ନେଉଳପୁର ବଜାରରୁ ଏଟିଏମ୍ ଲୁଟ ଘଟଣା: ୭ ଲୁଟେରା ଗିରଫ, ୩ଲକ୍ଷ ୬୮ହଜାର ଟଙ୍କା ସହ ୨ଟି କାର୍ ଜବତ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ଚୋରି ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୭ଜଣ ଲୁଟେରାଙ୍କୁ ଗିରଫ କରିଛି । ୭ ଜଣ ଲୁଟେରାଙ୍କ ପାଖରୁ ୩ ଲକ୍ଷ ୬୮ ହଜାର ଟଙ୍କା ସହ ୨ଟି କାର, ଗ୍ୟାସ କଟର, ବିଭିନ୍ନ ଯନ୍ତ୍ରାଂଶ ସହ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଲୁଟେରାଙ୍କୁ କାବୁ କରିବାକୁ ଯାଜପୁର ଏସପି ରାହୁଲ ପିଆର୍ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଟିଏମ୍ ଲୁଟେରାଙ୍କୁ ଧରିବା ପାଇଁ ଜିଲ୍ଲାର ୩ଜଣ ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଡ଼ଉ କରି ୭ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, ନେଉଳପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମକୁ ଗତ ୨୪ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଡ଼ି ନେବା ସହିତ ଏଥିରେ ଥିବା ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ।

ସେହିପରି ଏହାର ୨ଦିନ ପରେ ହରିପୁର ବଜାର ଏଟିଏମ୍ ଭଙ୍ଗାଯାଇ ୩ଲକ୍ଷ ୯୨ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଅଭିଯୁକ୍ତମାନଙ୍କୁ ନେଇ ପୁଲିସ ଲୁଟ୍ ଏଟିଏମକୁ ରାଣୀପଡ଼ା ନିକଟରୁ ପାଣି ଭିତରୁ ଉଦ୍ଧାର କରିଛି। ଲୁଟେରାମାନେ ଏଟିଏମକୁ ଏକ ମାଙ୍କଡ଼ା ଖଣିରେ ପାଣି ଭିତରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର