ଭଦ୍ରକ: ମାଛ ଧରିବାକୁ ଯାଇ ବୁଧବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ଯୁବକଙ୍କର ମୃତଦେହ ଗୁୁରୁବାର ସାଳନ୍ଦୀ ନଦୀରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଚନ୍ଦନବଜାର ଅଞ୍ଚଳର ଗୋବିନ୍ଦ ରାଉତଙ୍କ ପୁଅ ରାଜେଶ ରାଉତ (୨୨) ବୁଧବାର ଅପରାହ୍ଣରେ ମାଛ ଧରିବାକୁ ସାଳନ୍ଦୀ ନଦୀର ସନ୍ଥିଆ ଘାଟକୁ ଯାଇଥିଲେ। ରାଜେଶ ମାଛ ଧରି ପ୍ରତିଦିନ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି କିନ୍ତୁ ବୁଧବାର ନିର୍ଦ୍ଧାରିତ ସମୟରେ ଫେରି ନଥିଲେ। ଏହା ପରେ ପରିବାର ଲୋକେ ନଦୀଘାଟକୁ ଖୋଜିବାକୁ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜେଶ ବୁଧବାର ସନ୍ଧ୍ୟାରେ ବନଶୀରେ ମାଛ ଧରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିଥିଲେ। ନିଖୋଜ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରାଜେଶର କୌଣସ ପତ୍ତା ମିଳି ନଥିଲା। ଘଟଣାସ୍ଥଳରୁ କେବଳ ହଳେ ଜୋତା ମିଳିଥିଲା। ଆଜି ନଦୀରୁ ରାଜେଶର ମୃତଦେହ ଉଦ୍ଧାର ହେବା ପରେ ଟାଉନ ଥାନା ପୁଲିସ ପହଞ୍ଚି ଏହାକୁ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ରାଜେଶର ମୃତ୍ୟୁକୁ ପରିବାର ଲୋକେ ସହଜରେ ସ୍ୱୀକାର କରିପାରୁ ନାହାନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।