ଇଏ କି ପ୍ରକାର ବ୍ୟବସ୍ଥା? ପୁଣି ଚର୍ଚ୍ଚାରେ ହାଇଦର୍

ହାଇଦରକୁ କୁଆଡ଼େ ଗାଏବ୍ କରାଯାଇଛି: ପତ୍ନୀ ହସିନା ବିବି

ଗ୍ୟାଙ୍ଗଷ୍ଟର ହାଇଦରର ଦୁର୍ଦ୍ଦାନ୍ତ ପଣିଆ କାହାକୁ ଅଛପା ନୁହେଁ। କିନ୍ତୁ ସେ ଆଜି ଯେଭଳି ବଡ଼ ମେଡିକାଲରୁ ଚମ୍ପଟ ମାରିଲା, ସେଥିରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପ୍ରତ୍ୟକ୍ଷଦର୍ଶୀ ଷ୍ଟାଫନର୍ସଙ୍କ ବୟାନ ଅନୁଯାୟୀ ଆଜି ହାଇଦର ସହିତ କ୍ୟାବିନ ଭିତରେ ୪/୫ଜଣ ଲୋକ ଥିଲେ। ସେମାନେ କିଏ? ସେମାନଙ୍କୁ ସେଠାରେ ରହିବାକୁ କିଏ ଅନୁମତି ଦେଲା? ବାହାରେ କନଷ୍ଟେବଲ ମହମ୍ମଦ ମୌସୁମ୍ ବସି କରୁଥିଲେ କ’ଣ? ପୁଲିସ ଏବେ ମହମ୍ମଦ ମୌସୁମଙ୍କୁ ଅଟକ ରଖି ଜେରା କରୁଛି ସତ। ହେଲେ ଏଭଳି ସ୍ଥିତି ପାଇଁ ସେ କ’ଣ ଏକା ଦାୟୀ? ହାଇଦରକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନ ସାମନାକୁ ଆସୁଛି।

ସୋଲେମାନ, ସେକ ଚୁନା, ରଶ୍ମିରଂଜନ ହତ୍ୟାକାଣ୍ଡ

ହାଇଦର ବିରୋଧରେ ରହିଛି ଅନେକ ଚାଞ୍ଚଲ୍ୟକର ଅପରାଧ ଅଭିଯୋଗ। ଗ୍ୟାଙ୍ଗଷ୍ଟର ସୋଲେମାନକୁ କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରୁ ୨୦ କିମି ଦୂର ରାଜ୍ୟ ରାଜପଥରେ ୨୦୦୯ ଜୁଲାଇ ୩୧ ତାରିଖରେ ହତ୍ୟା କରାଯାଇଥିଲା। ବୋଲେରୋରେ ଯାଉଥିବା ବେଳେ ସୋଲେମାନ୍‌ର ଅଙ୍ଗରକ୍ଷୀମାନେ ହିଁ ତାକୁ ହତ୍ୟା କରିଥିଲେ। କେନ୍ଦ୍ରାପଡ଼ା ପୁଲିସ ହାତରେ ଗଣେଶ ଓରଫ ଷଣ୍ଢ ସାହୁ ଏବ˚ ସୁନିଲ ସି˚ହ ଗିରଫ ହୋଇଥିବା ବେଳେ ବିଜୟ ନାୟକ ଓ ମନୋରଞ୍ଜନ ନାୟକ ଫେରାର ହୋଇଯାଇଥିଲେ। ବିରିଡ଼ି ଅଞ୍ଚଳରେ ଜଳସେଚନ ବିଭାଗର ୧ କୋଟି ୫୮ ଲକ୍ଷ ଟଙ୍କାର କାମ ସୁଲେମାନ୍‌ ହାତେଇଥିଲା। ଏହି କାମକୁ ନେଇ ହାଇଦର ସହିତ ତାର ବିବାଦ ଥିବା କୁହାଯାଉଛି। ୧୯୯୯ ମସିହାରୁ ହାଇଦର ସହିତ ମିଶିବା ଓ ପରେ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଅଲଗା ହେବା ପରେ ଏଭଳି ହତ୍ୟାକାଣ୍ତ ଘଟିଥିଲା। ବି କ୍ଲାସ୍‌ ଠିକାଦାର ସୋଲେମାନ ହତ୍ୟା ମାମଲାରେ ହାଇଦର‌୍‌ ବି ଗିରଫ ହୋଇଥିଲା। କିନ୍ତୁ ସେହି ଘଟଣାରେ ସେ ଦୋଷମୁକ୍ତ ହୋଇଥିଲା। କିନ୍ତୁ ୨୦୦୫, ମେ ୩୧ ତାରିଖରେ ସେକ୍‌ ସୋଲେମାନର‌୍‌ ସାନ ଭାଇ ଭାଇ ସେକ୍‌ ଚୁନା ଓରଫ ମାଲିକ ହନନକୁ ହାଇଦର‌୍‌ ସହଯୋଗୀ ହତ୍ୟା କରିଥିଲେ। ଭୁବନେଶ୍ବର ଷ୍ଟୁଆର୍ଟ ସ୍କୁଲ ଛକ ନିକଟରେ ତାକୁ ହତ୍ୟା କରାଯାଇଥିଲା।

ହତ୍ୟାକାଣ୍ତ ପରେ ଦୁର୍ବୃତ୍ତମାନେ ଏକ ବୋଲେରୋ ଗାଡ଼ିରେ ଫେରାର ହୋଇଯାଇଥିଲେ। ହାଇଦରକୁ ଗୁରଗାଓଁରୁ ଗିରଫ କରାଯାଇଥିଲା। ହାଇଦର‌୍‌ ଏବ˚ ତାର ସହଯୋଗୀ ସେକ୍‌ ରୋମନ, ସେକ୍‌ ଲାଲା, ସୁଦାମ ସୁନ୍ଦର ଶତପଥୀ, ଟୁକୁ ଓରଫ ଅବଦୁଲ ନଇମ୍‌ ଖାଁ, ବବୁଲୁ ଓରଫ ନସିରୁଦ୍ଦିନ ଅହମ୍ମଦ, ସେକ୍‌ ମିର‌୍‌ ଅକସର‌୍‌, ଶିବ ପ୍ରସାଦ ମହାନ୍ତି ଓରଫ ବାବାଜୀ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୧ ମାର୍ଚ୍ଚ ୧୬ ତାରିଖରେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ପରେ କେନ୍ଦୁଝରର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ବର ସହିଦନଗର ଅଞ୍ଚଳରୁ ୨୦୦୭ ମେ’ ୨୭ ତାରିଖରେ ଅପହରଣ କରାଯାଇଥିଲା। ସେ ମାର୍ବଲ ସ୍ଲାବ୍‌ କିଣିବାକୁ ଆସିଥିବା ବେଳେ ରଶ୍ମି ଓ ତାଙ୍କ ଡ୍ରାଇଭରକୁ ଅପହରଣ କରି ନିଆଯାଇଥିଲା। ତାଙ୍କ ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ୨କୋଟି ଟଙ୍କା ଦୁର୍ବୃତ୍ତ ମାଗିଥିଲେ। ୧ କୋଟି ୧୨ ଲକ୍ଷ ଟଙ୍କା ନେଇଥିଲେ ବି ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ-୨ ସେକ୍‌ ହାଇଦର ସମତେ ତାର ଦୁଇ ସହଯୋଗୀ ସ˚ଜୟ ଓରଫ ଭବାନୀ ଶଙ୍କର ଓ ଶରତ ସାହୁଙ୍କୁ ଆଜୀବନ ସଜା ଶୁଣାଇଥିଲେ। ୨୦୧୫, ଅକ୍ଟୋବର ୧୭ ତାରିଖରେ କୋର୍ଟ ହାଇଦରକୁ ଆଜୀବନ ସଜା ଶୁଣାଇଥିଲେ।

ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ବର ସହିଦନଗର ଅଞ୍ଚଳରୁ ୨୦୦୭ ମେ ୨୪ ତାରିଖରେ ଅପହରଣ ଓ ହତ୍ୟା ଯୋଜନାର ମାଷ୍ଟରମାଇଣ୍ତ ଥିଲା ଗ୍ୟାଙ୍ଗଷ୍ଟର‌୍‌ ହାଇଦର‌୍‌। ସେ ସମୟରେ ହାଇଦର ଥିଲା ଝାରପଡ଼ା ଜେଲ୍‌ରେ। ଜେଲ୍‌ରେ ଥାଇ ଏହି ହତ୍ୟାକାଣ୍ତ ଘଟାଇଥିଲା। ଝାରପଡ଼ା ଜେଲ୍‌ରେ ଥିବା ହାଇଦର ସହିତ ଜେଲ୍‌ରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିଲା। ୨୦୧୬ରେ ଧଳସାମନ୍ତ ଭାଇ କଟକରେ ଗିରଫ ପରେ ୨୦୧୭ରେ ଉଭୟ ହାଇଦର‌୍‌ ଓ ସୁଶାନ୍ତ ଧଳସାମନ୍ତ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପରେ ସୁଶାନ୍ତକୁ ୨୦୧୮ରେ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ବିନା ହ୍ୟାଣ୍ତକଫ୍‌ରେ ଥିଲା ହାଇଦର‌୍‌!

କଟକ ବଡ଼ ମେଡିକାଲ୍‌ରେ ବିନା ହ୍ୟାଣ୍ତକଫ୍‌ରେ ଥିବା କୁହାଯାଉଛି। ବଡ଼ ମେଡିକାଲ୍‌ ସର୍ଜରି ଵାର୍ଡର ୫ ନମ୍ବର କ୍ୟାବିନ୍‌ରେ ରହୁଥିବା ହାଇଦର‌୍‌ ପାଇଁ ସୁରକ୍ଷା ବ୍ୟବସ୍ଥା ବଡ଼ ବିଚିତ୍ର ଥିଲା। ସମ୍ବଲପୁର ସର୍କଲ ଜେଲ୍‌ର ଜଣେ ଵାର୍ଡର ଥିବା ବେଳେ ଅନ୍ୟ ୫ ଜଣ ଥିଲେ ସମ୍ବଲପୁର ଜିଲ୍ଲା ପୁଲିସର। ଦୁଇଟି ସିଫ୍ଟରେ ୬ଜଣ ଡ୍ୟୁଟି କରୁଥିଲେ। ଦିନରେ ଜଣେ ମାତ୍ର ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ବେଳେ ରାତିରେ ୨ଜଣ ଡ୍ୟୁଟି କରୁଥିଲେ। ହାଇଦର‌୍‌ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟର‌୍‌କୁ କିଭଳି ଜଣେ ମାତ୍ର ସୁରକ୍ଷାକର୍ମୀଙ୍କ ହାତରେ ଛାଡ଼ି ଦିଆଯାଇଥିଲା, ଏହା ଏବେ ବଡ଼ ପ୍ରଶ୍ନ ହୋଇଛି। ହାଇଦର‌୍‌ ବଡ଼ ମେଡିକାଲ୍‌କୁ ୨୩ ତାରିଖରୁ ଆସିଥିବା ବେଳେ ଏ ସମ୍ପର୍କରେ କମିସନରେଟ୍‌ ପୁଲିସକୁ ବି ଅବଗତ କରାଯାଇନଥିବା କୁହାଯାଉଛି।

ଚାରି ପାଞ୍ଚ ଜଣ ଲୋକ ଆସିଥିଲେ…
ପାଣ୍ଟୋପ୍ରାଜଲ୍‌ ଓ ସେଫ୍ରିକ୍ସନ୍‌ ଖାଉଛନ୍ତି। ସାଢେ଼ ୩ଟା ବେଳେ ଶେଷଥର ଦେଖିଥିଲି। ତାଙ୍କ ନିକଟରେ ଜଣେ ପୁଲିସ କର୍ମଚାରୀ ଥିଲେ। ଆହୁରି ପାଖରେ ଚାରିପାଞ୍ଚ ଜଣ ଲୋକ ଥିଲେ। ସାଢେ଼ ୫ଟା ବେଳେ ଇଞ୍ଜେକ୍ସନ ଦେବାକୁ ଯାଇଥିଲି। ଚାରି ନମ୍ବର ଇଞ୍ଜେକ୍ସନ ଦେବାକୁ ଯାଇଥିଲି। ସେତେବେଳକୁ ପୁଲିସ କର୍ମଚାରୀ ଫ୍ଲାଟ୍‌ ହୋଇପଡ଼ିଥିଲେ। ବନ୍ଧୁକ ଗୋଟିଏ ସାଇଡ୍‌ରେ ପଡ଼ିଥିଲା। ଲୋକ ନଥିଲେ କି ରୋଗୀ ନଥିଲେ। ଲକର‌୍‌ରେ କିଛି ନଥିଲା। ଦୁଇଟି ଷ୍ଟାଣ୍ତ ଫ୍ୟାନ୍‌ ଛାଡ଼ିକି ଯାଇଥିଲେ। ଯେଉଁ ପୁଲିସ କର୍ମଚାରୀ ପଡ଼ିଥିଲେ, ତାଙ୍କୁ ପଚାରିଲି ‘ରୋଗୀକୁ ଜଗୁଛ ନା ଶୋଉଛ? ରୋଗୀ କାହାନ୍ତି?’ ସିଏ କହିଲେ କି ‘ପେସେଣ୍ଟ କୁଆଡ଼େ ବୁଲିବାକୁ ଯାଇଥିବେ…’ ସିଏ କିନ୍ତୁ ଚାଲିବା ଅବସ୍ଥାରେ ନଥିଲେ। ଟଳଟଳ ହେଉଥିଲେ। ଆମ ସୁଇପର‌୍‌ ପାଣି ଦେଲା। ସିଏ ଫୋନ୍‌ କରିବା ଅବସ୍ଥାରେ ନଥିଲେ। ସାଙ୍ଗେସାଙ୍ଗେ ଫାଣ୍ତିକୁ ଜଣାଇଥିଲୁ।
ମାନସୀରାଣୀ ପାଣି, ଷ୍ଟାଫ୍‌ ନର୍ସ, ବଡ଼ ମେଡିକାଲ୍‌

ହାଇଦରକୁ କୁଆଡ଼େ ଗାଏବ୍ କରାଯାଇଛି: ପତ୍ନୀ ହସିନା ବିବି
ହାଇଦରର ପତ୍ନୀ ହସିନା ବିବି କିନ୍ତୁ ଆଣିଛନ୍ତି ସଂଗିନ ‌ଅଭିଯୋଗ। ତାଙ୍କ କହିବା ଅନୁଯାୟୀ ହାଇଦର ଗୁରୁତର ଅସୁସ୍ଥ। ତାର ଗୋଡ଼, ହାତ, ପେଟ ଖରାପ। ହାର୍ଟରୋଗ ଅଛି। ସିଏ ଡାକ୍ତରଖାନା ଛାଡ଼ି ଯିବ କୁଆଡ଼େ? ତାଙ୍କୁ କୁଆ‌‌ଡ଼େ ଯୋଜନାବଦ୍ଧ ଭାବେ ଗାଏବ କରାଯାଇଛି ବୋଲି ହସିନା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର