ଟୟୋଟାର ନୂଆ ‘କୁଲ୍‌ ନିଉ ଗ୍ଲାଞ୍ଜା’: ଏକ୍ସ ସୋ’ରୁମ୍ ଦାମ୍ ୬.୩୯ ଲକ୍ଷ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: ପଟିଆସ୍ଥିତ ଇସ୍ପିରିଟ୍ ଟୟୋଟାରେ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ନୂଆ ‘କୁଲ୍ ନିଉ ଗ୍ଲାଞ୍ଜା’କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୬,୩୯,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର କରିବାକୁ ପସନ୍ଦ କରୁଥିବା ଏବଂ ଗାଡ଼ିରେ ମୂଲ୍ୟ‌ ଖୋଜୁଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ବହୁ କନେକ୍ଟେଡ୍ ବୈଶିଷ୍ଟ୍ୟ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ଯାହା ଗ୍ରାହକମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରିବ। ରାସ୍ତାରେ ଗାଡ଼ି ବେଶ ପ୍ରଭାବଶାଳୀ ଦେଖାଯିବ ଓ ଏହା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବ।

ନୂଆ ଗ୍ଲାଞ୍ଜାରେ ଟୟୋଟା ଭଏସ୍‌ ଆସିଷ୍ଟ, ୩୬୦ ଡିଗ୍ରି କ୍ୟାମେରା, ୬ ଏୟାରବ୍ୟାଗ, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍ (ଏବିଏସ) ସହିତ ଇବିଡି ଓ ଗାଡ଼ି ସ୍ଥିରତା ନିୟନ୍ତ୍ରଣ ଭଳି ବ୍ୟବସ୍ଥା ରହିଛି। ଏଥିରେ ୧୧୯୭ ସିସିର ଇନ୍ଧନ ମିତବ୍ୟୟୀ କେ-ସିରିଜ୍ ଇଞ୍ଜିନ ବ୍ୟବହାର କରାଯାଇଛି ଯାହା ଲିଟର ପିଛା ୨୨ କିମିରୁ ଅଧିକ ମାଇଲେଜ୍ ପ୍ରଦାନ କରୁଛି। ଉଭୟ ମାନୁଆଲ୍ ଓ ଅଟୋମେଟିକ୍ ଟ୍ରାନ୍ସମିସନରେ ପାଞ୍ଚଟି ‌ଆକର୍ଷଣୀୟ ରଙ୍ଗରେ ଇ, ଏସ୍‌, ଜି ଓ ଭି ଭଳି ଚାରିଟି ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ ହୋଇଛି। ଗ୍ରାହକମାନେ ୧୧ ହଜାର ଟଙ୍କା ଦେଇ ଏହାର ବୁକିଂ ଉଭୟ ଡିଲରସିପ୍ ଓ ଅନ୍‌ଲାଇନ୍‌ରେ କରିପାରିବେ। ଚଳିତ ମାସରୁ ଗାଡ଼ି ଡେଲିଭରି ଆରମ୍ଭ କରାଯିବ। ଏହି ଅବସରରେ ୟୁନିୟନ ବ୍ୟାଙ୍କର ଡିଜିଏମ୍ ଶୋଭନ ସେନଗୁପ୍ତା, ଏସବିଆଇର ମୁଖ୍ୟ ପ୍ରବନ୍ଧକ ସସ୍ମିତା ଜେନା, ଇସ୍ପିରିଟ୍ ଟୟୋଟାର ନିର୍ଦେଶକ ସୁନୀଲ ତନେଜା, ସିଇଓ ରାଜେଶ ଗଣ୍ଡୋତ୍ରା ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର