ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଗୁଣପୁର: ଦୀର୍ଘ ଦିନ ‌ଧରି ଜବରଦଖଲରେ ଥିବା ଗୁଣପୁର ସ୍ଥିତ ଜୁଡିସିଆଲ କଲୋନି ଓ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ସ୍ଥାନକୁ  ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଏହି ସରକାରୀ ସ୍ଥାନକୁ କିଛି ଲୋକ ସଫାସୁତୁରା କରି ଜବରଦଖଲ କରିଥିଲେ। ଏନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଉପଜିଲ୍ଲାପାଳ ବି.ଏସ ବଳିରାମ ଏହାର ତସନ୍ତ କରି ଜବରଦଖଲ ଉଚ୍ଛେଦ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।  ଅପରାହ୍ନରେ ତହସିଲଦାର ନମ୍ରତା ମୋଦି ପୁଲିସ ପ୍ରଶାସନ ସହାୟତାରେ ଜବରଦଖଲ ଉଚ୍ଛେଦ କରିଥିଲେ। ଅନ୍ୟପଟେ ଦୀର୍ଘ ବର୍ଷ ଧରି ସହରର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜମି ଗୁଡିକ ବେଆଇନ ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଇଥିଲେ ହେଁ ରାଜସ୍ବ ବିଭାଗ ଓ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି। ସରକାରୀ ଜମି ଗୁଡିକ ଚାରିପଟେ ରାଜସ୍ବ ବିଭାଗ ପକ୍ଷରୁ ବେରିକେଟ ନିର୍ମାଣ କରି ବୋର୍ଡ ଲଗାଇବାକୁ ୨୦୧୨ମସିହାରେ ତତ୍କାଳୀନ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହି ନିର୍ଦେଶନାମା ପରେ ସରକାରୀ ଟଙ୍କାରେ ବୋର୍ଡ ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତମାନ ସୁ୍ଧା କୌଣସି ସରକାରୀ ଜମିରେ ଏହି ବୋର୍ଡ ଲାଗିପାରିନି। ସମସ୍ତ ବୋର୍ଡ ତହସିଲ କାର୍ଯ୍ୟାଳୟରେ ଖତ ଖାଉଛି। ଅନ୍ୟପଟେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ଗ୍ୟାରେଜ ନିର୍ମାଣ କରିଥିଲେ ହେଁ ପ୍ରଶାସନ କାହିଁକି ଏହି ଜବରଦଖଲ ଉଚ୍ଛେଦ କରୁନି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଏହି ସମସ୍ତ ବିଷୟ ପ୍ରତି ଅତି ଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ବି.ଏସ ବଳିରାମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର