କନ୍ଧମାଳ: ନବଜାତ ଶିଶୁ କନ୍ୟାକୁ ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ବାପା
ପୀଡ଼ିତାଙ୍କ ପରିବାର ପ୍ରତି ବିପଦ ରହିଛି: ବିଜେପି
ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ସେବାଶ୍ରମର ଛାତ୍ରୀ ମା’ ହେବା ଘଟଣାରେ ପୀଡ଼ିତାଙ୍କ ବାପା ଶନିବାର ମୁହଁ ଖୋଲିଛନ୍ତି। ପୀଡ଼ିତା ଜନ୍ମ କରିଥିବା ନବଜାତ ଶିଶୁ କନ୍ୟାକୁ ବଡ଼ବଡ଼ିଆ ଲୋକେ ହତ୍ୟା କରିଥିବା ପିତା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ଆଣିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଏତଲାରେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟରେ ଆଦିବାସୀ ପୀଡ଼ିତାଙ୍କ ପରିବାର ପ୍ରତି ବିପଦ ଅଛି ବୋଲି ଭାରତୀୟ ଜନତା ପାର୍ଟିର କର୍ମୀମାନେ ଅଭିଯୋଗ ଆଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେବାଶ୍ରମର ନାବାଳିକା ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଘଟଣା ପ୍ରଘଟ ହେବା ପରେ ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ସୁପରିଟେଣ୍ଡେଣ୍ଟ, ସହକାରୀ ଶିକ୍ଷକ, ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ଷଡ଼ଯନ୍ତ୍ର କରି ମୁଖ୍ୟମନ୍ତ୍ରୀ, ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ସମସ୍ତେ ସଂଘବଧ ଭାବେ ଚକ୍ରାନ୍ତ କରି ମୋର ଝିଅ ଓ ନବଜାତ ଶିଶୁକନ୍ୟାକୁ ହଷ୍ଟେଲରୁ ଚଲାଇ ନେଇ ଶୀତ ରାତିରେ ପ୍ରାୟ ୫ କିଲୋମିଟର ଦୂର ଜଙ୍ଗଲରେ ଛାଡ଼ି ଦେଲେ।
ପ୍ରବଳ ଦାରିଙ୍ଗବାଡ଼ି ଥଣ୍ଡା ସହିନପାରି ଝିଅ ଏବଂ ନବଜାତ ଶିଶୁ କନ୍ୟାର ଦେହ ଖରାପ ହେବାରୁ ତାକୁ ନେଇ ବାଲିଗୁଡ଼ା ମେଡିକାଲ ପରେ ବ୍ରହ୍ମପୁର ଏହି ପରି ଭାବରେ ଥଣ୍ଡାରେ ବୁଲାଇ ବୁଲାଇ ଉଦ୍ଦେଶ୍ୟମୂଳକ ଭାବେ ନିଜକୁ ଏବଂ ସରକାରଙ୍କୁ ବଂଚାଇବା ପାଇଁ ଉପର ଲିଖିତ ଅସାମାଜିକ ବ୍ୟକ୍ତିମାନେ ଜାଣିଶୁଣି ଷଡ଼ଯନ୍ତ୍ର କରିଛନ୍ତି। ନିଜକୁ କନ୍ଧ ସଂପ୍ରଦାୟର କହି ପିତା ଅଭିଯୋଗ ଆଣିଛନ୍ତି ଯେ, ସେମାନେ ଶିଶୁ କନ୍ୟାକୁ ହତ୍ୟା କରିଦେଲେ । ଥାନାରେ ଅଭିଯୋଗ ଦେବା ସମୟରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁସୂଚିତ ଜାତି ସଂପାଦକ ନେତ୍ର ମାନସେଠ, କନ୍ଧମାଳ ବଜେପି ସଭାପତି ଲିଙ୍ଗରାଜ ବେହେରା ଏବଂ ସଂପାଦକ ତପନ ପାତ୍ର ଉପସ୍ଥିତ ଥିଲେ।