ସାହାରପଡା ବ୍ଲକ ଘେରିଲେ ଚାଷୀ ଓ ବିଜେପି

କେନ୍ଦୁଝର: ସାହାରପଡା ଲ୍ୟାମ୍ପସର ଅନିୟମିତତାକୁ ନେଇ ମଙ୍ଗଳବାର ଦିନ ସାହାରପଡା ବ୍ଲକ ଅଫିସକୁ ଚାଷୀ ଓ ବିଜେପି କର୍ମୀ ମିଳିତ ଘେରାଉ କରିଥିଲେ। ଦୀର୍ଘ ସମୟ ଘେରାଉ ପରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡିଓ, ଏମଆଇ, ଏମଡି ମଧୁସୂଦନ ମହାନ୍ତ, ବିଜେପି ନେତା ଅଂଶୁମାନ ସବୁଜ ମହନ୍ତବର୍ମା, ବ୍ଲକ୍ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାୟକ, ବ୍ଲକର ଦୁଇ ସମ୍ପାଦକ ହରିଶ୍ଚନ୍ଦ୍ର ମହାନ୍ତ ଓ ସୁଦର୍ଶନ ମହାନ୍ତ ଏବଂ ଚାଷୀ ପ୍ରତିନିଧି ବୈଠକରେ ଯୋଗଦେଇଥିଲେ। ବିଡ଼ିଓଙ୍କ ନିର୍ଦେଶରେ ସାହାରପଡା ଲ୍ୟାମ୍ପସରେ ଧାନ କିଣା କିପରି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହୋଇଥିଲା।

ସର୍ବସମତିରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଚାଷୀଙ୍କ ନିମନ୍ତେ ଆସୁଥିବା ଟୋକନ ଲ୍ୟାମ୍ପସ କାର୍ଯାଳୟରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ। ଗୋଟିଏ ଧାନ ସଂଗ୍ରହ କେନ୍ଦ୍ରରେ ଦିନକୁ ୧୫୦୦ କୁଣ୍ଟାଲ ଧାନ କିଣାଯିବ। ଚାଷୀ ଧାନ ଦେଇ ସାରିବା ପରେ ପିପିସିରେ ତତ୍କାଳ ଆଖି ସ୍କାନ କରାଯିବ। ସେହିଦିନ ହିଁ ଚାଷୀଙ୍କୁ ଭେଣ୍ଡର ରସିଦ ଦିଆଯିବ। ଯେଉଁ ଟ୍ରକରେ ଧାନ ମିଲର ପାଖକୁ ଯିବ ସେଇ ଯାନ ଗୁଡିକର ରେଜିଷ୍ଟ୍ରେସନ ନମ୍ବର ଲ୍ୟାମ୍ପସରେ ପ୍ରଦର୍ଶିତ ହେବ।

ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ଚାଷୀଙ୍କ ନିମନ୍ତେ ଅସ୍ଥାୟୀ ତମ୍ବୁ ଏବଂ ପାନୀୟ ଜଳର ବନ୍ଦୋବସ୍ତ କରାଯିବ। ଯେଉଁ ଟୋକନ ଗୁଡ଼ିକର ସମୟ ଅବଧି ସରିଯାଉଛି, ତାର ତାଲିକା ପ୍ରସ୍ତୁତ କରାଯାଇ ଡିଆରସି, ସିଆରସିଙ୍କୁ ଅବଗତ କରାଯିବ। ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ଧାନ ବିକି ସାରିଛନ୍ତି, ସେମାନଙ୍କର ମଣ୍ଡି ହ୍ୟାଣ୍ଡଲିଙ୍ଗ ଚାର୍ଜ ବାବଦକୁ ଆସୁଥିବା ସରକାରୀ ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବ। ଚାଷୀ ମଣ୍ଡିକୁ ଧାନ ଆଣି ସାରିଲା ପରେ ତାଙ୍କ ନାମ ଖାତାରେ ଦରଜ କରାଯିବ। ସୁପରଭାଇଜର ଏବଂ ଏଡ଼ମିନିଷ୍ଟ୍ରେଟର ସାହାରପଡା ଲ୍ୟାମ୍ପସକୁ ନିୟମିତ ଆସି ଧାନ କିଣା ଦେଖିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର