ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଆନ୍ଦୋଳନ

ଘରୋଇ ଏଜେନ୍ସିର ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ

ବାରିପଦା :ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିଭିନ୍ନ ଏଜେନ୍ସି ଦ୍ଵାରା କାର୍ୟ୍ୟ କରୁଥିବା ୪ର୍ଥ ଶ୍ରେଣୀ କର୍ମଗରୀ ମାନେ ଆଜି ମେଡିକାଲ କଲେଜ ସମ୍ମୁଖରେ ବିକ୍ଷୋଭ ଓ ଧାରଣାରେ ବସିଥିଲେ। ଅଭିଯୋଗ ମୁତାବକ ଦୀର୍ଘ ୧୩ ବର୍ଷ ଧରି ବିଭିନ୍ନ ଏଜେନ୍ସୀ ମାନଙ୍କ ଦ୍ଵାରା ପି.ଆର୍.ଏମ. ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ୟ୍ୟ କରି ଆସୁଥିଲେ ସୁଦ୍ଧା କୌଣସି ସ୍ଥାୟୀ ନିଯୁକ୍ତି ନମିଳିବା ସହ ୪ମାସ ଧରି ଦରମା ଠିକ ଭବେ ପାଇ ପାରିନଥିବାର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଗତ ଏପ୍ରିଲ ମାସରୁ ମଞ୍ଜୁ ସାରଭିସ ନାମକ ଏକ ନୂତନ ଏଜେନ୍ସୀଙ୍କୁ ଟେଣ୍ଡର ଦିଆଯାଇଥିଲା। ତେବେ ଏହା ପରଠାରୁ ଗତ ୪ମାସ ହେଲାଣି ଦରମାରେ କୌଣସି ସମୟ ସୀମା ରଖୁ ନଥିବା ବେଳେ ଠିକ୍ ସମୟରେ ଦରମା ମିଳୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଫଳରେ କରନା ମହାମାରୀ ସମୟରେ କର୍ମଚାରୀ ମାନେ ଚଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଜେନ୍ସିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରୁ ବିଲ୍ ଆସିନଥିବା ହେତୁ ଠିକା ସଂସ୍ଥା ଦରମା ଦେବାରେ ବିଳମ୍ବ କରୁଥିବା ଜଣାପଡିଛି। ସେହିପରି ଦୀର୍ଘ ବର୍ଷ ଧରି କାର୍ୟ୍ୟ କରି ଆସୁଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ। ଏ ନେଇ ଶୁକ୍ରବାର ପୂର୍ବାହ୍ନରେ ସମସ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ମାନେ ହସପିଟାଲ ସୁପରିଟେଣ୍ଡେଣ୍ଡଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସ ପଦକ୍ଷେପ ନେଇ ନାହାନ୍ତି। ତେଣୁ ବାଧ୍ୟ ହୋଇ କର୍ମଚାରୀ ମାନେ ଧାରଣାରେ ବସିଥିବାର କୁହାଯାଇଛି ।  ତେବେ ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ହସ୍ପିଟାଲ କାର୍ୟ୍ୟ ବନ୍ଦ ରହିବ ଏବଂ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ କର୍ମଚାରୀ ମାନେ । ଏନେଇ ଏଜେନ୍ସୀ କିମ୍ବା ସୁପରିଟେଣ୍ଡେଣ୍ଡ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର