ମହାନଦୀ ଡଙ୍ଗା ବୁଡ଼ି ଘଟଣା : ଦୁଇ ଭଉଣୀ ପୂର୍ଣ୍ଣିମା, ସବିତାଙ୍କ କ୍ଷୋଭ

ଆମକୁ ସମ୍ବର୍ଦ୍ଧନା ନୁହେଁ, ଆମ ଅଞ୍ଚଳକୁ ସେତୁ ସଂଯୋଗ କର

କେନ୍ଦ୍ରାପଡ଼ା/ମହାକାଳପଡ଼ା: ସରକାର ବତୀଘର ଅଞ୍ଚଳକୁ ସେତୁ ସ˚ଯୋଗ କରନ୍ତୁ। ଗମନାଗମନର ସୁବିଧା ପାଇଁ ପଦକ୍ଷେପ ନିଅନ୍ତୁ। ଅଞ୍ଚଳରେ ଏହିସବୁ ଉନ୍ନତିମୂଳକ କାର୍ଯ୍ୟ କରାଗଲେ ଆମକୁ ବ୍ୟକ୍ତିଗତ ସମ୍ବର୍ଦ୍ଧନା ଦେବାଠାରୁ ଆମେ ଅଧିକ ଖୁସି ହେବୁ। ଆଜି ଏଭଳି ବୟାନ ରଖିଛନ୍ତି ମହାନଦୀ ଡଙ୍ଗା ବୁଡି ସମୟରେ ନିଜ ଜୀବନକୁ ବାଜି ଲଗାଇ ୧୩ ଜଣଙ୍କୁ ଉଦ୍ଧାର କରିଥିବା ନିପାଣିଆ ଗ୍ରାମର ଦୁଇ ସଂପର୍କୀୟ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି।
ଏହି ଦୁଇ ଭଉଣୀଙ୍କୁ ଆଜି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମହାକାଳପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କ ସାହସିକତାକୁ ସାବାସୀ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ରାପଡ଼ା ହେଉଛି ବୀରର ମାଟି। ଏ ମାଟିର ସନ୍ତାନ ନିଜ ଜୀବନକୁ ବିପନ୍ନ କରି ଅନ୍ୟର ଜୀବନ ବଞ୍ଚାଇବା ଘଟଣା ଅନନ୍ୟ ଉଦାହାରଣ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ମାଟିର ପିଲା ଦୁଇବର୍ଷ ହେଲା ଲଗାତାର ଜାତୀୟ ପୁରସ୍କାର ପାଇ ଆସୁଛନ୍ତି। ଏହି ଦୁଇ ଭଉଣୀଙ୍କ ନାମ ଜାତୀୟ ସାହସିକତା ପୁରସ୍କାର ପାଇଁ ସୁପାରିଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଏଭଳି ସାହସିକତା ଦେଖାଇଥିବା ସବିତାଙ୍କ ବାପା ବୁଦ୍ଧଦେବ ଗିରି ଜଣେ ମତ୍ସ୍ୟଜୀବୀ। ଅଭାବଅନାଟନରେ ଜୀବିକା ନିର୍ବାହ କରିଥାନ୍ତି ା ଗଲା ୨ ତାରିଖରେ ଘଟିଥିବା ଡଙ୍ଗା ବୁଡି‌ ସମୟରେ ଉଦ୍ଧାର କାର୍ଯ୍ୟରେ ବୁଦ୍ଧଦେବଙ୍କର ମଧୢ ଉଲ୍ଲେଖନୀୟ ଭୂମିକା ରହିଥିଲା। ତାଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ଡ଼କା ଯାଇଥିଲେ ବି ସେ ଆସି ନ ଥିଲେ। କାରଣ, ମାତ୍ର ମାସକ ତଳେ ତାଙ୍କର ୨ ବର୍ଷର ଏକମାତ୍ର ପୁଅ ରାଜା ଘର ନିକଟସ୍ଥ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲା। ସେହି ଦୁଃଖଦ ଘଟଣାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି। ଡ଼ଙ୍ଗା ବୁଡ଼ିରେ ମୃତ୍ୟୁ ବରଣ କରିଥିବା ଶିଶୁଙ୍କୁ ଦେଖି ସେ ନିଜ ପୁଅ କଥା ମନେ ପକାଇ ଘରେ ଅବାକ୍‌ ହୋଇ ବସି ରହିଛନ୍ତି। ସବିତାଙ୍କୁ ମିଶାଇ ତାଙ୍କର ୪ ଝିଅ। ବୁଦ୍ଧଦେବଙ୍କ ସାନ ଭାଇ ଉତ୍ତମଙ୍କର ଝିଅ ପୂର୍ଣ୍ଣିମା ବି ଏହି ଉଦ୍ଧାର କାର୍ଯ୍ୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ପୂର୍ଣିମାଙ୍କର ବି ଆଉ ଦୁଇ ଭଉଣୀ ଅଛନ୍ତି।
ବୁଧବାର ରାତି ପ୍ରାୟ ୭ଟାରେ ଦୁଇ ଭଉଣୀ ଘରେ ପାଠ ପଢୁଥିବା ବେଳେ ନଦୀ କୂଳରୁ ‘ବଞ୍ଚାଅ, ବଞ୍ଚାଅ’ ଚିତ୍କାର ଶୁଣି ସେଠାକୁ ଧାଇଁ ଯାଇଥିଲେ। ପାଣିରେ ବୁଡ଼ି ଯାଉଥିବା ୨ ଜଣ ମହିଳାଙ୍କୁ ପ୍ରଥମେ ନଦୀ ମଧୢରୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ଡ଼ାକ ପକାଇଥିଲେ। ଗ୍ରାମବାସୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ କରିବା ଫଳରେ ଅନ୍ୟ ୪୫ ଜଣଙ୍କ ଜୀବନ ରକ୍ଷା ସମ୍ଭବ ହୋଇ ପାରିଥିଲା।
ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଭଉଣୀଙ୍କ ମମେତ ୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନଦୀ ଭିତରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବିଭୂତି ଭୂଷଣ ସାହାଣୀଙ୍କୁ ରେଡକ୍ରସ ପାଣ୍ଠିରୁ ମନ୍ତ୍ରୀ ଶ୍ରୀ ସାମଲ ୫ ହଜାର ଓ ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଂଜୟ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ବରାଳ, ଜିଲ୍ଲା ପରିଷଦ ସଭ୍ୟା ନଳିନୀପ୍ରଭା ଚୌଧୁରୀ, ବିଡିଓ ରମେଶ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର