ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣାର ନୂଆ ମୋଡ଼: ସହକର୍ମୀ ଯନ୍ତ୍ରୀଙ୍କ ନାମରେ ଏତଲା ଦେଲେ ପରିବାର

ଭଞ୍ଜନଗର,: ଗତ ମାସ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବତୀ ଜଣଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଜେ.ଅନୀତା(୩୪)। ଅଚାନକ ତାଙ୍କର ଏଭଳି ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ମୃତ୍ୟୁର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି।

ପ୍ରବଳ ମାନସିକ ଚାପ ନେଇ ସେ ଆତ୍ମହତ୍ୟା କରିଥିବା ବେଳେ ସେ ଆତ୍ମହତ୍ୟା କରିବା ପଛରେ ତାଙ୍କ କାର୍ଯ୍ୟାଳୟର ଜଣେ ପୁରୁଷ ସହକର୍ମୀ ଯନ୍ତ୍ରୀ ରହିଥିବା ପ୍ରମାଣ ପରିବାର ଲୋକ ପାଇଛନ୍ତି। ଯାହାକୁ ନେଇ ମୃତ ଅନୀତାଙ୍କ ଭଉଣୀ ଜେ.ଆରତୀ ସେହି ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କ ନାମରେ ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହ ସେହି ଦିଗରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ଏସଂର୍ପକରେ କୌଣସି ସୂଚନା ଦେବା ପାଇଁ ପୁଲିସ୍ ମନା କରିଦେଇଛି।

ସୂଚନା ଅନୁଯାୟୀ, ଅନୀତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ନିଜ ଘର ଦିଗପହଣ୍ଡି ଥାନା ପଦ୍ମନାଭପୁର ହୋଇଥିବା ବେଳେ ପରିବାର ବ୍ରହ୍ମପୁରରେ ରହୁଥିଲେ। ସେ ଗତବର୍ଷ ମାର୍ଚ୍ଚମାସରୁ ଏଠାରେ ଯୋଗଦେଇ ଥିଲେ। ବର୍ତ୍ତମାନ ତାଙ୍କର ବଦଳି ହୋଇଯାଇଥିବା ବେଳେ ଏଠାରୁ ରିଲିଭ୍ ହେଲେ ବ୍ରହ୍ମପୁର ଯାଇଥାନ୍ତେ ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି। ଗତ ୨୨ ତାରିଖ ଦିନ ସ୍ଥାନୀୟ ଲୋକ ତାଙ୍କୁ ଦେଖିଥିବା ବେଳେ ତା ପରଠାରୁ ଅନୀତା ଘର କବାଟ ଭିତର ପଟୁ ଖୋଲି ନଥିବା ସହ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ତାଙ୍କ ପରିବାରକୁ ଖବର ଦେଇଥଲେ।

ପରିବାର ଲୋକ ସେଠାରେ ପହଁଞ୍ଚି ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ୍ ମଜିଷ୍ଟ୍ରେଟ୍ ସହକାରୀ ଜିଲ୍ଲାପାଳ ବିକାଶ ଚନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ଘରର କବାଟ କାଟି ଘର ଭିତରୁ ଅନୀତା ମୃତଦେହ ଫେନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ସେହି ଦିନ କିଛି ମିଳି ନଥିବା ବେଳେ ଶବବ୍ୟବଚ୍ଛେଦ ପରେ ପରିବାର ଲୋକ ମୃତଦେହ ନେଇ ବ୍ରହ୍ମପୁର ଫେରିଥିଲେ। ଏହାର କିଛି ଦିନ ପରେ ଅନୀତାଙ୍କ ମୋବାଇଲରେ ଥିବା ପାସୱାର୍ଡକୁ ଖୋଲି ଆତ୍ମହତ୍ୟା ସଂର୍ପକୀତ ତଥ୍ୟ ପାଇବା ପରେ ଥାନାରେ ଆସି ଏତଲା ଦେଇଛନ୍ତି ପରିବାରଲୋକ।

ଅନୀତା ମୃତ୍ୟୁ ପୂର୍ବରୁ ଭିଡ଼ିଓ ଜାରି କରି ତାଙ୍କ ମୃତ୍ୟୁର କାରଣ ତାଙ୍କ ସହକର୍ମୀ ପୁରୁଷ ଯନ୍ତ୍ରୀ ବୋଲି କହିଥିବା ବେଳେ ଏକ ସୁଇସାଇଡ୍ ନୋଟର ଫଟୋ ତାଙ୍କ ମୋବାଇଲରେ ରହିଥିଲା। ସେହି ଆଧାରରେ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ମୃତଦେହ ମିଳିଥିବା ଘର ଭିତରୁ ଯାଇ ଯାଞ୍ଚ କରିବା ପରେ ସୁଇସାଇଡ଼ ନୋଟ୍ ମଧ୍ୟ ଜବତ କରିଛି। ସେହି ସୁଇସାଇଡ଼୍ ନୋଟରେ ମୃତ ଯନ୍ତ୍ରୀଙ୍କ ସହକର୍ମୀ ପୁରୁଷ ଯନ୍ତ୍ରୀ ତାଙ୍କ ମୃତ୍ୟୁର କାରଣ ବୋଲି ଉଲ୍ଲେଖ ରହିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଖାଇ ସେ ଶାରୀରିକ ସଂର୍ପକ ରଖିଥିବା ଏତଲାରେ ଦର୍ଶାଯାଇଛି।

ଏଥିସହ ଅନୀତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହ ବିଭିନ୍ନ ପ୍ରକାର ସୋସିଆଲ୍ ମିଡିଆରେ ସଂର୍ପକ ରଖୁଥିବା ଏତଲା ଦେଇଛନ୍ତି। ଉଭୟ ସୁଇସାଇଡ ନୋଟ ଏବଂ ମୃତ୍ୟୁ ପୂର୍ବର ଭିଡିଓକୁ ଆଧାର କରି ପୁଲିସ୍ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇଥିବା ବେଳେ ତଦନ୍ତ ପ୍ରକ୍ରିୟରେ ବାଧା ଉପୁଜିବା ଭୟରେ କୌଣସି ତଥ୍ୟ ପ୍ରକାଶ କରିନାହିଁ। ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେ୍ଳେ ଅଭିଯୁକ୍ତକୁ ତୁରନ୍ତ ଧରି ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର