ମୋବାଇଲ୍ ଗ୍ରାହକ ସଂଖ୍ୟା ୩୦ ହଜାର କମିଲା

ଭୁବନେଶ୍ବର: ଗତବର୍ଷ ନଭେମ୍ବର ମାସରେ ୩୦ ହଜାର ପୁରୁଣା ଗ୍ରାହକ ମୋବାଇଲ୍ ନେଟ୍‌ୱର୍କରୁ ବାହାରି ଯାଇଛନ୍ତି। ରାଜ୍ୟରେ ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରିଟି ସଂସ୍ଥା ମଧ୍ୟରୁ କେବଳ ଏୟାରଟେଲ୍‌ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଅନ୍ୟ ତିନିଟି ସଂସ୍ଥା ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ ନିଜ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପୃକ୍ଷ (ଟ୍ରାଇ) ଜାରି କରିଥିବା ଗ୍ରାହକ ତଥ୍ୟ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୦ ନଭେମ୍ବରରେ ଏୟାରାଟେଲ୍‌ ୧,୧୫,୫୪୨ ଜଣ ନୂଆ ଗ୍ରାହକ ହାସଲ କରିଛି। ଏହି ମାସରେ ରିଲାଏନ୍ସ ଜିଓ ୧,୧୧,୯୨୦, ବିଏସ୍‌ଏନ୍‌ଏଲ୍‌ ୩୧,୩୦୬ ଓ ଭୋଡାଫୋନ୍ ଆଇଡିଆ ୨,୩୪୭ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ମୋଟ ଉପରେ ଦେଖିଲେ ଏହି ମାସରେ ୧,୪୫,୫୭୩ ଜଣ ପୁରୁଣା ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରୁ ବାହାରି ଯାଇଛନ୍ତି। ସେଥିପାଇଁ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୪ ଲକ୍ଷ ୨୭ ହଜାର ୧୦୪କୁ ହ୍ରାସ ପାଇଛି। ଏଥିରୁ ଏୟାରଟେଲ୍ ପାଖରେ ୧ କୋଟି ୮୭ ଲକ୍ଷ, ଭୋଡାଫୋନ୍ ଆଇଡିଆ ପାଖରେ ୨୦ ଲକ୍ଷ ୩୧ ହଜାର, ବିଏସ୍‌ଏନ୍‌ଏଲ୍‌ରେ ୬୨ ଲକ୍ଷ ୪୬ ହଜାର ଓ ରିଲାଏନ୍ସ ଜିଓ ପାଖରେ ୧ କୋଟି ୪୧ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି।

ନିଜର ଆର୍ଥିକ ସ୍ଥିତ‌ିରେ ସୁଧାର ଆଣିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ଯେବେଠାରୁ ରିଚାର୍ଜ ମୂଲ୍ୟରେ ୨୦-୨୫% ବୃଦ୍ଧି କରିଛନ୍ତି ତା’ ପରଠାରୁ ଏକାଧିକ ସିମ୍ ରଖିବା ବହୁ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଯେହେତୁ ବଜାରରେ ମିଳୁଥିବା ଅଧିକାଂଶ ରିଚାର୍ଜରେ ଡାଟା ମିଶ୍ରିତ ହୋଇ ରହୁଛି ତେଣୁ ୨ଜି ଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ମଧ୍ୟ ସେହି ପ୍ଲାନ୍ କିଣିବାକୁ ପଡ଼ୁଛି, କିନ୍ତୁ ସେମାନେ ଡାଟା ବ୍ୟବହାର କରିପାରୁନାହାନ୍ତି। ଡୁଆଲ୍ ସିମ୍ ରଖିଥିବା ଗ୍ରାହକମାନେ ଦୁଇଟି ସିମ୍‌ରେ ଯଦି ତିନି ମାସିଆ ପ୍ଲାନ୍ ରିଚାର୍ଜ କରୁଛନ୍ତି ତେବେ ସେମାନଙ୍କୁ ଏକକାଳୀନ ୧୩୦୦-୧୪୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି। ସର୍ବନିମ୍ନ ରିଚାର୍ଜ ପ୍ଲାନ୍‌ ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଯାଇଛି। ସେଥିପାଇଁ ବହୁ ଗ୍ରାହକଙ୍କ ପାଇଁ ଏକାଧିକ ମୋବାଇଲ୍ ସଂଯୋଗ ରଖିବା କଷ୍ଟକର ହେଉଛି। ଏହା ମୋବାଇଲ୍‌ ସଂଯୋଗ ସଂଖ୍ୟ‌ାରେ ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର