ଓଡ଼ିଶା ବଜାରରେ ରାଜୁତି କରୁଛି ପଡିଶା ଚାଉଳ

କୋରାପୁଟ: ଶାଗ ମାଛ ଦରରେ ଓଡ଼ିଶାରୁ ଧାନ କିଣି ନେଉଛି ପଡିଶା ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ। ପ୍ରକ୍ରିୟ‌ାକରଣ କରି ସେହି ଧାନକୁ ଚାଉଳ କରି ମେଡ୍‌ ଇନ୍‌ ‘ଅମୁକ’ ‘ସମୁକ’ ନାଁରେ ବିକୁଛି ପଡିଶା। ଖାଲିଯେ ବିକୁଛି ତାହା ନୁହେଁ ନାଲି ନେଳି ପ୍ୟାକେଟ ସାଙ୍ଗକୁ ଚକାଚକ୍‌ ବ୍ରାଣ୍ଡ କରି ତିନିଗୁଣା ଦରରେ ବଜାରରେ ରାଜୁତି କରୁଛି। କୋରାପୁଟର ଚାଷୀ ପରିଶ୍ରମ କରି ସୁନା ଫଳେଇଲେ କ’ଣ ହେବ ଏହାର ଲାଭ ଖାଉଛି ପଡିଶାର ଲାଭଖୋର ବ୍ୟବସାୟୀ। ଓଡ଼ିଶା କୋରାପୁଟ ଜିଲ୍ଲାରେ ରାଜୁତି କରୁଛି ପଡିଶାର ଚାଉଳ। ଗୋଟିଏ କି ଦୁଇଟି ବ୍ରାଣ୍ଡ ନୁହେଁ ୨୫ରୁ ଅଧିକ ବ୍ରାଣ୍ଡର ଚାଉଳ କୋରାପୁଟ ଜିଲ୍ଲାରେ ରାଜୁତି କରୁଛି। କୋରାପୁଟିଆ ଚାଉଳ ବଜାରରେ ଏବେ ଶେଷ ନିଶ୍ବାସ ନେଉଥିବାବେଳେ ଚେର ଲମ୍ବାଇ ସାରିଲାଣି ଉଭୟ ଆନ୍ଧ୍ର ଓ ଛତିଶଗଡର ଚାଉଳ। ଧାନର ଏନ୍ତୁଡିଶାଳ ହେଉଛି କୋରାପୁଟ ଜିଲ୍ଲା।

ଏହି ଜିଲ୍ଲାରୁ କାଳେ ପ୍ରଥମେ ଧାନ ଉତ୍ପାଦନ ହୋଇ ସାରା ବିଶ୍ବକୁ ଯାଇଥିଲା। ଏବେ ଜିଲ୍ଲାରେ ୫୦୬ ପ୍ରକ‌ାରରୁ ଅଧିକ ଧାନ ପ୍ରଜାତି ରହିଥିବାବେଳେ ଓଡ଼ିଶାକୁ ଅଧାରୁ ଟିକେ କମ୍‌ ଚାଉଳ ଯୋଗାଉଛି କୋରାପୁଟ ଜିଲ୍ଲା। ସରକାରଙ୍କର ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ଚାଉଳ ଏହି ଜିଲ୍ଲାରୁ ହିଁ ଯାଇଥାଏ। ହେ‌ଲେ କେବଳ ସରକାରଙ୍କ ସହ ଅନୁବନ୍ଧିତ ‌ହୋଇ ୯୮ଟି ମିଲ୍‌ ଦୁଇଟି ଋତୁରେ ଚାଉଳ ସରକାରଙ୍କୁ ଯୋଗାଉଥିବାବେଳେ ବଜାରରକୁ କବ୍‌ଜା କରି ସାରଲାଣି ପଡିଶା। ଜିଲ୍ଲାରେ ପୂର୍ବରୁ କୋରାପୁଟିଆ ବାସନା ଚାଉଳ, କଳା ଜୀରା, ବାସୁମତି ଇତ୍ୟାଦି ପରିଚୟ ରହିଥିଲା। ଏହାକୁ ହ‌ାଇଜାକ୍‌ କରି ସାରିଲେଣି ପଡିଶା। ସରୁ ଚାଉଳ, ବସନା ଚାଉଳ ଓ ବଏଲ୍ଡ ଚାଉଳ କରି ବଜାରରେ ଏକଚାଟିଆ ସାରିଲେଣି। ଏତେ ସବୁ ପରେ ବି ଅଚିନ୍ତା ନିଦରେ ଶୋଇଛି ପ୍ରଶାସନ୍। ଗୋଟିଏ ବ୍ରାଣ୍ଡର ତିନିରୁ ୪ଟି ପ୍ରକାର କରି ବଜାରକୁ ଛାଡୁଥବାବେଳେ ଏହାକୁ ପ୍ରତିଯୋଗିତା କରିବାକୁ କୋରାପୁଟିଆ ମିଲ୍‌ ମାଲିକଙ୍କ ନିକଟରେ ଜୁ ନାହିଁ।

ଜିଲ୍ଲାରେ ଏକାଧିକ ପ୍ରକାର ଚାଉଳ ଉତ୍ପାଦନ ହେଉଥିଲା। କିନ୍ତୁ ସବୁ ଚାଉଳକୁ କୋରାପୁଟ ଜିଲ୍ଲାର ପାରମ୍ପରିକ ପଦ୍ଧତିରେ ତିଆରି ହେଉଥିବାରୁ ଏହାକୁ ଲୋକେ ଗ୍ରହଣ କରୁ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାକୁ ପ୍ରତିଦିନ ସପ୍ତାହରେ ୩ରୁ ୪ଟି ଟ୍ରକ୍‌ ଚାଉଳ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରୁ ଆସୁଛି। ଯେଉଁଠି ଓଡ଼ିଶାର କୋରାପୁଟିଆ ଚାଉଳ ୨୫ କେଜିକୁ ୬୦୦ରୁ ୭୦୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି ସେହି ବଜାରରେ ୨୮୦୦ରୁ ୮୫୦୦ ଟଙ୍କାରେ ବିଭିନ୍ନ ବ୍ରାଣ୍ଡ ନାଁରେ ପଡିଶା ବିକ୍ରି କରୁଛି ଚାଉଳ। କୋରାପୁଟରେ ସବୁ ସୁବିଧା ରହିଥିବାବେଳେ ମିଲରଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏ ପରିସ୍ଥିତି ଦେଖିବାକୁ ମିଳିଛି। ଧୀ‌‌‌ରେ ଧୀ‌ରେ ଏହା କୋରାପୁଟ ବଜାର ସହ ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ବଜାରକୁ କବଜା କରୁଥିବାବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। କୋରାପୁଟ ଜିଲ୍ଲାର କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ବୈପାରିଗୁଡା, କୁନ୍ଦୁରା, ନନ୍ଦପୁର, ପଟାଙ୍ଗୀ, ସିମିଳିଗୁଡା, ବନ୍ଧୁଗାଁ, ନାରା‌ୟଣପଟଣା ଓ ଦଶମନ୍ତପୁର ବ୍ଲକରେ ଚାଷ ହୁଏ ବାସନା ଧାନ ଓ ବାସୁମତି। ହେଲେ ଏହାକୁ ସରକାର କିଣୁ ନ ଥିବାବେଳେ ଏହା ପଡେ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ବେପାରୀଙ୍କ ହାତରେ। ଶାଗମାଛରେ କୁଇଣ୍ଟାଲ ପିଛା ୧୨୦୦ରୁ ୧୫୦୦ ଟଙ୍କା କିଣା ଏହାକୁ ପ୍ରକ୍ରିୟା କରିଥାନ୍ତି।

ତିନିଟି ପ୍ରକାର ଚାଉଳ କରି ୨୫ କେଜିକୁ ୨୮୦୦ ଟଙ୍କାରୁ ଆରମ୍ଭ କରି ୮୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ପଡିଶା। ଏନେଇ ମିଲର ରାମ ପାଣିଗ୍ରାହୀ କହିଛନ୍ତି ଯେ ଜିଲ୍ଲାରେ ଏବେ ଯାଏ ୯୮ ଜଣ ମିଲର ରହିଛନ୍ତି। ଉଭୟ ରବି ଓ ଖରିଫ ଋତୁରେ କେବଳ ସରକାର ପାଇଁ ଧାନ କିଣି ଚାଉଳ କରୁଛୁ। କିଏ କେମିତି ବଜାରକୁ କାଁ ଭାଁ ଚାଉଳ ଦେଉଛି ସିନା ମାର୍କେଟରେ ନାଁ ରହୁନି। ଆନ୍ଧ୍ର ଓ ଛତିଶଗଡର ଚାଉଳ ‌ବ୍ୟବସାୟୀମାନେ କେବଠୁ ଏହି ବଜାରକୁ କବଳିତ କରିସାରିଲେଣି। ଆମକୁ ସରକାର ପ୍ରୋତ୍ସାହନ ଓ ସହଯୋଗ ଦେଲେ ଆମେ ବି ଭଲ ଚାଉଳ ଦେଇ ପାରନ୍ତୁ। କିନ୍ତୁ ଯେଉଁ ସହଯୋଗ ଆମେ ଆଶା କରୁଛୁ ତାହା ମିଳୁ ନ ଥିବାରୁ ଉତ୍ପାଦନ ହୋଇପାରୁନି। ସରକାରଙ୍କୁ ଏକର ପିଛା ଆମେ ୩୦ କୁଇଣ୍ଟାଲ ଚାଉଳ ଦେଉଥିବାବେଳେ ସରୁଧାନ ଓ ବାସନା ଧାନ ଏକର ପିଛା ୧୨ କୁଇଣ୍ଟାଲ ଧାନ ଫଳିବ। ତେଣୁ ଆଗ୍ରହ ‌ଓଡ଼ିଶା ବଜାରରେ ପଡିଶା କବଜା କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର