କୃଷି ଗ୍ରାମ ସେବକଙ୍କ କଳାବ୍ୟାଜ୍ ପରିଧାନ

ରାୟଗଡା: ଭିଏଲଡବ୍ଲ୍ୟୁ ପଦବି ଉଚ୍ଛେଦ, ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତନ, କ୍ୟାଡର ରୁଲରେ ସଂଶୋଧନ ଦାବିରେ କଳାବ୍ୟାଜ୍ ପରିଧାନ କରିଛନ୍ତି କୃଷି ଗ୍ରାମ ସେବକ। ଜିଲ୍ଲାର ୧୧ଟି ବ୍ଲକରେ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ତୁରନ୍ତ ଦାବି ପୂରଣ ଦିଗରେ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି। ଏଥି ସହିତ ଏ ସଂପର୍କିତ ସ୍ମାରକପତ୍ରକୁ ଗ୍ରାମ ସେବକ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି।
କୃଷି ବିଭାଗରେ ରାଜ୍ୟ ସରକାରଙ୍କ କାଳିଆ ଭଳି ବହୁ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି କୃଷି ଗ୍ରାମ ସେବକ। କିନ୍ତୁ ଦୀର୍ଘ ଦିନ ହେଲା ସଂଘ ଦାବି ପୂରଣ ଦିଗରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର ଦାବିକୁ ଅଗ୍ରାହ୍ୟ କରି ଆସୁଛନ୍ତି। ପ୍ରତିବାଦରେ ଗ୍ରାମ ସେବକ ଅସଂତୋଷ ପ୍ରକାଶ କରିବା ସହିତ ୭ ଦିନ ଭିତରେ ଦାବି ପୂରଣ ଦିଗରେ ସରକାର ଦୃଷ୍ଟି ନ ଦେଲେ ଆସନ୍ତା ୧୨ ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ସଂଘ ସଭାପତି ପ୍ରକାଶ ବେହେରା, ସୌମ୍ୟରଂଜନ ପ୍ରଧାନ, ଯୁଗ୍ମ ସଂପାଦକ ନିରଂଜନ ନାୟକ, ଭୁବନେଶ୍ବର ଗମାଙ୍ଗ, କୋଷାଧ୍ୟକ୍ଷ ଜଗଦୀଶ ପଟ୍ଟନାୟକ, ରାଜଲକ୍ଷ୍ମୀ ରଥ ପ୍ରମୁଖ ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର