ଲକ୍ଷେଶ୍ବର ମନ୍ଦିରରେ ଉଠିଲା ମହାଦୀପ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ନଖରାସ୍ଥିତ ଲକ୍ଷେଶ୍ବର ମନ୍ଦିରରେ ଆଜି ରାତି ଠିକ୍ ୧୦ଟା ସମୟରେ ମହାଦୀପ ଉଠିଛି। ଏହି ଅବସରରେ ମନ୍ଦିର ପରିସର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଥିଲା। ୬୦ଫୁଟ ବିଶିଷ୍ଟ ମନ୍ଦିରକୁ ବିଭିନ୍ନ ପ୍ରକାରର ଫୁଲ ଏବଂ ରଙ୍ଗବେରଙ୍ଗର ଆଲୋକମାଳରେ ସୁସଜ୍ଜିତ କରାଯାଇଥିଲା। ସକାଳ ସାଢ଼େ ୪ଟାରେ ମନ୍ଦିର ମୁଖ୍ୟ ଫାଟକ ଖୋଲାଯିବା ପରେ ସ୍ବତନ୍ତ୍ର ପୂଜାନୀତି ଆରମ୍ଭ ହୋଇଥିଲା। ମାର୍ଜନା ଓ ସ୍ନାନ ପରେ ୫ଟାରେ ଠାକୁରଙ୍କ ନିକଟରେ ବାଳଧୂପ ଲାଗି ହୋଇଥିଲା। ମଧ୍ୟାହ୍ନରେ ଡାଲମା, ଖେଚୁଡ଼ି ନୈବେଦ୍ୟ କରାଯାଇଥିଲା। ଅପରାହ୍ନ ୪ଟା ସମୟରେ ବଡ଼ସିଂହାର ବେଶ ସଂପନ୍ନ ହୋଇଥିଲା। କୋଭିଡ଼ ନିୟମ ଆଧାରରେ ସଂଧ୍ୟାରେ ମନ୍ଦିର ବାହାରେ ଶହ ଶହ ଶ୍ରଦ୍ଧାଳୁ ଦୀପ ଜାଳିଥିଲେ। ସଂଧ୍ୟା ଆଳତୀ ସରିବା ପରେ ଦହିପଖାଳ ଭୋଗ ଲାଗି ହୋଇଥିଲା।

ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ଓ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା। ସମବେତ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ମନ୍ଦିର ପ୍ରକମ୍ପିତ ହୋଇଉଠିଥିଲା। ରାତି ୧ଟା ରେ ମନ୍ଦିର ଶୀର୍ଷରେ ନେତ ବନ୍ଧା ଯିବା ସହ ମହାଦୀପ ସ୍ଥାପନ ନୀତି ସଂପନ୍ନ ହୋଇଥିଲା। ଟ୍ରଷ୍ଟର ସଂପାଦକ ବଂଶୀଧର ଭୋଳ ଏବଂ ସଭାପତି ଅନନ୍ତ ଚରଣ ବରାଳଙ୍କ ସମେତ ସମସ୍ତ ପୂଜକ, ସେବାୟତ, ପରିଷଦବର୍ଗ କାର୍ଯ୍ୟ ପରିଚାଳନା କରିଥିଲେ। ଅନୁରୂପ ଭାବେ ବେଣୁପୁର ସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର, ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର ଓ ସିଦ୍ଧେଶ୍ବର ମନ୍ଦିର ସମେତ ଅନ୍ୟ ସମସ୍ତ ଶୈବ ପୀଠରେ ମହାଦୀପ ସ୍ଥାପନ ବିଧି ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର