ମୋବାଇଲ ଯାଞ୍ଚରୁ ମିଳିବ ପ୍ରମାଣ

ଗୋବିନ୍ଦପାଲ୍ଲୀ ଛାତ୍ରୀ ଅସଦାଚରଣ ଘଟଣା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଦୁଷ୍କର୍ମ ଘଟଣାର ତଦନ୍ତ ଜାରି ରହିଛି। ପୀଡିତାଙ୍କ ଅଭିଯୋଗକୁ ନେଇ ପୁଲିସ ଅନ୍ୟମାନଙ୍କ ସଂପୃକ୍ତି ରହିଛି ନା’ ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଗତକାଲି ସକାଳେ ପୀଡିତାଙ୍କ ମୋବାଇଲ ଫୋନ ନେଇଛି। ତାହାକୁ ସାଇବର ସେଲକୁ ପଠାଇବ ବୋଲି ଜଣାପଡିଛି। ସେହିପରି ଅଭିଯୁକ୍ତ ମାନଙ୍କର ମୋବାଇଲକୁ ବି ଯାଞ୍ଚ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଘଟଣା ପରେ ଅଭିଯୁକ୍ତମାନେ ମୋବାଇଲରୁ ଫଟୋ ଓ ଭିଡିଓ ଡିଲିଟ୍‌ କରିବାର ସମ୍ଭବାନ ଅଧିକ ରହିଛି। ତେଣୁ ସାଇବର ସେଲରେ ତାହାକୁ ଯାଞ୍ଚ କରିବା ପରେ ହିଁ ସ୍ପଷ୍ଟ ତଥ୍ୟ ମିଳିବ।
ସ୍କୁଲ ପରିସରରେ ଥିବା କ୍ୱାର୍ଟର୍ସରେ ଅଭିଯୁକ୍ତ ଅଧ୍ୟାପକ ରହୁଥିଲେ। ଅଧ୍ୟାପକ ଜଣକ ଏହି କ୍ୱାର୍ଟର୍ସରେ ହିଁ ପ୍ରଥମେ ପୀଡିତାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓକୁ ସେ ଗୋଟିଏ ମୋବାଇଲରେ ରେକର୍ଡ ମଧ୍ୟ କରିଥିବା ପୀଡିତା କହୁଛନ୍ତି। ଯଦି ପୁଲିସ ବୈଷୟିକ ସହାୟତା ନେଇ ଘଟଣାର ଖୋଳତାଡ କରିବା ଆରମ୍ଭ କରିବ ତାହାଲେ ଠୋସ୍‌ ପ୍ରମାଣ ମିଳିବାରେ ଆଦୌ ବିଳମ୍ବ ହେବନାହିଁ ବୋଲି ମତ ପ୍ରକାଶ ପାଇଛି। ସେହିପରି ବର୍ତମାନ ବିଦ୍ୟାଳୟ ପରିସରରେ ନିର୍ମାଣ କାମ ଚାଲିଥିବାରୁ ବହୁ ଲୋକ ଯାଆସ କରୁଛନ୍ତି। ତେଣୁ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ନେଇ ବି ପ୍ରଶ୍ନ ଉଠିଛି। ଏନେଇ ମାଲକାନଗିରି ଏସପି ଜଗମୋହନ ମୀନାଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଶେଷ ହୋଇ ନଥିବା କହିଥିଲେ। ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତରେ ଯାହାର ବି ସଂପୃକ୍ତି ସାମ୍ନାକୁ ଆସିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ପୀଡିତାଙ୍କୁ ଶିଶୁ ସୁରକ୍ଷା କମିଟି ଜିମାରେ ରଖାଯାଇଛି। ତେବେ ତାଙ୍କ ପାଠପଢାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଯୁକ୍ତ୨ ପରୀକ୍ଷା ପାଇଁ ଆଉ ୩ମାସ ରହିଥିବା ବେଳେ ସେ କେମିତି ପାଠ ପଢିବେ। ବର୍ତମାନ ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ କାଉନସେଲିଂ ମାଧ୍ୟମରେ ତାଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ମତ ପ୍ରକାଶ ପାଇଛି। ସେହିପରି ପାଠପଢା ସେମିତି ହୋଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଜରୁରି ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର