ଋଣର ସବୁ ତଥ୍ୟ ଦେବେ ବ୍ୟାଙ୍କ: ତା’ ବାହାରେ ଟଙ୍କାଟିଏ ବି ନେଇପାରିବେନି

ମୁମ୍ବାଇ: ଦେଶରେ ବ୍ୟାଙ୍କ ଋଣ ପ୍ରଦାନ ବ୍ୟବସ୍ଥା ଆହୁରି ସ୍ବଚ୍ଛ ହେବ। ଗ୍ରାହକଙ୍କୁ ଋଣ ପ୍ରଦାନ ସମୟରେ ବ୍ୟାଙ୍କ ଏବଂ ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ଅନ୍ୟ ସଂସ୍ଥାଗୁଡ଼ିକ କି ଫ୍ୟାକ୍ଟ ଷ୍ଟେଟ୍‌ମେଣ୍ଟ (କେଏଫ୍‌ଏସ୍‌)ରେ ଯେଉଁ ସୂଚନା ଦେଇଥିବେ ତାହା ବାଦ୍‌ ଅନ୍ୟ କୌଣସି ଫି ଆଦାୟ କରିପାରିବେ ନାହିଁ। ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଏବଂ ଅନ୍ୟ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକୁ ଏଥିପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଋଣ ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଆସିବ। ଏଥିସହିତ ଋଣ ନେବା ସମୟରେ ମଧ୍ୟ ଗ୍ରାହକମାନେ ଆର୍ଥିକ ନି‌ଷ୍ପତ୍ତି ସେମାନଙ୍କ ପସନ୍ଦ ମୁତାବକ ନେବାରେ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ର ୪୫ଜେଏ, ୪୫ଏଲ୍‌ ଏବଂ ୪୫ ଏମ୍‌ ଏବଂ ବ୍ୟାଙ୍କିଂ ନିୟାମକ ଆଇନ ୧୯୪୯ର ଧାରା ୨୧, ୩୫ଏ ଓ ୫୬ ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଆଇନ ୧୯୮୭ର ଧାରା ୩୦ଏ ଏବଂ ୩୨ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ୨୦୨୪ ଫେବ୍ରୁଆରି ୮ ତାରିଖରେ ବିକାଶ ଏବଂ ନିୟାମକ ନୀତିରେ ଏ ସଂପର୍କରେ ଘୋଷଣା କରାଯାଇଛି। ଆର୍ଥିକ ଉତ୍ପାଦରେ ପ୍ରଦାନ କରାଯାଉଥିବା ତଥ୍ୟରେ ରହୁଥିବା ଅସମାନତାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ଯୋଜନା କରିଛି। ସମସ୍ତ ନିୟନ୍ତ୍ରିତ ସଂସ୍ଥା‌ ପ୍ରଦାନ କରୁଥିବା ଖୁଚୁରା ଓ ଏମ୍‌ଏସ୍‌ଏମ୍‌ଇ ଋଣ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ତୁରନ୍ତ ସବୁ ପ୍ରକାର ବ୍ୟବସ୍ଥା କରିବେ। ୨୦୨୪ ଅକ୍ଟୋବର ୧ କିମ୍ବା ତାହା ପରଠାରୁ ମଞ୍ଜୁର ହେଉଥିବା ସମସ୍ତ ଖୁଚୁରା ଓ ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ପ୍ରମୁଖ ତଥ୍ୟ କହିଲେ ନିୟନ୍ତ୍ରିତ ସଂସ୍ଥା ଏବଂ ଋଣ ନେଉଥିବା ବ୍ୟକ୍ତି ମଧ୍ୟରେ ଯେଉଁ ଋଣ ରାଜିନାମା ହେଉଛି ସେଥିରେ ରହୁଥିବା ମୁଖ୍ୟ ତଥ୍ୟଗୁଡ଼ିକୁ ବୁଝାଇଥାଏ। ଋଣ ସଂପର୍କରେ ସବୁ ବୁଝିବା ପରେ ଉଚିତ ନିଷ୍ପତ୍ତି ନେବାରେ ଗ୍ରାହକଙ୍କୁ ଏହି ମୌଳିକ ତଥ୍ୟ ସହାୟକ ହେବ। ସହଜ ଏବଂ ସରଳ ଭାବେ ବୁଝିପାରିଲା ଭଳି ‌ଭାଷାରେ ଏସବୁ ତଥ୍ୟ (କି ଫ୍ୟାକ୍ଟସ ଷ୍ଟେଟମେଣ୍ଟ) ଗ୍ରାହକଙ୍କୁ ଏକ ମାନକ ଫର୍ମାଟରେ ପ୍ରଦାନ କରାଯିବ। ଗ୍ରାହକଙ୍କ ଠାରୁ ସୁଧ ହାର ଏବଂ ଆନ୍ୟାନ୍ୟ ଚାର୍ଜ ବାବଦରେ ବର୍ଷକୁ କେତେ ଅର୍ଥ ନିଆଯିବ ତାହାକୁ ବାର୍ଷିକ ପ୍ରତିଶତ ହାର ହିସାବରେ ଦର୍ଶାଯିବ। ରିଜର୍ଭ ବ୍ୟାଙ୍କର କହିବାନୁଯାୟୀ ବ୍ୟାଙ୍କ ବା ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ସମ୍ଭାବ୍ୟ ଗ୍ରାହକଙ୍କୁ ଷ୍ଟାଣ୍ଡାର୍ଡାଇଜଡ ରୂପରେ ପ୍ରମୁଖ ତଥ୍ୟ ପ୍ରଦାନ କରିବେ। ଋଣ ରାଜିନାମା ହେବା ପୂର୍ବରୁ ସେମାନେ ଏହି ତଥ୍ୟ ଦେବେ। ସହଜ ଏବଂ ସରଳ ଭାଷାରେ ଏଗୁଡ଼ିକ ଲେଖାଯିବ। ଋଣ ନେଉଥିବା ଗ୍ରାହକଙ୍କୁ ଏ ସଂପର୍କରେ ବୁଝାଇ ଦିଆଯିବ। ଗ୍ରାହକ ବୁଝିଲେ ବୋଲି ତାଙ୍କଠାରୁ ସ୍ବୀକାରୋକ୍ତି ଆଣିବାକୁ ହେବ। କେଏଫ୍‌ଏସ୍‌ରେ ଉଲ୍ଲେଖ ନଥିବା କୌଣସି ଫି, ଚାର୍ଜ ଗ୍ରାହକଙ୍କ ବିନା ସମ୍ମତିରେ ଋଣ ଅବଧି ମଧ୍ୟରେ ଆଦାୟ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର