ରାଜପଥ କଡ଼ରେ ଛତୁ ବିକ୍ରି କରୁଥିଲେ ଭାଇ-ଭଉଣୀ, ବରଯାତ୍ରୀ ସ୍କର୍ପିଓ ନେଲା ଜୀବନ

ଅନ୍ୟ ୨ ଜଣ ବାଳକ-ବାଳିକା ଗୁରୁତର, ପୁଲିସ ବୁଝାସୁଝା ପରେ ସ୍ୱଭାବିକ ହେଲା ରାସ୍ତାରୋକ

ଅନୁଗୁଳ/ଛେଣ୍ଡିପଦା: ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ କଙ୍କରେଇ ଜଙ୍ଗଲ ନିକଟ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଦେବଗଡ଼ ଅଭିମୁଖେ ବରଯାତ୍ରୀ ଯାଉଥିବା ଏକ ସ୍କର୍ପିଓ ଛତୁ ବିକ୍ରି କରୁଥିବା ଭାଇ ଭଉଣୀଙ୍କ ଉପରେ ଚଢ଼ି ଯାଇଛି। ମୃତକମାନେ ହେଲେ ଲୁନ୍ଦୁରୁ ବେହେରା ଓ ବୈଶାଖୀ ବେହେରା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ରାଜପଥ ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଦେବଗଡ଼ ଯାଉଥିବା ସ୍କର୍ପିଓ (ଓଆର-୦୨-ବିୱାଇ-୮୭୭୮) ଅନୁଗୁଳ ଜିଲ୍ଲା ନିଶା ଥାନା ସିତରାସାହି ଅଞ୍ଚଳରେ ୮ ଜଣ ବାଳକ ବାଳିକ ଛତୁ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ନିରାଜନ ବେହେରାଙ୍କ ୧୦ ବର୍ଷର ପୁଅ ଲୁନ୍ଦୁରୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାଳକ ବାଳିକା ଗୁରୁତର ହୋଇଥିବାକୁ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ୩ ଘଣ୍ଟା ଧରି ରାସ୍ତାରୋକ କରିଥିଲେ।

ସ୍କର୍ପିଓରେ ଭୁବନେଶ୍ୱରର ରସୁଲଗଡ଼ ଥାନା ଅଞ୍ଚଳର ଚାଳକ ଶ୍ରୀଧର ବାରିକ୍‌(୨୪), ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଯାତ୍ରୀ ଦୀପକ ଶତପଥୀ(୨୪) ଓ ପ୍ରତ୍ୟୁଶ ପାଢ଼ୀ(୨୦), ଝାରପଡ଼ା ଥାନା ଅଞ୍ଚଳର ହରୀଶ ଜଗଦେବରାୟ (୨୧) ଏବଂ ରସୁଲଗଡ଼ ଥାନା ଅଞ୍ଚଳର ବିଶ୍ୱଜିତ ଜଗଦେବରାୟ(୨୩) ଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ରାସ୍ତାକଡ଼ରେ ରାଇଝରଣ ସିତରାସାହିର ୮ ଜଣ ବାଳକ ବାଳିକା ଛତୁ ବିକ୍ରି କରୁଥିବା ସମୟରେ ସେମାନଙ୍କର ଉପରେ ସ୍କର୍ପିଓ ଚଢ଼ି ଜଙ୍ଗଲ ଭିତରକୁ ପଶିଯାଇଥିଲା।

କାର ଧକ୍କାରେ ଘଟଣାସ୍ଥଳରେ ମିରାଜନଙ୍କ ପୁଅ ଲୁନ୍ଦୁରୁ ମୃତ୍ୟୁ ହୋଇଥିବା ବେଳ ତାଙ୍କ ଝିଅ ବୈଶାଖୀ ବେହେରା(୮), ଆରତୀ ବେହେରା(୭), ବାବାଜୀ ବେହେରାଙ୍କ ପୁଅ ପପୁନ(୧୦)ଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀଙ୍କର ମୃତ୍ୟୁ ଘଟିଥିଲା ବେଳେ ପପୁନ୍‌ଙ୍କ ଗୁରୁତର ଅଛି।

ସ୍କର୍ପିଓର ଚାଳକ ଶ୍ରୀଧର ବାରିକ୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିତୀ ମଞ୍ଜରୀ ମେଣ୍ଡୋଲୀ ପହଞ୍ଚି ଲୁନ୍ଦୁରୁଙ୍କ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର