ସଂସଦରେ ତେଲ ଟିକସ ଆୟ ତଥ୍ୟ ଦେଲେ ସରକାର: ପେଟ୍ରୋଲ୍‌ରୁ ୩୩, ଡିଜେଲ୍‌ରୁ ୩୨ ଟଙ୍କା

ନୂଆଦିଲ୍ଲୀ: ପେ‌ଟ୍ରୋଲ୍ ଓ ଡିଜେଲ୍‌ରୁ କେନ୍ଦ୍ର ସରକାର ଟିକସ ଜରିଆରେ କରୁଥିବା ଆୟର ତଥ୍ୟ ଦେଇଛନ୍ତି। ୨୦୨୦ ମେ’ ୬ ପରଠାରୁ ଏକ ଲିଟର ପେଟ୍ରୋଲ୍‌ରୁ ୩୩ ଟଙ୍କା ଓ ଡିଜେଲ୍‌ରୁ ୩୨ ଟଙ୍କାର ଟିକସ ସଂଗ୍ରହ କରାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସେସ୍‌ ଓ ସର୍‌ଚାର୍ଜ ଆଦି ତେଲରୁ ଆଦାୟ କରାଯାଉଛି ବୋଲି ସରକାର ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୨୦ ‌ମାର୍ଚ୍ଚରୁ ମେ’ ୫ ଭିତରେ ପେଟ୍ରୋଲ୍‌ରୁ ୨୩ ଟଙ୍କା ଓ ଡିଜେଲ୍‌ରୁ ୧୯ ଟଙ୍କାର ଟିକସ ସଂଗ୍ରହ କରାଯାଉଥିଲା। ଏହା ପୂର୍ବ ତିନି ମାସ ଅର୍ଥାତ ୨୦୨୦ ଜାନୁଆରି ୧ରୁ ମାର୍ଚ୍ଚ ୧୩ ଭିତରେ ପେଟ୍ରୋଲ୍‌ରୁ ୨୦ ଟଙ୍କା ଓ ଡିଜେଲ୍‌ରୁ ୧୬ ଟଙ୍କାର ଟିକସ ଆଦାୟ କରାଯାଉଥିଲା।

୨୦୨୦ ଜାନୁଆରି ୧ ତୁଳନାରେ ସରକାର ଏବେ ପେଟ୍ରୋଲ୍‌ରେ ଅଧିକ ୧୩ ଟଙ୍କା ଓ ଡିଜେଲ୍‌ରେ ୧୬ ଟଙ୍କାର ଟିକସ ସଂଗ୍ରହ କରୁଛନ୍ତି। ତେଲ ଉପରେ ଲଗାଯାଇଥିବା ଟିକସ ସମ୍ପର୍କରେ ଲୋକସଭାରେ ତଥ୍ୟ ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ତେଲ ଦର ବିଭିନ୍ନ ପ୍ରକାର ଉପାଦାନ ଉପରେ ନିର୍ଭରଶୀଳ। ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ନଜରରେ ରଖି ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଲାଗି ସମ୍ବଳ ଯୋଗାଡ଼ କରିବା ପାଇଁ ତେଲ ଉପରେ ଅଧିକ ଟିକସ ଲଗାଯାଇଥିବା ସେ କହିଛନ୍ତି। ତେବେ ହଠାତ୍‌ ଦୁଇ ସପ୍ତାହ ହେଲାଣି କାହିଁକି ତେଲ ଦର ଅପରିବର୍ତ୍ତିତ ରହିଛି ତାହାକୁ ନେଇ ସରକାର ଚୁପ୍ ରହିଛନ୍ତି। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଜାଣିଶୁଣି ସରକାର ତେଲ ଦରବୃଦ୍ଧିକୁ ଅଟକାଇ ଦେଇଥିବା ଅଭିଯୋଗ ହେଉଛି। ତେବେ ପେଟ୍ରୋଲ, ଡିଜେଲ ଦରକୁ ନିୟନ୍ତ୍ରିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମିଳିତଭାବେ କାର୍ଯ୍ୟ କରିବା ଉଚିତ। ରାଜ୍ୟ ସରକାରମାନେ ତେଲ ଉପରୁ ଟିକସ କମାଇବା ପାଇଁ ଅର୍ଥରାଷ୍ଟ୍ର ମନ୍ତ୍ରୀ ଆହ୍ବାନ କରିଛନ୍ତି। ଏହାପରେ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅ‌େଶାଧିତ ତେଲ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଏବଂ ପ୍ରାକୃତିକ ଗ୍ୟାସ୍‌କୁ ବର୍ତ୍ତମାନ ଜିଏସ୍‌ଟି ପରିସରଭୁକ୍ତ କରାଯିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏସବୁ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଲାଗି ପରିଷଦ ପକ୍ଷରୁ କୌଣସି ସୁପାରିସ କରାଯାଇ ନାହିଁ। ରାଜସ୍ବ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଦେଖିବା ପରେ ଉପଯୁକ୍ତ ସମୟରେ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରକୁ ଅଣାଯାଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର