ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଖଣ୍ଡା ବୁଲିବା ଘଟଣା: କାର୍, ସ୍କୁଟି ସମେତ ମାରଣାସ୍ତ୍ର ଜବତ

ଭୁବନେଶ୍ବର: ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟ୍‌ସ୍ଥିତ ଅମ୍ରିତା କମ୍ପ୍ଲେକ୍ସରେ ଖଣ୍ଡା ବୁଲିବା ଘଟଣା‌ରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ସଂପର୍କରେ ଆଜି ନୂଆପଲ୍ଲୀ ଥାନା ପୁଲିସକୁ ବିଭିନ୍ନ ସୁରାକ ମିଳିଛି। ପୁଲିସ ଆଜି ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ଏକ ଏକ୍ସୟୁଭି କାର୍‌ ଓ ଗୋଟିଏ ସ୍କୁଟି ଜବତ କରିଛି। ସେହିପରି କାର୍‌ ଭିତରୁ ଏକ ହାତ ତିଆରି ମାରଣାସ୍ତ୍ର ଚକ୍ରି ଓ ଦକ୍ଷିଣୀ କାତି ସମେତ ଏକାଧିକ ମାରଣାସ୍ତ୍ର ଜବତ କରିଛି। ଜବତ ହୋଇଥିବା କାର୍‌, ସ୍କୁଟି ଆଧାରରେ ପୁଲିସ ତଦନ୍ତ ଆଗକୁ ବଢ଼ାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି।

ଅପରପକ୍ଷେ ଅଭିଯୁକ୍ତମାନଙ୍କ ଫୋନ୍ ଲୋକେସନ୍ ବାହାର କରିବା ପାଇଁ ପୁଲିସ ଟାଵାର ଡମ୍ପିଂ କରୁଥିବା ଜଣାପଡ଼ିଛି। ଘଟଣାରେ ସଂଶ୍ଲିଷ୍ଟ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଘଟଣାର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି। ତେଣୁ ତାକୁ ଉଠାଇବା ପାଇଁ ପୁଲିସ ଯୋଜନା ଚଳାଇଥିବା ଜଣାପଡ଼ିଛି। ଗତକାଲି କମଣ୍ଟେମରା ଘଟଣା ପରେ ପୁଲିସ ପୁଅ ବିପକ୍ଷଗୋଷ୍ଠୀଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଓ କିଛି ଯୁବକ ଧରି ଆସିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, କମେଣ୍ଟମରାକୁ କେନ୍ଦ୍ର କରି ଗତରାତିରେ ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟସ୍ଥିତ ଅମ୍ରିତା କମ୍ପ୍ଲେକ୍ସରେ ଖଣ୍ଡା ବୁଲିଥିଲା। ପ୍ରାୟ ୨୦ରୁ ଅଧିକ ଦୁର୍ବୃତ୍ତ ଘଟଣାସ୍ଥଳରେ ୫ରୁ ଅଧିକ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ।

ଭୁଲ୍ କାର୍ ନମ୍ବର୍ ଓ ହାତ ତିଆରି ମାରଣାସ୍ତ୍ରକୁ ନେଇ ପୁଲିସର ତନାଘନା
ମାର୍କେଟ୍ କମ୍ପ୍ଲେକ୍ସ ନିକଟରୁ ପୁଲିସ ଆଜି ଜବତ କରିଥିବା ଏକ୍ସୟୁଭି କାର୍‌ର ନମ୍ବର ପ୍ଲେଟ୍ ଆର୍‌ଟିଓ ଦ୍ବାରା ଜାରି ସାଧାରଣ ନମ୍ବର ପ୍ଲେଟ୍ ନୁହେଁ। ଫ୍ୟାନ୍ସି ନମ୍ବର ପ୍ଲେଟ୍‌ରେ ଉଲ୍ଲେଖ ଥିବା ଲେଖା ହୋଇଥିବା ନମ୍ବର (ଓଡି ୦୨ ୭୦୭୦)ଟି ଉକ୍ତ ଗାଡ଼ିର ନୁହେଁ ବୋଲି ପୁଲିସ ଜାଣିବାକୁ ପାଇଛି। ସେହିଭଳି ଗାଡ଼ିରେ ସିଂହର ଚିତ୍ର ସାଙ୍ଗକୁ ନମ୍ବର ପ୍ଲେଟ୍‌ରେ ଏକେ-୪୭ର ଚିହ୍ନ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପକୁ ସ୍ପଷ୍ଟ ଇଙ୍ଗିତ କରୁଛି। ଅପରପକ୍ଷେ ଜବତ ହୋଇଥିବା ମାରଣାସ୍ତ୍ରକୁ ନେଇ ବି ପୁଲିସର ଚିନ୍ତା ବଢ଼ିଛି। ଅଭିଯୁକ୍ତଙ୍କ କାର୍‌ରୁ ଜବତ ଏକ ମାରଣାସ୍ତ୍ର ହାତତିଆରି ଚକ୍ର ଭଳି। ସାଇକେଲ୍‌ର କ୍ରାଙ୍କକୁ ୱେଲଡିଂ କରି ଏକ ଲୁହାରଡ୍‌ରେ ଲଗାଯାଇଛି। ଏଭଳି ମାରଣାସ୍ତ୍ର କେବଳ ହତ୍ୟା କିମ୍ବା ଆପରାଧିକ କାଣ୍ଡ ଭିଆଇବା ପାଇଁ ନିର୍ମାଣ ହୋଇଛି। ତେବେ ଏଭଳି ବିପଜ୍ଜନକ ମାରଣାସ୍ତ୍ର କେଉଁଠାରେ ନିର୍ମାଣ ହେଉଛି ଏବଂ ଏହାକୁ ତିଆରି କରି ଅପରାଧକୁ କିଏ ପ୍ରଶ୍ରୟ ଦେଉଛି, ତାହା ଜାଣିବା ପାଇଁ ପୁଲିସ ପାଇଁ କାଠିକର ପାଠ ହୋଇଛି।

ସମ୍ବନ୍ଧିତ ଖବର