ଟାଟା ମ୍ୟାଜିକ୍ ଦୁର୍ଘଟଣା, ୨୫ରୁ ଊର୍ଧ୍ବ ଆହତ

ଗୁଣପୁର:  ବାହୁଡ଼ା ଯାତ୍ରା ଦେଖିବାକୁ ଡମ୍ବସରା ଅଞ୍ଚଳର କିଛି ଲୋକ ଗୁଣପୁର ଆସି ଟାଟାମ୍ୟାଜିକ୍ ଗାଡିରେ ଫେରୁଥିବା ବେଳେ ରାସ୍ତାରେ ଗାଡ଼ି ଦୁର୍ଘଟଣା ହୋଇଥିଲା। ଫଳରେ ଗାଡ଼ିରେ ବସିଥିବା ୨୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ପଞ୍ଚାୟତ ଅଫିସର ଜେ. ଲାଲାଜି ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନସରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ।
ସୂଚନା ଅନୁସାରେ, ଗୁଣପୁର ବ୍ଲକ ଡମ୍ବସରା ଅଞ୍ଚଳର ୨୫ରୁ ଉର୍ଦ୍ଧ ଲୋକ ଯାତ୍ରା ଦେଖିବାକୁ ଟାଟାମ୍ୟାଜିକ୍ ଗାଡ଼ିରେ ଗୁଣପୁର ଆସିଥିଲେ। ଯାତ୍ରା ଦେଖିବା ପରେ ନିଜ ଗାଁ ଡମ୍ବସରା ଫେରୁଥିଲେ। ତେବେ ରାତ୍ର ପ୍ରାୟ ୧୦ଟା ବେଳେ ସାନ ନଦୀ ପୋଲ ପାର ହୋଇ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା। ଫଳରେ ଗାଡିରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ସେବତି ଶବର, ଲକ୍ଷ୍ମୀ ଶବର, ଚଞ୍ଚଳା ଶବର, ବୁଡ଼ି ଶବର, ଭାଗ୍ୟବତି ଶବରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ମେଡିକାଲ ସୁପରଟେଣ୍ଡେଣ୍ଟ ଡାକ୍ତର ରମେଶ ଚନ୍ଦ୍ର ସାହୁ ସମସ୍ତ ଆହତଙ୍କୁ ଚିକିତ୍ସା ଜାରି ରଖିଛନ୍ତି। ଆଜି ଦିନ ତମାମ ବିଭିନ୍ନ ସ୍ଥାନରେ ଛୋଟବଡ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ବିଗିଡି ଯାଇଥିବା ବେଳେ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା।

ସମ୍ବନ୍ଧିତ ଖବର