ଗୁଣି ଗାରେଡି ସନ୍ଦେହରେ ଗାଁରୁ ତଡ଼ିଦେଲେ, ନ୍ୟାୟ ପାଇଁ ପୀଡ଼ିତ ପରିବାର ପ୍ରଶାସନର ଦ୍ବାରସ୍ଥ

ରାୟଗଡ଼ା: ଗୁଣି ଗାରେଡ଼ି କରୁଥିବା ସନ୍ଦେହରୁ ଗାଁରୁ ତଡ଼ିଦେଲେ ଗ୍ରାମବାସୀ। ଗାଁକୁ ଫେରିଲେ ମାଡ଼ ମାରିବାକୁ ଗ୍ରାମବାସୀ ଚେତାବନୀ ଦେଇଥିବାରୁ ଭୟରେ ପରିବାର ଲୋକଙ୍କ ସହ ମାସେ ହେଲା ବାହାରେ ଜୀବନ କାଟୁଛନ୍ତି ରାୟଗଡ଼ା ବ୍ଲକ୍ ଜିଞ୍ଜିଲିବାଡ଼ି ଗ୍ରାମର ହିମିରିକା ମୂର୍ତ୍ତିଙ୍କ ପରିବାର। ଆଜି ଶ୍ରୀ ମୂର୍ତ୍ତି ପରିବାର ଲୋକଙ୍କ ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି। ଚାନ୍ଦିଲି ଥାନାରେ ଏ ନେଇ ଅଭିଯୋଗ କରିବା ସତ୍ତ୍ବେ ପୁଲିସ୍ ଗ୍ରାମବାସୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ପୀଡ଼ିତ ପରିବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ତୁରନ୍ତ ଏହି ଘଟଣାର ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ରାୟଗଡ଼ା ତହସିଲଦାର ଓ ପୁଲିସକୁ ଅବଗତ କରିଛନ୍ତି।

ହିମିରିକା ମୂର୍ତ୍ତିଙ୍କ କହିବାନୁଯାୟୀ ଜିଞ୍ଜିଲିବାଡି ଗ୍ରାମର ସାଙ୍ଗନା ହିମିରିକାଙ୍କ ପୁଅ କାମିଆ (୩୫)ଙ୍କ ଗତ ଜୁଲାଇ ୧୬ ତାରିଖରେ ଗାଁ ବାହାରେ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। କାମିଆକୁ ଗୁଣିଗାରେଡି କରି ମାରି ଦେବା ସନ୍ଦେହ କରି ମୃତ୍ୟୁ ପାଇଁ ହିମିରିକା ଓ ତାଙ୍କ ପରିବାର ଦାୟୀ ବୋଲି ମୃତ କାମିଆର ବାପା ସାଙ୍ଗନା ଓ ତାଙ୍କ ପରିବାର ଉକ୍ତ ଦିନରୁ ଗଣ୍ଡଗୋଳ କରିବା ଆରମ୍ଭ କରିଥିଲେ। ଜୁଲାଇ ୧୭ ତାରିଖ ରାତି ସାଢେ ଆଠଟାରେ ମୃତକଙ୍କ ପରିବାରର ୱେଙ୍କେଟି, ଲାଲା, ସାତିଆ ପ୍ରମୁଖ ହିମିରିକାଙ୍କ ଘର ସମ୍ମୁଖକୁ ଆସି ଗାଳିଗୁଳଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଘଟଣାକୁ ନେଇ ୧୮ତାରିଖରେ ଗାଁର ଯାନି ପେଦେଣ୍ଟି ରାଜୁ ଏବଂ ଅନ୍ୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମସଭା କରାଯାଇଥିଲ। କିନ୍ତୁ ପ୍ରତିପକ୍ଷ ସାଙ୍ଗନାଙ୍କ ପରିବାର ବର୍ଗ କିଛି ନ ଶୁଣି ହିମରିକାଙ୍କ ପରିବାରକୁ ଜୀବନରେ ମାରିଦେବାର ଧମକ ଦେଇଥିଲେ। ସେହିପରି କୌଣସି ଭୁଲ ନ ଥାଇ ମଧ୍ୟ ଜାତିଭାଇମାନେ ତାଙ୍କୁ ଗାଁରୁ ବାସନ୍ଦ କରି ଦେଇଥିଲେ।

ଘଟଣା ସଂପର୍କରେ ଅଗଷ୍ଟ ୧୬ ତାରିଖରେ ଚାନ୍ଦିଲି ଥାନାରେ ହିମିରିକା ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଫଳରେ ସାଙ୍ଗନାଙ୍କ ପରିବାର ଲୋକେ ଅଗଷ୍ଟ ୨୬ ତାରିଖ ରାତିରେ ସଂଘବଧ ଭାବେ ହିମିରିକାଙ୍କୁ ଗାଁ ମଝିରେ ଆକ୍ରମଣ କରିଥିଲେ। ପର ଦିନ ସକାଳୁ ପୁଣି ତାଙ୍କ ଦୁଇ ପୁଅ ସାରୁ ଓ ଧର୍ମେନ୍ଦ୍ରଙ୍କୁ ହାତ ବାନ୍ଧି ମାଡ ମାରି ଲହୁଲୁହାଣ କରିଥିଲେ। ଭୟରେ ନିଜ ଓ ନିଜ ପରିବାର ସଦସ୍ୟଙ୍କ ଜୀବନକୁ ବଞ୍ଚାଇବାକୁ ଯାଇ ହିମିରିକା ପରିବାର ଲୋକଙ୍କୁ ନେଇ ନିକଟସ୍ଥ ଜଙ୍ଗଲ ଏବଂ ପରେ ବଡପୁଅର ଶାଶୁଘରେ ଆଶ୍ରୟ ନେଇଛନ୍ତି। ଘଟଣା ପରଦିନଠୁ ହିମିରିକାଙ୍କ ସାନ ପୁଅ ଓ ବୋହୂ କୁଆଡେ ନିଖୋଜ ହୋଇଥିବା ହିମିରିକା ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର