କରୋନା ଭୟରୁ ମିଳିଲା ମୁକ୍ତି : ଘରକୁ ଫେରିଲେ ବ୍ରହ୍ମପୁର ଯୁବ ଇଂଜିନିୟର

ବ୍ରହ୍ମପୁର : କରୋନା ଭୟ ଯୋଗୁଁ ଘରକୁ ଦୀର୍ଘଦିନ ଧରି ଜାପାନ ଜାହାଜରେ ଫସି ରହିବା ଏବଂ ଭାରତ ଫେରିବା ପରେ ସାମରିକ ବାହିନୀର ବେସ୍‌ କ୍ୟାମ୍ପ୍‌ରେ ଅବଜରଭେସନ୍‌ରେ ଥିବା ବ୍ରହ୍ମପୁରର ଯୁବ ଇଂଜିନିୟର୍‌ ଶିବାଶିଷ ନାୟକଙ୍କୁ ଶେଷରେ ଆଶ୍ବସ୍ତି ମିଳିଛି। କରୋନା ସଂକ୍ରମଣରୁ ସେ ସଂପୂର୍ଣ୍ଣ ମୁକ୍ତ ବୋଲି ଜଣାପଡ଼ିବା ପରେ ଶିବାଶିଷ ଘରକୁ ଫେରିଛନ୍ତି। ଫଳରେ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି ହୋଇଛି। ବାପା-ମା ପ୍ରାୟ ଦେଢ଼ମାସ ପରେ ପୁଅକୁ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି।

ବ୍ରହ୍ମପୁର ବଡ଼ବଜାର ଥାନା ପନ୍ଦରାସାହି ନିବାସୀ ଲିଙ୍ଗରାଜ ନାୟକଙ୍କ ପୁଅ ଶିବାଶିଷ ଦିଲ୍ଲୀ ଗୁଡ଼ଗାଓଁ ସ୍ଥିତ ଏକ କମ୍ପାନିରେ ଇଂଜିନିୟର୍‌ ଭାବେ କାମ କରୁଛନ୍ତି। ଗତ ଜାନୁଆରି ୧୦ତାରିଖରେ କମ୍ପାନି କାମରେ ଶିବାଶିଷ ଓ ଅନ୍ୟ ୫ଜଣ ସହକର୍ମୀ ଜାପାନ୍‌ ଯାତ୍ରା କରିଥିଲେ। ଜାନୁଆରି ୨୫ତାରିଖରେ ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌ ନାମକ ଏକ ଜାହାଜରେ ଭାରତ ଅଭିମୁଖେ ବାହାରିଥିଲେ। ଜାହାଜରେ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟରୁ କରୋନା ପଜିଟିଭ୍‌ ଆସିଥିଲା। ଫଳରେ ସେଠାକାର ସରକାର ଜାହାଜକୁ ସମୁଦ୍ର ମଧ୍ୟରେ ଅଟକାଇ ଦେଇଥିଲେ। ଜାହାଜଟି ‌ୟୁକୋହାମା ଉପକୂଳରେ ଅଟକି ରହିଥିଲା। ଏହି ଖବର ପାଇ ବାପା ଲିଙ୍ଗରାଜ ଓ ମା’ ଝୁନୁ ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଭାରତୀୟ ଦୂତାବାସ ତରଫରୁ ଜାପାନ୍‌ ଦୂତାବାସ ସହିତ ଆଲୋଚନା କରା ଯାଇଥିଲା। ଜାପାନ୍‌ ସରକାରଙ୍କ ସମ୍ମତି ପରେ ଗତ ୨୭ତାରିଖରେ ଶିବାଶିଷ ଓ ଅନ୍ୟମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସାମରିକ ବାହିନୀର ଏକ ବେସ୍‌ କ୍ୟାମ୍ପ୍‌କୁ ନିଆ ଯାଇଥିଲା। ସେଠାରେ ସମସ୍ତଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ନେଭେଟିଭ୍‌ ରିପୋର୍ଟ ବାହାରିଥିବା ଯାତ୍ରୀଙ୍କୁ ନିଜ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା।

ଶିବାଶିଷଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଗତକାଲି ରାତିରେ ସେ ନିଜ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ସେ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି। ମା-ବାପା ଓ ଭଗବାନଙ୍କ ଆଶୀର୍ବାଦରୁ ସେ ଘରକୁ ଫେରିଥିବା କହିଛନ୍ତି। ଜାହାଜରେ ଜଳବନ୍ଦୀ ଥିବା ବେଳେ ବହୁତ କଷ୍ଟରେ ସମୟ ବିତୁଥିଲା। ରାଜ୍ୟ ସରକାର ଓ ଭାରତ ସରକାରଙ୍କ ଉଦ୍ୟମ କ୍ରମେ ସମସ୍ତେ ସ୍ବଦେଶ ଫେରି ଏବେ ନିଜ ଘରକୁ ଫେରି ପାରିଛୁ ବୋଲି ଶିବାଶିଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର