ଅନ୍‌ଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ପ୍ରଭାବିତ ହେବେ: ଡ. ବିଜୟ ସାହୁ

କରୋନା ଦ୍ବାରା ଶିକ୍ଷା କ୍ଷେତ୍ର କେତେ ପ୍ରଭାବିତ ହୋଇଛି?

ଶିକ୍ଷା ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ୟୁନେସ୍କୋର ଏକ ରିପୋର୍ଟ ଅନୁଯାୟୀ ସ୍କୁଲ ବନ୍ଦ ହେବା ଦ୍ବାରା ବିଶ୍ବସ୍ତରରେ ୬୯.୪% ଛାତ୍ରଛ‌ାତ୍ରୀ ପ୍ରଭାବିତ ‌ହୋଇଛନ୍ତି। ୧.୨୧ ବିଲିୟନ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି। ଓଡ଼ିଶା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବର୍ତମାନ ସମୟରେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ଟେ‌କ୍ନୋଲୋଜି ପହଞ୍ଚିପାରି ନାହିଁ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଯଦି ଦେଖାଯାଏ ଲକ୍‌ ଡାଉନ୍‌ ଦ୍ବାରା ଛାତ୍ରଛାତ୍ରୀଙ୍କର ୪ ମାସର ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ତେଣୁ ପୂର୍ବ ସ୍ଥିତିକୁ ଫେରିବାକୁ ଆହ୍ବାନ କ’ଣ ରହିବ?
ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍‌ ଶିକ୍ଷାକୁ ଫେରିବା ଲାଗି ବେଶି ସମୟ ଲାଗିବ ନାହିଁ। କିନ୍ତୁ ଯେଉଁମାନେ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ସେମାନେ ପ୍ରଭାବିତ ହେବେ। ତେବେ ଶିକ୍ଷା କେବଳ ପାଠ୍ୟପୁସ୍ତକରେ ନ ଥାଏ। ପିଲାଙ୍କୁ ଶିକ୍ଷା ଦେବାରେ ଆମମାନଙ୍କର ବି ବଡ଼ ଦାୟିତ୍ବ ରହିଛି। ବିଶେଷକରି ଅଭିଭାବକ, ଶିକ୍ଷକ ଏକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଯେଉଁମାନେ ଅନ୍‌ଲାଇନ୍‌ ଶିକ୍ଷା ପାଉନାହାନ୍ତି ସେମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ। ଶିକ୍ଷକମାନେ ମଧ୍ୟ ଟେଲିଫୋନ୍‌ କିମ୍ବା ଅନ୍ୟ ମାଧ୍ୟମରେ ଅଭିଭାବକ ଓ ପିଲାଙ୍କ ନିକଟରେ ପହଞ୍ଚନ୍ତୁ। ଏଠାରେ କୁହାଯାଇପାରିବ ‘ସେଲ୍ଫ ଷ୍ଟଡି ଇଜ୍‌ ଦି ବେଷ୍ଟ ଷ୍ଟଡି’।

କ୍ଲାସରୁମ୍‌ ପାଠପଢ଼ା ହୋଇପାରୁ ନ ଥିବା ବେଳେ ସାଈ ଇଣ୍ଟରନ୍ୟାସନାଲ ସ୍କୁଲ ପିଲାଙ୍କୁ କିଭଳି ଶିକ୍ଷା ଦେଉଛି ଓ କେତେ ସଫଳତା ମିଳିଛି?
ଛ‌ାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦିଆଯାଉଛି। ସାଇ କ୍ଲାଉଡ୍‌ ସ୍କୁଲ ବିକାଶ କରାଯିବା ସହ ସ୍କୁଲାଷ୍ଟିକ୍‌ ତଥା କୋ-ସ୍କୁଲାଷ୍ଟିକ୍‌ କାର୍ଯ୍ୟକଳାପ ଜାରି ରହିଛି। ପ୍ରତ୍ୟେକ ପିଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ଦ୍ବନ୍ଦ୍ବ ଦୂର କରିବା ସହ ମୁହାଁମୁହିଁ ଆଲୋଚନା, ଆସାଇନ୍‌ମେଣ୍ଟ ଆଦି ସେକ୍ସନ ହେଉଛି। ପ୍ରତିଦିନ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଶିକ୍ଷା ଦିଆଯାଉଛି। ସକାଳୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରଭାତ ସେକ୍ସନରେ ଯୋଗ ଓ ବ୍ୟାୟାମ, ପିଲାଙ୍କୁ କଳା, ନୃତ୍ୟ, ସଙ୍ଗୀତ, ଡ୍ରାମା ଆଦି ବି ଶିଖାଯାଉଛି। ଅଭିଭାବକଙ୍କୁ ବିଶେଷଜ୍ଞଙ୍କ ଦ୍ବାରା ପରାମର୍ଶ ଦିଆଯାଉଛି। ମୁଁ, ମୋ ଶିକ୍ଷକ ଓ ଆଇଟି ଟିମ୍‌ ଦିନରାତି ଏକ କରି ଅନ୍‌ଲାଇନ୍‌ ଶିକ୍ଷା ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରୁଛୁ। ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ଦେବା ଲାଗି ଆମେ ୧୨ରୁ ୧୩ ଘଣ୍ଟା ପରିଶ୍ରମ ଜାରି ରଖିଛୁ।

ସମ୍ବନ୍ଧିତ ଖବର