ବିଦ୍ୟୁତ ଦର ନିର୍ଧାରଣ କ୍ଷମତା ରାଜ୍ୟ ଆୟୋଗ ପାଖରେ ରହିବ, ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ କମିଟିର ମୁଖ୍ୟ

ବିଦ୍ୟୁତ ଆୟୋଗରେ ନିଯୁକ୍ତି ପାଇଁ ରହିବ ଭିନ୍ନ ଚୟନ କମିଟି

ଭୁବନେଶ୍ବର: ‌ରାଜ୍ୟଗୁଡ଼ିକର କୌଣସି କ୍ଷମତା କେନ୍ଦ୍ର ହରଣ କରିବାକୁ ଚାହୁନାହିଁ। ବିଦ୍ୟୁତ କ୍ଷେତ୍ରରେ ଯେଉଁ ସଂସ୍କାର ପ୍ରସ୍ତାବ ରହିଛି ତାହା କେବଳ ଗ୍ରାହକଙ୍କୁ ଅଧିକ ସଶକ୍ତ କରିବ। ଏହି କ୍ଷେତ୍ରରେ ସ୍ବଚ୍ଛତା ଆସିବ। ବିଦ୍ୟୁତ ଦର ନିର୍ଧାରଣ କରିବା କ୍ଷମତା ପୂର୍ବ ଭଳି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଏସ୍‌ଇଆର୍‌ସି) ପାଖରେ ରହିବ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର୍‌ କେ ସିଂହ କହିଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟଗୁଡ଼ିକରେ ଥିବା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତ କରିବାର କୌଣସି କ୍ଷମତାକୁ ରାଜ୍ୟଗୁଡ଼ିକ ଠାରୁ କେନ୍ଦ୍ର ସରକାର ହରଣ କରୁନାହାନ୍ତି। ପୂର୍ବଭଳି ନିଯୁକ୍ତି ଚୟନ କମିଟିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ସଂଖ୍ୟକ ସଦସ୍ୟ ରହିବେ। ପୂର୍ବରୁ ଏହି କମିଟିର ମୁଖ୍ୟ ଭା‌ବେ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରାଯାଉଥିଲା। ମାତ୍ର ସଂଶୋଧିତ ବିଲ୍‌ରେ ପ୍ରସ୍ତାବ ରଖାଯାଇଥିଲା ଯେ, ନିଯୁକ୍ତି ଚୟନ କମିଟିର ମୁଖ୍ୟ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଥିବା ଜଣେ ବିଚାରପତିଙ୍କୁ ନିଯୁକ୍ତ କରାଯିବ। ଏକାଧିକ ଚୟନ କମିଟି ବଦଳରେ ଗୋଟିଏ କମିଟିର ବ୍ୟବସ୍ଥା କରାଯିବ। ରାଜ୍ୟଗୁଡ଼ିକରେ ଏକାଧିକ ଚୟନ କମିଟି ରହିବା ଓ ନିୟମିତ ବ୍ୟବଧାନରେ କମିଟି ଗଠନ କରାଯାଉଥିବାରୁ ସଦସ୍ୟ ଓ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିଲା। କେତେକ କ୍ଷେତ୍ରରେ ଚୟନ କମିଟି ଗଠନ କରିବା ଲାଗି ଦୁଇ ବର୍ଷ ପର୍ଯ୍ୟନ୍ତ ସମୟ ଲାଗୁଥିଲା। ଏହା ଦ୍ବାରା ବିଦ୍ୟୁତ ଆୟୋଗର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ସେହି ସମସ୍ୟା ଦୂର କରିବା ଲାଗି ସଂଶୋଧିତ ବିଦ୍ୟୁତ ବିଲ୍‌ରେ ଚୟନ କମିଟିକୁ ନେଇ କେତେକ ନୂଆ ପ୍ରସ୍ତାବ ରଖାଯାଇଥିଲା ଓ ତାହା ଉପରେ ମତାମତ ମଗାଯାଇଥିଲା। ମିଳିଥିବା ମତାମତକୁ ବିଚାରକୁ ନେବା ପରେ ସରକାର ପୂର୍ବ ପ୍ରସ୍ତାବରେ ସଂଶୋଧନ କରିଛନ୍ତି। ପୂର୍ବରୁ ଯେମିତି ଚାଲୁଥିଲା ସେହି ଢାଞ୍ଚାରେ ରାଜ୍ୟଗୁଡ଼ିକରେ ଭିନ୍ନ ଭିନ୍ନ ଚୟନ କମିଟି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟୁତ ଆୟୋଗର ଫାଙ୍କା ପଦ ପୂରଣ କରିବା ଲାଗି ଆଗକୁ ଆଉ ପ୍ରତି ଥର ନୂଆ କମିଟି ଗଠନ କରିବାକୁ ପଡ଼ିବ ନାହିଁ।

ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ ଓ ତାହାର ମୁଖ୍ୟ ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି କାର୍ଯ୍ୟ କରିବେ। ସେହି କମିଟି ଫାଙ୍କା ପଦ ପୂରଣ କରିବା କାର୍ଯ୍ୟ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ପ୍ରସ୍ତାବିତ ବିଦ୍ୟୁତ (ସଂଶୋଧନ) ବିଲ୍‌, ୨୦୨୦ ଜରିଆରେ ଯେଉଁ ସଂସ୍କାର ଆଣାଯିବ ତାହା ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବ ଏବଂ ସର୍ବୋପରି ଶକ୍ତି କ୍ଷେତ୍ରର ବିକାଶରେ ସହାୟକ ହେବ। ରାଜ୍ୟଗୁଡ଼ିକ ଦେଉଥିବା ସବ୍‌ସିଡି ଉପରେ ମଧ୍ୟ କୌଣସି କଟକଣା ଲଗାଯିବ ନାହିଁ। ସେମାନେ ଯେତେ ପରିମାଣର ସବ୍‌ସିଡି ଚାହିବେ ଦେଇପାରି‌ବେ। କିନ୍ତୁ ତାହାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଦେବାକୁ ହେବ। ଏହା ହେଲେ ଗ୍ରାହକମାନେ ଠିକ୍ ସମୟରେ ଡିସ୍‌କମ୍‌ଗୁଡ଼ିକୁ ସେମାନଙ୍କ ଦେୟ ଦେଇପାରିବେ। ଏହା ଦ୍ବାରା ଡିସ୍‌କମ୍‌ଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ରହିବ ଫଳରେ ସେମାନେ ଟ୍ରାନ୍ସଫର ଓ ବିଦ୍ୟୁତ ଲାଇନ୍‌ଗୁଡ଼ିକର ଠିକ୍ ଭାବେ ରକ୍ଷଣାବେକ୍ଷଣ କରିବା ସହ ଗୁଣାତ୍ମକ ବିଦ୍ୟୁତ କିଣି ଗ୍ରାହକଙ୍କ ନିକଟରେ ପହଞ୍ଚାଇପାରିବେ ବୋଲି ସେ କହିଛନ୍ତି। ବିଦ୍ୟୁତ କ୍ଷେତ୍ରରେ ବ୍ୟବସାୟ ବାତାବରଣକୁ ସହଜ କରିବା, ଏହି କ୍ଷେତ୍ରର ନିରନ୍ତରତା ବଢ଼ାଇବା, ସବୁଜ ଶକ୍ତିର ବ୍ୟବସ୍ଥା କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବିଦ୍ୟୁତ ନିୟମ ୨୦୦୩ରେ କେନ୍ଦ୍ର ସରକାର ସଂଶୋଧନ କରୁଛନ୍ତି। ଏହାକୁ ବିଦ୍ୟୁତ (ସଂଶୋଧିତ) ବିଲ୍, ୨୦୨୦ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ରହିଥିବା କେତେକ ପ୍ରସ୍ତାବକୁ ନେଇ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବାରୁ ସେଗୁଡ଼ିକରେ କୌଣସି ସତ୍ୟତା ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର