ପିଆଜ ଦାମ୍ ଏତେବି ବଢ଼ିନି ଯେ କଟକଣା ଦରକାର: ଖାଦ୍ୟ ସଚିବ

ନୂଆଦିଲ୍ଲୀ: ପିଆଜ ୪୫ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବାରୁ ସାଧାରଣ ଜନତା ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କିନ୍ତୁ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେଙ୍କ ପାଇଁ ଏହା କୌଣସି ବଡ଼ ଚିନ୍ତାର ବିଷୟ ନୁହେଁ। ଆଜି ସେ କହିଛନ୍ତି ଯେ ପିଆଜ ଦାମ୍‌ ଏତେବି ବଢ଼ିନି। ପିଆଜର ହାରାହାରି ମୂଲ୍ୟ ଗତବର୍ଷ ତୁଳନାରେ କମ୍ ରହିଛି। ଏହି ଦର ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରପ୍ତାନି ଉପରେ କଟକଣା ଲଗାଇବା ସମୟ ଆସିନି ବୋଲି ସେ କହିଛନ୍ତି।

ଶ୍ରୀ ପାଣ୍ଡେ କହିଛନ୍ତି ଯେ ଅକ୍ଟୋବର ୨୧ରେ ପିଆଜର କେଜି ପିଛା ଦାମ୍ ୪୧ ଟଙ୍କା ୫୦ ପଇସା ଥିଲା। କିନ୍ତୁ ବର୍ଷକ ପୂର୍ବରୁ ଏହି ସମୟରେ ପିଆଜ ମୂଲ୍ୟ ୫୫ ଟଙ୍କା ୬୦ ପଇସା ଥିଲା। ସରକାରୀ ତଥ୍ୟ ଅନୁସାରେ ଦିଲ୍ଲୀରେ ପିଆଜ ଦାମ୍ ୪୮ ଟଙ୍କା, ମୁମ୍ବାଇରେ ୪୩ ଟଙ୍କା, ଚେନ୍ନାଇରେ ୩୭ ଟଙ୍କା ଓ କୋଲକାତାରେ ୫୭ ଟଙ୍କା ରହିଛି। ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ପିଆଜର ଯେଉଁ ୨ ଲକ୍ଷ ଟନ୍‌ର ଭଣ୍ଡାର ସୃଷ୍ଟି କରାଯାଇଛି ସେଥିରୁ ପ୍ରାୟ ୮୧ ହଜାର ଟନ୍‌ ବଜାର‌କୁ ଛଡ଼ାଯାଇଛି। ଏବେବି ଆହୁରି ଏକ ଲକ୍ଷ ଟନ୍‌ରୁ ଅଧିକ ପିଆଜ ଭଣ୍ଡାରରେ ରହିଛି। ଯଦି ଦର ବେଲଗାମ ହେବ ତେବେ ତାହାକୁ ବଜାରରେ ଭର୍ତ୍ତି କରାଯିବ। ଗତବର୍ଷ ତୁଳନାରେ ପିଆଜ ରପ୍ତାନି ମଧ୍ୟ କମ୍ ରହିଛି। ତେଣୁ ରପ୍ତାନି କଟକଣା ବିଷୟରେ ସରକାର ବିଚାର କରୁନାହାନ୍ତି। ଏବେ କେବଳ ସ୍ଥିତି ଉପରେ ନଜର ରଖାଯାଇଛି। ଖରିଫ ଋତୁରେ ରେକର୍ଡ ୭-୮ ଟନ୍‌ ପିଆଜ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ସେହି ପିଆଜ ବଜାରରେ ପହଞ୍ଚିବା ପରେ ଆପେ ଦାମ୍ ହ୍ରାସ ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର