୨୦ରୁ ରବି ଧାନ କିଣା, କୋରାପୁଟ ଜିଲ୍ଲାରେ ଖୋଲିବ ୬୩ ମଣ୍ଡି

କୋରାପୁଟ: ଆସନ୍ତା ୨୦ ତାରିଖରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ରବି ଧାନ କିଣା। ଏଥିପାଇଁ ଜିଲ୍ଲାରେ ୬୩ ଟି ମଣ୍ଡି ଖୋଲିବ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ୧୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବ ବୋଲି ନିଷ୍ପତ୍ତି ହୋଇଛି। କୋରାପୁଟ ଜିଲ୍ଲାରେ ରବି ଧାନ କିଣା ପାଇଁ ଆଜି ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଜୟପୁର ବିଧାୟକ ତାରା ପ୍ରସ‌ାଦ ବାହିନୀପତି, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ବୟନ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ପଙ୍କଜ ପାତ୍ର, ଲକ୍ଷ୍ମୀପୁର ବିଧାୟକଙ୍କ ପ୍ରତିନିଧି ପଣ୍ଡିତ ବିଶୋୟୀ, ଜିଳ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ରବି ଧାନ କିଣା ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏଥର ଲକଡାଉନ ଲାଗିଥିବାରୁ ଧାନ କିଣାବିକା ଆଗଭଳି ସହଜ ହୋଇ ନ ପାରେ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଧାନ କିଣାବିକା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବ।

ଧାନ କିଣାବିକା ପାଇଁ ମୋଟ ୬୩ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ୪୭ ଟି ମଣ୍ଡି ଜୟପୁର ଉପଖଣ୍ଡ ଓ ୧୬ଟି କୋରାପୁଟ ଉପଖଣ୍ଡରେ ଖୋଲିବ। ପ୍ରାଥମିକ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କିଣାଯିବ। ଜଣେ ଚାଷୀ ଦିନକୁ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ। ଗତବର୍ଷ ୧୦ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ଏଥର ଧାନ ବିକିବା ପାଇଁ ଆଗରୁ ପଂଜୀକରଣ କରିଥିବା ଚାଷୀଙ୍କୁ ଟୋକନ ମିଳିବ। ଏହି ଚାଷୀମାନେ ମଣ୍ଡିରେ ଧାନ ବିକିପାରିବେ।

ସମ୍ବନ୍ଧିତ ଖବର