‘ଏକ୍ସ’ ବ୍ୟବହାରକାରୀ ଗଣିବେ ଶୁଳ୍କ: କେତେ ପଡ଼ିବ ସ୍ପଷ୍ଟ ହୋଇନି

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’କୁ ଆଉ ମାଗଣାରେ ବ୍ୟବହାର କରିହେବନି। ଏହାର ସେବା ପାଇବା ଲାଗି ଆଗକୁ ଶୁଳ୍କ ଗଣିବାକୁ ପଡ଼ିବ। ପୂର୍ବରୁ ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ବିଶେଷ ଅସୁବିଧା ହେବନାହିଁ। ନୂତନ ଭାବେ ଏକ୍ସରେ ଯୋଡ଼ି ହେବାକୁ ଯାଉଥିବା ଲୋକମାନଙ୍କୁ ବାର୍ଷିକ ଅଳ୍ପ ଶୁଳ୍କ ଗଣିବାକୁ ପଡ଼ିବ। ନୂଆ ଆକାଉଣ୍ଟ ଖୋଲିବା, କିଛି ପୋଷ୍ଟ କରିବା ଏବଂ କୌଣସି ପୋଷ୍ଟ ଉପରେ ଲାଇକ୍‌ କରିବା ଭଳି ସୁବିଧା ପାଇବା ଲାଗି ଶୁଳ୍କ ଦେବାକୁ ‌ପଡ଼ିବ। ଏକ୍ସର ମାଲିକ ଏଲନ୍‌ ମସ୍କ କହିଛନ୍ତି ଯେ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ କରିବା ଲାଗି ଶୁଳ୍କ ହେଉଛି ଏକ ବଳିଷ୍ଠ ପଦକ୍ଷେପ। ନକଲି ଆକାଉଣ୍ଟ ହଟିଗଲେ ଲୋକମାନଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ଉନ୍ନତି ହେବ। କମ୍ପାନି ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ ଓ ଫିଲିପାଇନ୍ସରେ ଶୁଳ୍କ ନୀତିକୁ ଲାଗୁ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନୀତିର ପରୀକ୍ଷଣ କରାଯାଉଛି। ଆଗାମୀ ଦିନରେ ତାହାକୁ ସବୁ ବ୍ୟବହାରକାରୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରାଯିବ।

ଯଦିଓ ସେବା ଲାଗି ଶୁଳ୍କ ଲାଗୁ କରିବା ବିଷୟରେ ମସ୍କ ଯୁକ୍ତି କରୁଛନ୍ତି, କିନ୍ତୁ ପ୍ରକୃତରେ ବ୍ୟବହାରକାରୀଙ୍କ ଉପରେ ଭାରତରେ ଶୁଳ୍କ ଲାଗୁ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ନକଲି ଆକାଉଣ୍ଟ ସମସ୍ୟାର ମୁକାବିଲା କରିବା ସପକ୍ଷରେ ମସ୍କ ବହୁଦିନରୁ କହୁଛନ୍ତି। ସେ କହୁଛନ୍ତି ଯେ ନକଲି ଆକାଉଣ୍ଟ ଲାଗି ଏକ୍ସର ପ୍ରକୃତ ବ୍ୟବହାରକାରୀଙ୍କୁ ନେଇ ଦ୍ବନ୍ଦ୍ବ ରହିଛି ଯାହା ବିଜ୍ଞାପନଦାତା ଓ ନିବେଶକଙ୍କୁ ବିଭ୍ରାନ୍ତ କରିବା ଭଳି ବୋଲି ‌ସେ କହିଛନ୍ତି। ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରେ ମସ୍କ ତାହାର ନାମ ପରିବର୍ତ୍ତନ କରି ‘ଏକ୍ସ’ ରଖିଛନ୍ତି। ଏହା ପରଠାରୁ ସେ ଏକ୍ସର ବିଭିନ୍ନ ନୀତିରେ ନିୟମିତ ପରିବର୍ତ୍ତନ କରୁଛନ୍ତି। ବ୍ଲୁ ଟିକ୍ ଲାଗି ଶୁଳ୍କ ଆଦାୟ କରିବାଠାରୁ ଆରମ୍ଭ କରି ଏଆଇ ସବ୍‌ସ୍କ୍ରିପ୍‌ସନ୍ ଲାଗି ମଧ୍ୟ ଶୁଳ୍କ ଲାଗୁ କରାଯାଇଛି। ଏକ୍ସର ବିଭିନ୍ନ ସେବା ଜରିଆରେ ଆୟର ଏକ ସ୍ରୋତ ସୃଷ୍ଟି କରିବାକୁ ମସ୍କ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର