ବଣ୍ଡା ମହିଳାଙ୍କ ହଜିଥିବା ଟଙ୍କା ବ୍ୟାଗକୁ ଫେରାଇଲେ ବ୍ୟବସାୟୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକ ସଦର ମହକୁମାରେ ଜଣେ ବ୍ୟବସାୟୀ ବଣ୍ଡା ମହିଳାଙ୍କୁ ଟଙ୍କା ବ୍ୟାଗ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି। ଘଟଣା ଅନୁଯାୟୀ କିଛିଦିନ ତଳେ ବଣ୍ଡା ମହିଳା ଗୁରୁବାରି ଶିଶା ଖଇରପୁଟ ଆସି ବ୍ୟାଙ୍କରୁ ୩ ହଜାର ଟଙ୍କା ଉଠାଇଥିଲେ। ଏଥିସହ ସେହି ବ୍ୟାଗରେ କିଛି ପନିପରିବା ମଧ୍ୟ କିଣିଥିଲେ। ତେବେ ସେହି ବ୍ୟାଗକୁ ଏକ ଖଇରପୁଟର ଜଣେ ଦୋକାନୀଙ୍କ ପାଖରେ ଛାଡି ଚାଲିଯାଇଥିଲେ।ସେ ଗୁରୁବାରି ଘରକୁ ଫେରି ତାଙ୍କ ବ୍ୟାଗ ଖୋଜିଥିଲେ।ତେବେ ସେ ଆଉ ପାଇନଥିଲେ। ତେବେ ଘର ଲୋକ ତାଙ୍କୁ ଏଥିପାଇଁ ଦାୟୀ କରୁଥିଲେ। ତେଣୁ ଗୁରୁବାରି ଆତ୍ମହତ୍ୟା କରିବାପାଇଁ ମଧ୍ୟ ଚିନ୍ତା କରିଥିଲେ।

ତେବେ ଏହି ସମୟରେ ବ୍ୟବସାୟୀ ହରି ପ୍ରଧାନ ବ୍ୟାଗ ଗୋଟିଏ ପାଇଥିବା ନେଇ ସମସ୍ତଙ୍କୁ ଜଣାଇଥିଲେ। ଏହି ଖବର ମାଲକାନଗିରିର ସମାଜସେବୀ ରାମକୃଷ୍ଣ ଚୌଧୁରୀ ପାଇବା ପରେ ବଣ୍ଡାଘାଟିର ବଡପଡା ଅଂଚଳର ଜଣେ ଶିକ୍ଷକଙ୍କ ସହ କଥାବାର୍ତ୍ତା କରି ସେହି ମହିଳାଙ୍କୁ ବ୍ୟାଗ ସଂପର୍କରେ ଅବଗତ କରାଇଥିଲେ। ଏହି ଟଙ୍କା ଏବଂ ସେହି ବ୍ୟାଗରେ ଥିବା କାଗଜପତ୍ର ତାଙ୍କ ପାଇଁ ଅମୂଲ୍ୟ ଥିଲା।

ଆଜି ମହିଳା ଏବଂ ତାଙ୍କ ପୁଅ ଖଇରପୁଟରେ ପହଞ୍ଚି ହରି ପ୍ରଧାନଙ୍କୁ ଦେଖା କରିଥିଲେ। ହରି ପ୍ରଧାନ ସେହି ବ୍ୟାଗକୁ ଗୁରୁବାରି ହାତରେ ପ୍ରଦାନ କରିଥିଲେ। ଗୁରୁବାରି ଓ ତାଙ୍କ ପୁଅ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଏହି ମାନବିକତା ପାଇଁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର