ବଙ୍ଗୋପସାଗରରେ ଡିପ୍-ଡିପ୍ରେସନ : ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ରାୟଗଡ଼ା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଡିପ୍ ଡିପ୍ରେସନ୍ ଘଣ୍ଟା ପ୍ରତି ୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ବିଶାଖାପାଟଣା ଆଡକୁ ଗତି କରୁଛି। ୧୩ ତାରିଖ ସକାଳେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୫୫ରୁ ୭୫ କିମି ମଧ୍ୟରେ ରହିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।

ପାଣିପାଗ ବିଭାଗର ଅନୁମାନ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ରିଲିଫ୍ କମିଶନର ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଡ଼ିଓ, ତହସିଲଦାରଙ୍କୁ ହେଡକ୍ବାର୍ଟର ନ ଛାଡ଼ିବାକୁ କୁହାଯାଇଛି । ବର୍ଷାର ପରିମାଣ ଉପରେ ନଜର ରଖିବା ସହିତ ବଂଶଧାରା, ନାଗାବଳୀ, କଲ୍ୟାଣୀ ଜଳସ୍ତର ଯଦି ବଢ଼େ ତାହାହେଲେ ସଙ୍ଗେ ସଙ୍ଗେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାସ୍ତାଘାଟ ବିଚ୍ଛିନ୍ନ ହେବା ଆଶଙ୍କା କରି ତୁରନ୍ତ ମରାମତି ପାଇଁ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ନିର୍ମାଣ ବିଭାଜନ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ସେବା ନିରିବିଚ୍ଛନ୍ନ ରଖିବାକୁ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ହୋଇଛି।  ଆବଶ୍ୟକ ପରିମାଣର ମେଡ଼ିସିନ୍ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ଏବଂ ଶୁଖିଲା ଖାଦ୍ୟ ପ୍ୟାକେଟ୍ କରିବାକୁ ଯୋଗାଣ ବିଭାଗକୁ ନିର୍ଦେଶ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ସମେତ ରାମନାଗୁଡ଼ା ବ୍ଲକର ଭାମିନିରେ ଦୁଇଟି ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ଆବଶ୍ୟକ ପଡ଼ିବା କ୍ଷଣି ଏହି ଟିମ୍ ପ୍ରଶାସନର ନିର୍ଦେଶରେ ଘଟଣାସ୍ଥଳରେ ପହଞ୍ଚିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି। ଡିପ୍ ଡିପ୍ରେସନ୍ ପ୍ରଭାବରେ ଆଜି ମଧ୍ୟାହ୍ଣରୁ ଜିଲ୍ଲାରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୪୧ ମିମି ବର୍ଷା ରେକର୍ଡ କରାଯାଇଛି। କେବଳ ଗୁଡାରି ବ୍ଲକରେ ୩୦ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଲାଗି ରହିଥିବା ବର୍ଷା ଯୋଗୁ ବଂଶଧାରାର ଜଳସ୍ତର ବଢ଼ିବାରେ ଲାଗିଛି । କୁଟ୍ରାଗଡ଼ ନିକଟରେ ବଂଶଧାରା ଜଳସ୍ତର ଜିରୋ ଲେଭଲ୍ ୨୫୭.୩୦ ମିଟର ଥିବା ବେଳେ ଏବେ ଜଳସ୍ତର ୨୫୭.୭୮ ମିଟର ରହିଛି। ସେହିପରି ଗୁଡାରି ନିକଟରେ ଜିରୋ ଲେଭଲ୍ ୧୧୩.୬୪ ମିଟର ଥିବା ବେଳେ ଜଳସ୍ତର ରହିଛି ୧୧୪.୬୮ ମିଟର। ଗୁଣପୁରରେ ଜିରୋ ଲେଭଲ୍ ୭୮.୨୫ ଥିବା ବେଳେ ଜଳସ୍ତର ୮୧ ମିଟର ରହିଛି। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ବଡନାଳ ଡ୍ୟାମରୁ ୩୫ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। କେନାଲ୍ ମାଧ୍ୟମରେ ୪.୮୬୭ କ୍ୟୁସେକ୍, ସ୍ପିଲ୍ ୱେ ମାଧ୍ୟମରେ ୩୦.୯୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ଅଡବା ହରଭଙ୍ଗୀ ଡ୍ୟାମରୁ ୧୦.୩୪ କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଥିବା ହରଭଙ୍ଗା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର