ସୁପ୍ରିମ୍‌ କୋର୍ଟର ଅତିରିକ୍ତ ରେଜିଷ୍ଟ୍ରାର୍‌ ସାଜି ବିଚାରପତି ଓ ଓକିଲଙ୍କୁ ଠକିଥିବା ଇଞ୍ଜିନିୟର୍‌ ଗିରଫ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ଅତିରିକ୍ତ ରେଜିଷ୍ଟ୍ରାର୍‌ ସାଜି ରାଜସ୍ଥାନ ଏବଂ ଦିଲ୍ଲୀ ହାଇକୋର୍ଟର ୨୦ ଜଣ ବରିଷ୍ଠ ଓକିଲ ଏବଂ ବିଚାରପତିଙ୍କୁ ଠକି ଥିବା ଲଣ୍ଡନ୍‌ରୁ ଏମ୍‌. ଟେକ୍‌ ଡିଗ୍ରି ହାସଲ କରିଥିବା ଜଣେ ୫୨ ବର୍ଷିୟ ଇଞ୍ଜିନିୟର୍‌ଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଗିରଫ କରିଛି।

ଅଭିଯୁକ୍ତଙ୍କ ନାମ ଅପରାଜିତ ବାସକ। ସେ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ସପରିବାର ମହାରାଷ୍ଟ୍ରରେ ରହୁଛନ୍ତି। ସେ ଅହମଦାବାଦରେ ଆତ୍ମଗୋପନ କରିଥିବାବେଳେ ସୋମବାର ଦିନ ଗିରଫ ହୋଇଛନ୍ତି।

ସ୍ପେସାଲ କମିସନର୍‌ ଅଫ୍‌ ପୋଲିସ ଏମ୍‌ ଏମ୍‌ ଓବେରଇ କହିନ୍ତି: ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଆମେ ଅହମଦାବାଦରୁ ବାସକଙ୍କୁ ଗିରଫ କରିଛୁ। ସେ ପୁଲିସ ହାଜତରେ ଅଛନ୍ତି ଏବଂ ତାଙ୍କୁ ପଚରା ଉଚୁରା କରାଯାଉଛି।

rep image

ସେଥିରୁ ଜଣାପଡ଼ିଛି ଯେ ଭାରତର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସହ ସମ୍ପୃକ୍ତି ଅଛି ବୋଲି ମିଥ୍ୟାଳାପ କରି ସେ ବିଚାରବିଭାଗୀୟ ଅଧିକାରୀ ଏବଂ ବିଚାରପତିମାନଙ୍କ ସହ ଯୋଗାଯୋଗ କରୁଥିଲେ।

ବାସକ ସ୍ୱୀକାର କରିଛନ୍ତି ଯେ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସେ ଭାରତର ପ୍ରଧାନ ବିଚାରପତିଙ୍କ ସହ ଗୋପନ ସାକ୍ଷାତ୍‌ର ବ୍ୟବସ୍ଥା କରାଇ ପାରିବେ ବୋଲି ବିଚାରବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ।

ଏଥିପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଅର୍ଥ ଦାବି କରିଥିଲେ ସେ। ସେଇ ଏକା ଉଦ୍ଦେଶ୍ୟ ନେଇ ସେ ଦିଲ୍ଲୀ ହାଇକୋର୍ଟର ଦୁଇ ବିଚାରପତିଙ୍କୁ ଫୋନ୍‌ ମଧ୍ୟ କରିଥିଲେ।

ଜଣେ ଅଧିକାରୀ କହନ୍ତି: ବାସକ ଜଣେ ଆତ୍ମବିଶ୍ୱାସୀ ଏବଂ ଉଚ୍ଚ ଶିକ୍ଷିତ ଇଞ୍ଜିନିୟର୍‌, ଇଂରାଜି କହିବାରେ ପାରଙ୍ଗମ। ବିଚାରବିଭାଗୀୟ ଅଧିକାରୀମାନଙ୍କୁ ପ୍ରଭାବିତ କରିବାକୁ ସେ ଉତ୍ତମ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରୁଥିଲେ। ବାସକଙ୍କ ଦ୍ୱାରା ଶିକାର ହୋଇଥିବା ଅଧିକାଂଶ ଲୋକ ହେଉଛନ୍ତି ଓକିଲ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେ ହ୍ଵାଟ୍‌ସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଯୋଗାଯୋଗ କରୁଥିଲେ।

ପ୍ରଧାନ ବିଚାରପତିଙ୍କ ସମ୍ପର୍କୀୟ କହି ପ୍ରଥମେ ବାସକ ବିଚାର ବିଭାଗୀୟ ଅଧିକାରୀଙ୍କ ଠାରୁ ୩୦ ରୁ ୫୦ ହଜାର ଟଙ୍କା ଠକି ନେଇଥିଲେ।
ଅତିରିକ୍ତ ରେଜିଷ୍ଟ୍ରାର୍‌ ସାଜି ରାଜସ୍ଥାନ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସହ ଯୋଗାଯୋଗ କରି ତାଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯିବା କଥା କହିବା ପରେ ତାଙ୍କ ଚାଲାକି ଧରା ପଡ଼ିଥିଲା।


ବିଚାରପତିଙ୍କର ସନ୍ଦେହ ହେବାରୁ ସେ ଦିଲ୍ଲୀସ୍ଥିତ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ। ସେଠାରୁ ଜଣାପଡ଼ିଲା ଯେ ସେମାନେ ଏ ଭଳି କୌଣସି ପ୍ରସ୍ଥାବ ଦେଇ ନାହାନ୍ତି କି, ତାଙ୍କ ପାଇଁ କୌଣସି ଅତିରିକ୍ତ ରେଜିଷ୍ଟ୍ରାର୍‌ କାମ କରୁ ନାହାନ୍ତି। ତା’ପରେ ସେ ପୁଲିସରେ ଅଭିଯୋଗ କଲେ।

ପୁଲିସ ଅଧିକାରୀ କହନ୍ତି: ଫେବ୍ରୁଆରି ପହିଲାରେ ଆମେ ଅଭିଯୋଗ ପଞ୍ଜିକରଣ କଲୁ। ୨୦୦୧ରେ ବାସକ ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୫ରେ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିବାରୁ ଜେଲ୍‌ରୁ ବାହାରି ଥିଲେ। ସେବେଠାରୁ ସେ ଲୋକମାନଙ୍କୁ ଠକି ଚାଲିଛନ୍ତି।

ଅଭିଯୁକ୍ତ ୫ ଦିନ ହେବ ପୁଲିସ ହାଜତରେ ଅଛନ୍ତି। ତାଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ଏବଂ ଇମେଲ୍‌ ସବୁ ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର