କାଳିଜାଈ ପୀଠରୁ ଭୋଜି ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା, ୬ ଉଦ୍ଧାର, ୨ ଗୁରୁତର

ବାଲୁଗାଁ: ମରାଳ ମାଳିନୀ ଚିଲିକା ହ୍ରଦରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମା’ କାଳିଜାଈ ପୀଠରୁ ଫେରୁଥିବା ଡଙ୍ଗା ବୁଡ଼ି ଯାଇଛି। ରିପୋର୍ଟ ଲେଖାହେଲା ବେଳକୁ ୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍‌ ଓ ମତ୍ସଜୀବୀମାନେ। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଚାରି ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ଡଙ୍ଗାରେ ଥିବା ୧୭ ଜଣଙ୍କ ମଧ୍ୟରୁ ଅବଶିଷ୍ଠ ୯ ଜଣ ଲୋକ ନିଜସ୍ୱ ଉଦ୍ୟମରେ ପହଁରି ପହଁରି ଆସି କୂଳରେ ପହଞ୍ଚି ଥିଲେ।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୂଳ ଓ ଆଙ୍କୁଲା ଗାଁରୁ ଆଜି ପୂର୍ବାହ୍ନରେ ପ୍ରାୟ ୧୭ ଜଣ ଲୋକ ବଣଭୋଜୀ ପାଇଁ ଡଙ୍ଗାରେ କାଳିଜାଈ ପୀଠକୁ ଯାଇଥିଲେ। ବଣଭୋଜୀ ସାରି ସେମାନେ ସନ୍ଧ୍ୟା ସମୟରେ ଘର ଅଭିମୁଖେ ଫେରୁଥିଲେ। କିନ୍ତୁ ମଝିରେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା।

ତେବେ ପାଣିରେ ଭାସୁଥିବା ଲୋକେ ଜୋରରେ ଚିତ୍କାର କରିଥିଲେ। ଏହା ଜାଣିପାରି ପଛପଟରୁ ଏକ ଡଙ୍ଗାରେ ଆସୁଥିବା ମତ୍ସଜୀବୀମାନେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ। ସ୍ଥଳ ଭାଗ ଠାରୁ ୧୨ କିଲୋମିଟର ଦୂର ହ୍ରଦ ମଝିରେ ଏହି ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସୂଚନାଯୋଗ୍ୟ, ଚିଲିକା ହ୍ରଦରେ ଏହିପରି ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଘଟୁଥିବାରୁ ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର