିନ୍ତୁ ତାହା କାର୍ଯ୍ୟ କରିଲା ନାହିଁ। ବର୍ତ୍ତମାନର ବିଜେପି ନେତାମାନେ ଏ ବିଷୟରେ ଭଲଭାବେ ଅବଗତ ଅଛନ୍ତି। ତେଣୁ ୨୦୧୯ ନିର୍ବାଚନରେ ଦଳ ଅର୍ଥନୈତିକ ଅଗ୍ରଗତିକୁ ପ୍ରଚାରର ମୁଖ୍ୟ ଅସ୍ତ୍ର କରିବାକୁ ପସନ୍ଦ କରି ନଥିଲା। ଏହା ପରେ ପରିବର୍ତ୍ତେ ଚତୁରତାର ସହିତ ଦୃଢ ରାଜନୈତିକ, ଜାତୀୟତାବାଦ ଏବଂ ସୁରକ୍ଷା ଆଦି ପ୍ରସଙ୍ଗକୁ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଥିଲା ବୋଲି ଶ୍ରୀ ପ୍ରଭାକର କହିଛନ୍ତି।
୧୯୯୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହରାଓ ଓ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଆର୍ଥିକ ନୀତିକୁ ଏପର୍ଯ୍ୟନ୍ତ କେହି ଚାଲେଞ୍ଜ କରିନାହାନ୍ତି। ଏପରିକି ଯେତେ ସରକାର ତାହା ପରେ ଆସିଛନ୍ତି କିମ୍ବା ସରକାରଙ୍କୁ ସମର୍ଥନ ଦେଇଛନ୍ତି ସମସ୍ତେ ନରସିଂହରାଓ-ମନମୋହନଙ୍କ ଆର୍ଥିକ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। ବିଜେପି ଏହାକୁ ଚାଲେଞ୍ଜ କିମ୍ବା ପ୍ରତ୍ୟାଖାନ କରିନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତିକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ହେଲେ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିଚାଳିତ ସରକାରଙ୍କୁ ନରସିଂହରାଓ-ମନମୋହନଙ୍କ ଆର୍ଥିକ ନୀତିକୁ ଧ୍ରୁବତାରା ଭାବେ ଗ୍ରହଣ କରିବାକୁ ହେବ ବୋଲି ଅର୍ଥମନ୍ତ୍ରୀଙ୍କ ସ୍ବାମୀ ଏହି ସ୍ତମ୍ଭରେ ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, ବର୍ତ୍ତମାନର ଜଗତୀକରଣ ଯୁଗରେ ‘ଏକାତ୍ମ ମାନବବାଦ’କୁ ବାସ୍ତବ ନୀତି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହି ଶ୍ରୀ ପ୍ରଭାକର ବିଜେପିର ନୀତିକୁ କଡ଼ା ସମାଲୋଚନା କରିଛନ୍ତି।