ଜେଲଗଲେ ୧୧ ଜୁଆଡ଼ି, ମାସକୁ ୩୦ ହଜାର ଟଙ୍କା ଭଡ଼ାରେ କଲ୍ୟାଣମଣ୍ଡପ ନେଇ ଚାଲିଥିଲା ଖେଳ 

ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ , ସ୍କୁଟି ସମେତ ଅଟୋ ଜବତ 

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ବାଳକାଟି ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ ଭାବେ ଚଢ଼ଉ କରି ଉକ୍ତ ଆଡ୍ଡାରୁ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ କରିଛି। ଏହି ମାମଲାରେ ପୁଲିସ ସଂପୃକ୍ତ ବାଳକାଟି ଏବଂ ଅନ୍ୟାନ୍ୟ ଜିଲ୍ଲା ଅଞ୍ଚଳର ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜୁଆଡ଼ିମାନେ ହେଲେ ବାଳକାଟି ନୂଆପାଟଣା ଗ୍ରାମର ସିଲିପ ସାହୁ(୩୩), ଦୀପକ ସାହୁ(୩୧), ସ୍ଥାନୀୟ ନାଗପୁର ଗ୍ରାମର ରାମଚନ୍ଦ୍ର ମହାରଣା (୫୧),ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ପରିଡ଼ା (୩୯) ,ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ନୀଳକଣ୍ଠପୁର ଗ୍ରାମର ସୁବାସ ରାଉତ (୩୮), ଯାଜପୁର ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବାଙ୍କ ବିହାରୀ ରାୟ (୪୦), ବାଲିପାଟଣା ଥାନା ଅଧୀନ ଝିଣ୍ଟିଶାସନ ଗ୍ରାମର ମନୋଜ କୁମାର ପ୍ରଧାନ(୩୯), ଓଡ଼ଖଣ୍ଡ ଗ୍ରାମର ଅଭିଜିତ ଯୋଶୀ(୨୯), ରାଜସ ଗ୍ରାମର ଅମିତ ସ୍ବାଇଁ(୩୩) ଓ କବିନ୍ଦ୍ର ସ୍ବାଇଁ (୨୪) ।

ଏଥିସହିତ ଘଟଣାସ୍ଥଳରୁ ପୁଲିସ ସେମାନଙ୍କ ନିକଟରୁ ୧୧ଟି ସ୍ମାର୍ଟ ଫୋନ, ଦୁଇଟି ବାଇକ ସମେତ ଗୋଟିଏ ଯାତ୍ରୀବାହୀ ଅଟୋ, ଆଉ ଗୋଟିଏ ସ୍କୁଟି , ଗୋଟିଏ ଏଲଇଡ଼ି ଟିଭି  ଫ୍ରିଜ , ମୁଭିଂ ଚେୟାର ସହିତ ସୋଫାସେଟ ତଥା ଅନ୍ୟାନ୍ୟ ଆସବାବପତ୍ର , ଫ୍ୟାନ, ୫ମୁଠା ଚାଷ, ୪ଟି ସିଲ ବିଅର ବୋତଲ, ଟର୍ଚ ଲାଇଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏସବୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନା ମୁତାବକ ଭୁବନେଶ୍ବର – ବାଲିପାଟଣା ମୁଖ୍ୟ ରାସ୍ତାର ବାଳକାଟି ଦୁଲ୍ଲାଦେବୀ ମନ୍ଦିର ନିକଟରେ ଥିବା ଅନନ୍ୟା ବିବାହ କଲ୍ୟାଣ ମଣ୍ଡପରେ ଏହି ଜୁଆ ଆଡ୍ଡା ଦୀର୍ଘ ୩ ମାସ ହେବ ଚାଲିଥିଲା।

କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆଖେଳ ଚାଲିବା ପାଇଁ ନୂଆପାଟଣା ଗ୍ରାମର ଏହି ମଣ୍ଡପ ମାଲିକ ମଣ୍ଡପ ଭଡ଼ାରେ ଦେଇଥିବା କୁହାଯାଉଛି। ହେଲେ କୌଣସି ସୂତ୍ରରୁ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସମେତ ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲି ଖାନ ସେଠାରେ ଅତର୍କିତ ଚଢ଼ଉ କରି ଉପରୋକ୍ତ ଜୁଆଡ଼ିମାନଙ୍କୁ କାବୁ କରି ନେଇଥିଲେ। ହେଲେ ପୁଲିସ ଉକ୍ତ ଜୁଆ ଆଡ୍ଡା ଚଳାଉଥିବା ଅସଲ ଜୁଆଡ଼ିକୁ କିନ୍ତୁ ଗିରଫ କରିପାରିନଥିବା ଜଣାପଡ଼ିଛି। ପୂର୍ବରୁ ଖବର ପାଇ ସେମାନେ ଖସି ପଳାଇଥିବା ଆଲୋଚନା ହେଉଛି।

 

 

ସମ୍ବନ୍ଧିତ ଖବର