ଭୂତ ଏଫ୍‌ଡିଆଇ ଜରିଆରେ ଟିକସ ଠକେଇ : ରହସ୍ୟ ଖୋଲିଲା ଆଇଏମ୍ଏଫ୍‌

ପଠାଉଥିବା ଦେଶ

ଲକ୍ସେମ୍ବର୍ଗ, ନେଦରଲ୍ୟାଣ୍ଡ୍‌, ହଂକଂ ଏସ୍‌ଏଆର୍‌, ବ୍ରିଟିଶ ଭର୍ଜିନ ଦ୍ବୀପ, ବରମୁଡା, ସିଙ୍ଗାପୁର, କେମ୍ୟାନ୍ ଦ୍ବୀପ, ସ୍ବିଜରଲ୍ୟାଣ୍ଡ୍‌, ଆୟରଲ୍ୟାଣ୍ଡ୍‌ ଏବଂ ମରିସସ୍

ନୂଆଦିଲ୍ଲୀ : ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଜରିଆରେ ବଡ଼ ଧରଣର ଟିକସ ଠକେଇ ହେଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏନେଇ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।

ବିଶ୍ବର ଅନେକ ବହୁଦେଶୀୟ କଂପାନି ଭୂତ ଏଫ୍‌ଡିଆଇ ଜରିଆରେ ଟିକସ ଠକେଇ କରୁଛନ୍ତି। ଟିକସ ଠକଙ୍କ ଭୂସ୍ବର୍ଗ କୁହାଯାଉଥିବା ସ୍ଥାନଗୁଡ଼ିକର ଜାଲ୍‌ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ଏହି ଠକେଇ କରାଯାଉଥିବା ଆଇଏମ୍ଏଫ୍‌ କହିଛି। ଏନେଇ ଆଇଏମ୍ଏଫ୍ ଏହାର ସଦ୍ୟତମ ରିପୋର୍ଟରେ ଜଣାଇଛି ଯେ, ଭୂତ ଏଫ୍‌ଡିଆଇ ଲାଗି ଲକ୍ସେମ୍ବର୍ଗ, ନେଦରଲ୍ୟାଣ୍ଡ୍‌, ହଂକଂ ଏସ୍‌ଏଆର୍‌, ବ୍ରିଟିଶ ଭର୍ଜିନ୍ ଦ୍ବୀପ, ବରମୁଡା, ସିଙ୍ଗାପୁର, ଦି କେମ୍ୟାନ୍ସ ଦ୍ବୀପ, ସ୍ବିଜରଲ୍ୟାଣ୍ଡ, ଆୟରଲ୍ୟାଣ୍ଡ୍‌ ଓ ମରିସସ୍‌ର ଜାଲ୍‌ କଂପାନିଗୁଡ଼ିକୁ ବ୍ୟବହାର କରାଯାଉଛି।

୨୦୧୭ରେ ବିଶ୍ବର ବିଭିନ୍ନ ଦେଶରେ ୧୫୦୦ କୋଟି ଡଲାରର ଭୂତ ଏଫ୍‌ଡିଆଇ ପ୍ରବେଶ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଭୂତ ଏଫ୍‌ଡିଆଇର ସିଂହ ଭାଗ ଭାରତରେ ପ୍ରବେଶ କରିଛି। ଲକ୍ସେମ୍ବର୍ଗ ଓ ନେଦରଲ୍ୟାଣ୍ଡ୍‌ର ଜାଲ୍ ସଂସ୍ଥା ମାଧ୍ୟମରେ ଅଧାରୁ ଅଧିକ ଭୂତ ଏଫ୍‌ଡିଆଇ ପଠାଯାଇଛି। ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ରେ ଭାରତକୁ ଏଭଳି ସ୍ଥାନରୁ ୧୧୦୦ କୋଟି ଡଲାର ଏଫ୍‌ଡିଆଇ ଆସିସାରିଲାଣି। ସିଙ୍ଗାପୁରରୁ ୫୦୦ କୋଟି ଡଲାର ଓ ମରିସସ୍‌ରୁ ୪୭୦ କୋଟି ଡଲାରର ଏଫ୍‌ଡିଆଇ ଭାରତକୁ ଆସିଛି। ୨୦୧୮-୧୯ରେ ଭାରତକୁ ମୋଟ୍‌ ୪୪୦୦ କୋଟି ଡଲାରର ଏଫ୍‌ଡିଆଇ ଆସିଥିଲା। ସେଥି ମଧ୍ୟରୁ ସିଙ୍ଗାପୁର ମାଧ୍ୟମରେ ୧୬୦୦ କୋଟି ଡଲାର, ମରିସସ୍‌ରୁ ୮୦୦ କୋଟି ଡଲାର ଏବଂ ନେଦରଲ୍ୟାଣ୍ଡ୍‌ରୁ ୪୦୦ କୋଟି ଡଲାରର ଏଫ୍‌ଡିଆଇ ଭାରତକୁ ଆସିଥିଲା।

ଆଇଏମ୍ଏଫ୍‌ ଜଣାଇଛି ଯେ, କର୍ପୋରେଟ୍ ଟିକସରେ ହେଉଥିବା ବୃଦ୍ଧି ଅନୁସାରେ ଭୂତ ଏଫ୍‌ଡିଆଇ ପରିମାଣ ବଢ଼ୁଛି। ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର ଠାରୁ ଏଫ୍‌ଡିଆଇ ନିବେଶ ହାର ଅଧିକ ହୋଇଛି। ସାରା ବିଶ୍ବରେ ଭୂତ ଏଫ୍‌ଡିଆଇର ନିବେଶ ମାତ୍ରା ବଢ଼ିବାରେ ଲାଗିଛି ବୋଲି ଆଇଏମ୍ଏଫ୍‌ କହିଛି।

ସମ୍ବନ୍ଧିତ ଖବର