ଆୟକର କର୍ମଚାରୀଙ୍କ ରିଲେ ଧାରଣା

ଭୁବନେଶ୍ବର: କର୍ମଚାରୀମାନଙ୍କ ୧୦ ଦଫା ଦାବି ନେଇ ଆୟକର କର୍ମଚାରୀ ମହାସଂଘ ଡାକରାରେ ସାରା ଭାରତରେ ମାର୍ଚ୍ଚ ୩ରୁ ୩ ଘଣ୍ଟିଆ ରିଲେ ଧାରଣା ଅନୁଷ୍ଠିତ ହେଉଛି। ଦେଶର ବିଭିନ୍ନ ସ୍ଥାନ‌ରେ ବିଭାଗ ଦ୍ବାରା କରାଯାଉଥିବା ସର୍ଭେ ଓ ସର୍ଚ୍ଚରେ ମଧ୍ୟ କର୍ମଚାରୀମାନ ଅସହଯୋଗ କରୁଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷଙ୍କ ନୀତି ଓ କର୍ମଚାରୀଙ୍କ ଯୁକ୍ତିଯୁକ୍ତ ଦାବି ପୂରଣ କରିବାରେ ଅନାଗ୍ରହ ହେତୁ ମହାସଂଘ ତରଫରୁ ଏଭଳି ଡାକରା ଦିଆଯାଇଛି। ମହାସଂଘ କରିଥିବା ଦାବିଗୁଡ଼ିକ ହେଉଛି ଅନ୍ତଃ ରାଜ୍ୟ ବଦଳି, ନିଯୁକ୍ତି ନିୟମାବଳୀରେ ସଂଶୋଧନ, କ୍ଷେତ୍ରୀୟ ଭିତ୍ତିକ ନିଯୁକ୍ତି ଏବଂ କ୍ୟାଡର୍‌ ରିଭ୍ୟୁ ଆଦି। ବର୍ଷ ବର୍ଷ ଧରି ଏହି ଦାବିଗୁଡ଼ିକୁ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଥିବା ମହାସଂଘ ତରଫରୁ କୁହାଯାଇଛି। ଏହି ଆନ୍ଦୋଳନାତ୍ମକ ଘଟଣାକ୍ରମରେ ଆୟକର କର୍ମଚାରୀ ମହାସଂଘ ଓଡ଼ିଶା ଶାଖାର ସଦସ୍ୟମାନେ ଆଜି ଷଷ୍ଠ ଦିନରେ ଭୁବନେଶ୍ବର ସ୍ଥିତ ଆୟକର ଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବିଗୁଡ଼ିକ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଧାରଣା କାର୍ଯ୍ୟକ୍ରମକୁ କେ ଏସ୍‌ ଏନ୍ ପାତ୍ର, ସୁରେଶ ମହାପାତ୍ର, ଏମ୍‌ କେ ସାଇ, ଧୀରେନ୍ଦ୍ର କୁମାର ସାହୁ, ଲଳିତ କୁମାର ପଣ୍ଡା ଓ ରାଧେଶ୍ୟାମ ଗିରି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର