ଜୟପୁର ଉପକଣ୍ଠରେ ନଗଡାସ୍ଥିତି: ଗୋଟିଏ ପରିବାରରୁ ୯ ଶିଶୁଙ୍କୁ ଅପପୁଷ୍ଟି, ଅଚିନ୍ତାରେ ଶୋଇଛି ପ୍ରଶାସନ

ନାହିଁ‌ ପୁଷ୍ଟସାଧନ କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ର

ଜୟପୁର (ଶ୍ରୀକାନ୍ତ ସାହୁ): ଗୋଟିଏ ପରିବାରରେ ଜଣେ ଲେଖାଏଁ ଅପପୁଷ୍ଟିର ଶିକାର।  ନଗଡା ପରେ ଏବେ ଅପପୁଷ୍ଟିରେ ଅଭିଶପ୍ତ ପାଲଟି ଯାଇଛି କୋରାପୁଟ ଜିଲ୍ଲାର ଜୟପୁର ଉପକଣ୍ଠ। ସହରଠାରୁ ମାତ୍ର ୫ କିଲୋମଟିର ଦୂରରେ ରହିଥିବା ଏହି ପାହାଡି ଇଲାକାର ଏହି ମଣିଷ ଏବେ ଆହାର ସନ୍ଧାନରେ ସଂଗ୍ରାମ କରୁଛନ୍ତି ।

ପନିବରିବା ତ ଦୂରର କଥା ସରକାର ବାଂଟୁଥିବା ଛତୁଆ, ଅଣ୍ଡା ଓ ଚାଉଳ ବି ଏହି ଅପହଂଚ ଇଲାକାରେ ପହଁଚିପାରୁନି । ଆଉ ଭୋକିଲା ପେଟରେ ଆଉଟୁ ପାଉଟୁ ହେଉଛନ୍ତି ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତର ଶିଶୁ । ଏହି କୁନି କୁନି ପିଲା ମାନଙ୍କ ଆଖିକୁ ଦେଖିଲେ ସଫା ସଫା ବୁଝା ପଡୁଛି ସେମାନଙ୍କର ମନ ତଳର ବ୍ୟଥା ଓ ଭୋକର ଭାଷା। ସରକାରୀ ଭାବେ ଏବେ ସୁଦ୍ଧା ଏହି ଅଞ୍ଚଳରେ କୌଣସି ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା କୁହାଯାଉଛି । କିନ୍ତୁ ଏହି ଚାଳ ଛପର ଘର ଭିତରେ ହୁଗୁଳା ଶରୀର ହିଁ ବୟାନ କରୁଛି ଆଦିବାସୀ ହରିଜନ ଅଧିବାସୀଙ୍କ ବସ୍ତବତା। ଏଠାରେ ନା ଅଛି ଅଙ୍ଗନୱାଡି କେନ୍ଦ୍ର ନାଁ ପହଁଚି ପାରୁଛି ସରକାରଙ୍କ ଯୋଜନା । ଏଭଳି ସ୍ଥିତିରେ ଗର୍ଭବତୀ ଓ ଶିଶୁ ମାନେ ପୁଷ୍ଟିକର ଖାଦ୍ୟ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ।

ନଗଡା ପରେ ଏବେ ଜୟପୁର ବ୍ଲକରେ ଦେଖାଦେଇଛି ଅପପୁଷ୍ଟି। ଆଜି ସମ୍ବାଦର ଏକ ଟିମ ଗାଁ ଅନୁସନ୍ଧାନରେ ଯାଉଥିବା ସମୟରେ ଜୟପୁର ବ୍ଲକ ଅନ୍ତର୍ଗତ ପୁଟୁରାଗୁଡା ଅଞ୍ଚଳରେ ୩ଟି ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗ ଜନକ ଥିଲେ ମଧ୍ୟ ପରିବାର ଲୋକ ନିକଟରେଥିବା ପୁଷ୍ଟିସାଧନ କେନ୍ଦ୍ର କିମ୍ବା ଚିକିତ୍ସାଳୟକୁ ଯାଇ ଚିକିତ୍ସା କରୁନଥିବା ଜଣାପଡୁଛି। ଜୟପୁର ବ୍ଲକର ବାରିଣିପୁଟ ପଞ୍ଚାୟତ ଅନ୍ତର୍ଗତ ପୁଟୁରାଗୁଡା ଗ୍ରାମରେ ୪୫ଟି ପରିବାର ବସବାସ କରନ୍ତି। ଏହି ଗ୍ରାମର ଲୋକେ କୁମୁଲିପୁଟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହି ଗ୍ରାମରେ ଗୋଟିଏ ଭି ଅଙ୍ଗନଵାଡିକେନ୍ଦ୍ର ନାହିଁ। ଏଠାକାର ପିଲାମାନେ ନିକଟସ୍ଥ ଶୁଣ୍ଢିଗୁଡା ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଗର୍ଭବତୀ ମହିଳାମାନେ କଷ୍ଟ ସହି ୧୦ କିଲୋମିଟର ଦୁରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଚଳୁଛନ୍ତି। ଏହି ଗ୍ରାମରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ନିମନ୍ତେ କୌଣସି ସୁବିଧା ନାହିଁ।

ପୁଟୁରାଗୁଡା ଅଞ୍ଚଳର ପୁର୍ଣ୍ଣ ମୁଦୁଲି ଓ ରୁପାଲି ମୁଦୁଲିଙ୍କ ଗୋଟିଏ ବର୍ଷର କନ୍ୟା ସନ୍ତାନ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ସେହି ଗ୍ରାମର ତଳ ସାହିର ସୁବୁତି ପରଜା ଓ ଦାମ ପରଜାଙ୍କ ୩ଟି ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେହିପରି ତଳ ସାହିର ମୋତିପରଜାର ଗୋଟିଏ ବର୍ଷର ଝିଅ ଗରି ପରଜାରଙ୍କ ଶିଶୁକୁ ଅପପୁଷ୍ଟି ହେବା ସହ ଖାଦ୍ୟ ଅଭାବ ଯୋଗୁଁ ତାହାର ଶରିରର ଅବସ୍ଥା ମଧ୍ୟ ଗୁରୁତର ହେବାରେ ଲାଗିଛି।

ସରକାର ଗର୍ଭମତି ମହିଳାଙ୍କ ଠାରୁ ଆରମ୍ଭ କରି ବୁଢାବୁଢି ମାନଙ୍କ ନିମନ୍ତେ ପେନସନ ଯୋଜନା ପରି ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ ହେଁ ଆଜି ସୁଦ୍ଧା ଏହି ଗାଁ ପାଇଁ ସେହିସବୁ ଯୋଜନା ସାତ ସପନ ହୋଇ ରହିଛି। ଏନେଇ ବହୁବାର ଗ୍ରାମବାସୀ ମାନେ ସରକାରଙ୍କ ଆଗରେ ନିଜ ସମସ୍ୟା ବିଷୟରେ ଉପସ୍ଥାପନ କଲେ ମଧ୍ୟ ଏହି ଗ୍ରାମ ପାଇଁ ତାହା କାର୍ଯ୍ୟକାରି  ହୋଇପାରୁନାହିଁ। ପୁଷ୍ଟି ହିନତା ନହେବା ପାଇଁ ସରକାରଙ୍କ ପକ୍ଷରୁ ଏହି ଗ୍ରାମରେ କଣ ସୁବିଧା କରାଯାଇପାରିବ ତଥା ଏହି ଗ୍ରାମରେ କେବେ ଅଙ୍ଗନଵାଡି କେନ୍ଦ୍ରଟିଏ ଖୋଲାଯିବ ତାହା ଦେଖିବା ପାଇଁ ଗ୍ରାମବାସୀ ମାନେ ଅପେକ୍ଷାର ସହ ଜଗି ବସିଛନ୍ତି।

 

ସମ୍ବନ୍ଧିତ ଖବର