ସୁନା ଆଉ ୯୮୦ ଟଙ୍କା ମହଙ୍ଗା: ୭୪ ହଜାର ଟଙ୍କା ଟପିଲା

ଭୁବନେଶ୍ବର: ସୁନା ମୂଲ୍ୟରେ ବୃଦ୍ଧିର ଧାରା ଅବ୍ୟାହତ ରହିଥିବା ବେଳେ ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍‌ରେ ୯୮୦ ଟଙ୍କାର ବୃଦ୍ଧି ହୋଇ ୭୪, ୧୩୦ ଟଙ୍କା ହୋଇଯାଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନା ଦାମ୍ ୯୦୦ ଟଙ୍କା ବୃଦ୍ଧି ପାଇ ୬୭,୯୫୦ ଟଙ୍କା ହୋଇଛି। ଏପ୍ରିଲ୍ ମାସରେ ରାଜଧାନୀରେ ସୁନାରେ ସାଢ଼େ ଚାରି ହଜାର ଟଙ୍କାର ବୃଦ୍ଧି ଘଟିଛି। ମାସର ପ୍ରଥମ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୬୩,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ଦାମ୍ ୬୯,୩୮୦ ଟଙ୍କା ଥିଲା। ଗତ ୧୬ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୩୫୦ ଟଙ୍କା ବୃଦ୍ଧି ପାଇ ୬୭,୯୫୦ ଟଙ୍କା ହୋଇଯାଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୪୭୫୦ ଟଙ୍କା ବୃଦ୍ଧି ପାଇ ୭୪,୧୩୦ ଟଙ୍କା ହୋଇଛି। ମଙ୍ଗଳବାର ରୁପାର କେଜି ପିଛା ଦାମ୍ ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୯୦,୫୦୦ ଟଙ୍କା ହୋଇଛି।

ବିଶ୍ବବ୍ୟାପୀ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ବିଚାରକୁ ନେଇ ଅନେକ ଏଜେନ୍ସି ସୁନା ଦରରେ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛନ୍ତି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୪୦୦ ଡଲାର ରହିଛି। ଆଗାମୀ ଦିନରେ ତାହା ୩୦୦୦ ଡଲାରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଯଦି ତାହା ହେବ ତେବେ ଭାରତରେ ସୁନାର ମୂଲ୍ୟ ଆହୁରି ବଢ଼ିବ। ଜାତୀୟ ସ୍ତରରେ ଚଳିତ ବର୍ଷର ପ୍ରଥମ ତିନି ମାସରେ ସୁନା ମୂଲ୍ୟ ୧୬ ପ୍ରତିଶତ ବଢ଼ିଛି। ୨୦୨୨ ଓ ୨୩ରେ ସୁନା ୧୫ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା। ଅର୍ଥାତ ଯେଉଁମାନେ ସୁନାରେ ନିବେଶ କରିଛନ୍ତି ସେମାନଙ୍କୁ ଚମତ୍କାର ରିଟର୍ଣ୍ଣ ମିଳିଛି। କିନ୍ତୁ ଗ୍ରାହକଙ୍କ ଦୃଷ୍ଟିରୁ ଯଦି ବଜାରକୁ ଦେଖାଯିବ ତେବେ ଏହା ହେଉଛି ସେମାନଙ୍କ ପାଇଁ ସବୁଠୁ କଷ୍ଟକର ସମୟ। ଆଗକୁ ବିବାହ ଋତୁ ଓ ଅକ୍ଷୟ ତୃତୀୟ ଆସୁଥିବା ବେଳେ ସୁନାର ଏଭଳି ଚଢ଼ା ଦାମ୍‌ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। କିନ୍ତୁ ସ୍ଥାନୀୟ ସୁନା ବ୍ୟବସାୟୀମାନେ ଅକ୍ଷୟ ତୃତୀୟାକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି।

ସମ୍ବନ୍ଧିତ ଖବର