ଆସୁଛି ବାତ୍ୟା: ଜମିରେ ଥିବା ଧାନକୁ କାଟିବେ କେମିତି ଓ ଅମଳ ଫସଲକୁ ରଖିବେ କେଉଁଠି? ଚିନ୍ତାରେ ଚାଷୀ

ଜୟପୁର: ବର୍ଷ ସାରା ପରିଶ୍ରମ କରି ଝାଳ ବୁହାଇଥିଲେ। କ୍ଷେତରେ ଫସଲ ଥିବା ସମୟରେ ଅମଳ ବେଳେ ବାତ୍ୟା ଆସୁଛି। ଫସଲ କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ଉପରେ ଚଡକ ପଡିଛି। ଜମିରେ ଥିବା ଧାନକୁ କାଟିବ‌େ କେମିତି ଓ ଅମଳ ଧାନକୁ ରଖିବେ କେଉଁଠି। ସୁରକ୍ଷିତ ଭା‌ବେ ଧାନକୁ ରଖିବା ପାଇଁ ଚାଷୀ ଉପରେ ସଙ୍କଟ ପଡିଛି। କରୋନା ମହାମାରୀରେ ଦୁଇବର୍ଷ ଘାଣ୍ଟି ହୋଇଥିବାବେଳେ ଏବେ ଫସଲ ନଷ୍ଟ ହେଲେ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ସାମ୍ଭାବ୍ୟ ବ୍ୟାତାର ଆଗମନ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଥିବା ବେଳେ କୃଷି ବିଭାଗ ପକ୍ଷରୁ ସଚେତନତା କରାଯାଉଛି। ଅଳମ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। କିନ୍ତୁ ଏଭଳି ପରିସ୍ଥିତିରେ ଚାଷୀ କେମିତି ମୁକାବିଲା କରିବ ସେ ନେଇ ଚିନ୍ତାରେ ପଡିଛି। ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି, ଯାହା ଫଳରେ ଆସନ୍ତା ୪ ତାରିଖରେ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଥିବା ବେଳେ ବର୍ଷା ହେବା ଅନୁମାନ କରାଯାଉଥିବା ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ହେଉଛି। ବାତ୍ୟା ସମୟରେ ଧନ ଜୀବନ ଅପେକ୍ଷା ଫସଲ ନଷ୍ଟ ହୋଇଯିବା ନେଇ ଆକଳନ କରାଯାଇଛି। ଜୟପୁର ବ୍ଲକରେ ବୁଣା ଓ ଧାଡି ରୁଆରେ ୧୫ ହଜାର ୭୪୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେଥିରୁ ୭୦ ପ୍ରତିଶତ ଧାନ କଟାଯାଇ ଥିବା ବେଳେ ବଳକା ଧାନ ଜମିରେ ରହିଛି। ଧାନ କାଟି ଜମିରେ ରଖିଥିବା ବେଳେ ବହୁ ଚାଷୀ ଅମଳ କରିପାରି ନାହାଁନ୍ତି।

ଏଥିସହ ଅମଳ ଚାଷୀ ମଧ୍ୟ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସମସ୍ତଙ୍କ ନିକଟରେ ସ୍ଥାନ ମଧ୍ୟ ନାହିଁ। ଅନ୍ୟପକ୍ଷରେ ଜୟପୁର ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପଞ୍ଚାୟତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ସୂଚନା ଦିଆଯାଉଛି। ବ୍ଲକ କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ ଓ ଅତିରିକ୍ତ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବୁରୁଡିଙ୍କ ସହ କୃଷି ଅଧୀଦର୍ଶକ, କୃଷି ଗ୍ରାମସେବକ ଓ ଟେକ୍ନିସିଆନ ମାନ‌େ ଚାଷୀମାନଙ୍କୁ ଏକାଠି କରି ଧାନକୁ ସୁରକ୍ଷିତ ଭାବ‌େ ରଖିବା ପାଇଁ ସଚେତନତା କରୁଛନ୍ତି। ‌କୋରାପୁଟ ଜିଲ୍ଲାରେ ୧୪ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି।

ପ୍ରତ୍ୟେକ ଟିମ୍‌ରେ ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ବାତ୍ୟାର ମୁକାବିଲା ପାଇଁ ପାୱାର ବୋଟ୍, ପାୱାର କଟର, ଆସ୍କା ଲାଇଟ୍, ହାଇଡ୍ରୋଲିକ୍ କଟର ଆଦି ପ୍ରସ୍ତୁତ କରି ରଖାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଏହି ଉଦ୍ଧାରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ରାସ୍ତାରେ ପଡିଥିବା ଗଛକୁ ହଟାଇବେ ବୋଲି ଜୟପୁର ଅଗ୍ନିଶମ କେନ୍ଦ୍ର ସହାୟକ ଅଧିକାରୀ କୁନୁ ନାୟକ ସୂଚନା ଦେଇଛନ୍ତି। ଏଥିସହ ଜୟପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କ‌ଣ୍ଟ୍ରୋଲ ରୁମ୍ ଖୋଲାଯିବ ଓ ଶୁକ୍ରବାର ବାତ୍ୟାର ଚିତ୍ର ସ୍ପଷ୍ଟ ହେବା ପରେ ‌ଆବ୍ୟଶକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜୟପୁର ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମା ପ୍ରକାଶ କରିଛନ୍ତି।

 

 

ସମ୍ବନ୍ଧିତ ଖବର