ଆଠଗଡ଼ ଏନ୍‌ଏସି  ନିର୍ବାଚନ: ଲଢି ପାରିବେନି ଲଳିତ, ବିଭୂତି ଓ ଶିଶିର!

ଆଠଗଡ: ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଛି ସଂଶୋଧିତ ସଂରକ୍ଷଣ ତାଲିକା। ତାଲିକା ପ୍ରକାଶ ପରେ କିଏ କେଉଁ ୱାର୍ଡରେ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଠଗଡ ଏନଏସିରେ ରହିଛି ମୋଟ ୧୮ଟି ୱାର୍ଡ। ସେଥିରୁ ୬ ଟି ୱାର୍ଡ ଅସଂରକ୍ଷିତ, ମହିଳାଙ୍କ ପାଇଁ ୭ଟି, ଏସ୍‌ସି ୨ଟି, ଏସ୍‌ସି ମହିଳା ୨ଟି  ଓ ଗୋଟିଏ ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ନିର୍ବାଚନରେ ୧୨ ନମ୍ବର ୱାର୍ଡରୁ ଲଳିତମୋହନ ନାୟକ ବିଜୟୀ ହୋଇ ଆଠଗଡ ଏନଏସିର ଉପାଧ୍ୟକ୍ଷ ହୋଇଥିଲେ। ମାତ୍ର ଚଳିତ ସଂରକ୍ଷଣ ତାଲିକାରେ ୧୨ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଭଳି ସ୍ଥିତିରେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ ନ କରି ପାରିଲେ ମଧ୍ୟ ଜନସେବା ଜାରି ରଖିବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ସେହିପରି ଅଶୋକ ନଗର ୧୮ ନମ୍ବର ୱାର୍ଡରୁ ୨ ଥର ନିର୍ବାଚିତ ହୋଇ ଥିଲେ ବିଭୂତି ଭୂଷଣ ମହରଣା। ଚଳିତ ନିର୍ବାଚନରେ ଲଢି ହାଟ୍ରିକ ରେକର୍ଡ କରିବାର ଆଶା ରଖିଥିଲେ। ମାତ୍ର ୧୮ ନମ୍ବର ୱାର୍ଡ ଏସ୍‌ସି ( ମହିଳା) ଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୧୫ ନମ୍ବର ୱାର୍ଡରେ (ବାଣୀକଣ୍ଠ ନଗର ) ଶିଶିର ପ୍ରସାଦ ମାନସିଂହ ଗତ ନିର୍ବାଚନରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ଶିଶିର ଆଠଗଡ ନଗର ବିଜେଡ଼ି ସଭାପତି ଅଛନ୍ତି। ଚଳିତ ସଂରକ୍ଷଣ ତାଲିକାରେ ୧୫ ନମ୍ବର ୱାର୍ଡ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି।

ଉକ୍ତ ୱାର୍ଡରେ ୧୧୫୮ ଭୋଟର ଥିବା ବେଳେ ପ୍ରାୟ ୨୦୦ ପରିବାର ମଧ୍ୟରେ ମାତ୍ର ୩ ଟି ପରିବାର ଏସ୍‌ସି ଅଟନ୍ତି। ଗତ ନିର୍ବାଚନରେ ୪ ନମ୍ବର ୱାର୍ଡ ଓବିସି କୋଟାରେ ଶିବଶଙ୍କର ଜେନା ଜୟଯୁକ୍ତ ହୋଇଥିଲେ। ମାତ୍ର ଚଳିତ ସଂରକ୍ଷଣ ତାଲିକାରେ ୪ ନମ୍ବର ୱାର୍ଡ ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶିବଶଙ୍କର ଆଠଗଡ ନଗର ବିଜୁ  ଯୁବ ଜନତା ଦଳ ସଭାପତି ଅଛନ୍ତି। ଶିବଶଙ୍କର ୫ ନମ୍ବର ୱାର୍ଡ ବାସିନ୍ଦା ହୋଇଥିଲା ବେଳେ ଗତଥର ୪ ନମ୍ବର ୱାର୍ଡରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ମାତ୍ର ୪ ନମ୍ବର ୱାର୍ଡ ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷିତ ପରେ ନିଜର ୫ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଶିବଶଙ୍କରଙ୍କ ପତ୍ନୀ ଏହି ୱାର୍ଡରେ ପ୍ରାର୍ଥୀ ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି ଅନେକ ଆଗଧାଡ଼ିର ନେତା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ବଂଚିତ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର