ଭୁବନେଶ୍ୱର: ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ୪.୬୮ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣେ ଲୁହା ପଥର ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ରଂଜନ କୁମାର ପାଢ଼ୀ। ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ମୌଡ଼ାରେ। ଏଠାରେ ସେ ଜୟଦେବ ବିହାର ଏଚଆଇଜି-୪୫ର ପ୍ରଥମ ମହଲାରେ ରୁହନ୍ତି। ଆଜି କ୍ରାଇମ୍ବ୍ରାଞ୍ଚ ତାଙ୍କୁ କୋର୍ଟ ଚାଲାଣ କରିଛି। କ୍ରାଇମ୍ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଂଜନ ନିଜକୁ ଜଗତପୁରରେ ଥିବା ଏସ୍ଆର୍ ଟ୍ରେଡିଂ ଆଣ୍ଡ କମ୍ପାନିର ମୁଖ୍ୟ ବୋଲି ପରିଚୟ ଦେଇ ଜନପଥରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଖୋଲିଥିଲେ। କିଛି ଦିନ ଆକାଉଣ୍ଟରେ ଟଙ୍କା ଜମା ଉଠା କରିବା ପରେ ରଂଜନ ସିସି ଲୋନ୍ ବାବଦରେ ୨.୭୫ କୋଟି ଏବଂ ଡିଡି ଫ୍ୟାସିଲିଟିର ୧.୯୩ କୋଟି ଋଣ ନେଇଥିଲେ। ପରବର୍ତୀ ସମୟରେ ସେ ଏହି ଋଣ ଶୁଝି ନ ଥିଲେ। ବ୍ୟାଙ୍କ ପକ୍ଷରୁ ତଦନ୍ତ ବେଳେ ଜଣାପଡ଼ିଥିଲା କି, ସେ ବ୍ୟାଙ୍କରେ ଯେଉଁ କାଗଜପତ୍ର ଜମା କରିଥିଲେ, ତାହା ଜାଲ ଥିଲା। ଏହା ପରେ ବ୍ୟାଙ୍କ ପକ୍ଷରୁ କ୍ରାଇମ୍ବ୍ରାଞ୍ଚର ଅପରାଧ ଶାଖରେ ଅଭିଯୋଗ କରାଯାଇଥିଲା।