ଏମ୍ସିଏଲ୍ର କୋଇଲା ଉତ୍ପାଦନ ହ୍ରାସ ପ୍ରସଙ୍ଗ: ଚୁକ୍ତି ଅନୁଯାୟୀ ନାଲ୍କୋକୁ ଯୋଗାଣ ହେଉଛି: ସିଏମ୍ଡି
ଥଇଥାନ ନୀତି ପରିବର୍ତ୍ତନ ପାଇଁ ସରକାରଙ୍କୁ ଚିଠି ଲେଖିଲା ଏମ୍ସିଏଲ୍
ସମ୍ବଲପୁର: ବର୍ଷା ଓ ଜମି ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ତାଲଚେରରେ କୋଇଲା ଉତ୍ପାଦନ ହ୍ରାସ ପାଇଛି। ଏଥର ତାଲଚେର ଖଣି ଅଂଚଳରେ କୋଇଲା ଉତ୍ପାଦନ -୭.୮ ପ୍ରତିଶତ (ବିଯୁକ୍ତ ୭.୮ ପ୍ରତିଶତ) ରହିଛି। ତଥାପି ନାଲ୍କୋକୁ ଚୁକ୍ତି ମୁତାବକ ଶତ ପ୍ରତିଶତ କୋଇଲା ଯୋଗାଣ ହେଉଛି। ତେବେ ଉତ୍ପାଦନ ବଢ଼ିଲେ କୋଇଲା ଯୋଗାଣ ଆହୁରି ବେଶି ହେବ ବୋଲି ମହାନଦୀ କୋଇଲା କଂପାନି(ଏମ୍ସିଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମଡିି) ଅନୀଲ କୁମାର ଝା ସୂଚନା ଦେଇଛନ୍ତିି। ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିରେ ପରିବର୍ତନର ଆବଶ୍ୟକତା ରହିଛି। ଏହି ନୀତି ପରିବର୍ତନ କରିବାକୁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଝା ସୋମବାର ସାମ୍ବାଦିକମାନଙ୍କୁ ସୂଚନା ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଏମ୍ସିଏଲ୍ର ମୁଖ୍ୟାଳୟ ଜାଗୃତି ବିହାରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସିଏମ୍ଡି ଶ୍ରୀ ଝା କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ କୋଲ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ୬୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। ଏଥିରୁ ଏମ୍ସିଏଲ୍କୁ ୧୫୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରୁ ଏମ୍ସିଏଲ୍ର ତାଳଚେର ଏରିଆର ଖଣିରୁ ୯୦ ଓ ଇବ୍ ଏରିଆର ଖଣି ସମୂହରୁ ୬୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରାଯିବ ବୋଲି ସିଏମଡିି ଶ୍ରୀ ଝା ସୂଚନା ଦେଇଛନ୍ତିି। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ତାଳଚେର ଏରିଆରେ କୋଇଲା ଉତ୍ପାଦନ ଧିମେଇ ଯାଇଛି।
ବ୍ୟାପକ ବର୍ଷା ଓ ଖଣି ଅଞ୍ଚଳରେ ଜମି କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବାରୁ ଏହି ସ୍ଥିତି ସୃଷ୍ଟି ହୋଇଥିଲା। ଇବ୍ ଏରିଆରେ ସ୍ୱାଭାବିକ ଭାବେ ଉତ୍ପାଦନ ଜାରି ରହିଛି। ବର୍ଷର ଦ୍ୱିତୀୟାର୍ଦ୍ଧରେ ଉଭୟ ତାଳଚେର ଓ ଇବ୍ ଏରିଆରେ କୋଇଲା ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଯିିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାଳଚେର ଅଞ୍ଚଳରେ ଜମି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରହିଛି। ଏମ୍ସିଏଲ୍ ଜମିହରାମାନଙ୍କ ପାଇଁ ଥିବା ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନା ନୀତି(ଆର ଏଣ୍ଡ ଆର୍ ପଲିସି) ୨୦୦୬ ଏବଂ ଏଲ୍ଏଆରଆର ଆକ୍ଟ-୨୦୧୫ ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛି। କ୍ଷତିପୂରଣ ବାବଦକୁ ଜମି ଏକର ପ୍ରତି ୨୦ରୁ ୨୨ ଲକ୍ଷ ଟଙ୍କା ଦିଆଯାଉଛି। ଜମିହରା ପରିବାରର ୧୮ ବର୍ଷରୁ ଅଧିକ ହୋଇଥିବା ସଦସ୍ୟମାନଙ୍କୁ ଚାକିରି ବି ଦିଆଯାଉଛି।
ଓଡ଼ିଶାରେ କେବଳ ଏମସିଏଲ ଉଦ୍ବାସ୍ତୁମାନଙ୍କୁ ଏଭଳି ନିଯୁକ୍ତି ସୁଯୋଗ ଦେଉଛି। ଏସବୁ ସତ୍ତ୍ୱେ ଜମି ଅଧିଗ୍ରହଣ ବେଳେ ସମସ୍ୟା ଉପୁଜୁଛି। ଲୋକେ ଟଙ୍କା ନେବା ପରେ ଜମି ଛାଡ଼ୁ ନାହାନ୍ତି। ତେବେ ଏମସିଏଲ ଗତ ୧୯ ତାରିଖଠାରୁ ଲୋକଙ୍କ ଆପତ୍ତି ଅଭିଯୋଗର ପ୍ରତିକାର ସକାଶେ ବିଭିନ୍ନ ଖଣି ଅଞ୍ଚଳରେ ସମାଧାନ କେନ୍ଦ୍ର ଖୋଲିଛି। ସେମାନଙ୍କୁ ଆଉ ଏମ୍ସିଏଲ୍ ମୁଖ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ନିଜ ଜାଗାରେ ଥିବା ସମାଧାନ କେନ୍ଦ୍ରରେ ସେମାନେ ନିଜ ପକ୍ଷ ରଖିବେ। ନ୍ୟାୟ ସଂଗତ ହୋଇଥିଲେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଭିଯୋଗର ସମାଧାନ କରାଯିବ। ଏପରିକି କୌଣସି ପକ୍ଷ ଚାହିଁଲେ ଚାକରି ବଦଳରେ ସେମାନଙ୍କୁ ଏକ ସଙ୍ଗରେ ୧୬ ଲକ୍ଷ ଟଙ୍କା ଓ ସଂପୃକ୍ତ ପ୍ରାର୍ଥୀଙ୍କ ଅବସର ବୟସ ପର୍ଯ୍ୟନ୍ତ ମାସିକ ୧୨ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।
କେତେକ ସ୍ଥଳେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଲୋକେ ମଧ୍ୟ ଜମି ଛାଡ଼ୁନଥିବାରୁ ଅଯଥା ବାଧା ଉପୁଜୁଥିବା ସୂଚନା ମିଳିଛି। ଏମସିଏଲ ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ହୋଇଥିବାରୁ ସରକାରଙ୍କ ନୀତି ନିୟମକୁ ପାଳନ କରିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ଅଧିଗୃହୀତ ଗାଁର ଲୋକଙ୍କ ପାଇଁ ସେହି ପାଖରେ ଘରୋଇ ଜମି କ୍ରୟ କରି ଏମ୍ସିଏଲ ଥଇଥାନ କଲୋନି ନିର୍ମାଣ ପାଇଁ ପ୍ରସ୍ତୁତ ଅଛି ବୋଲି ମଧ୍ୟ ସିଏମଡି ଶ୍ରୀ ଝା ପ୍ରକାଶ କରିିଥିଲେ। ଏମ୍ସିଏଲ୍ର ଆୟ ଦ୍ୱାରା ବିଭିନ୍ନ ଟିକସ ଓ କର ଆକାରରେ ରାଜକୋଷ ସମୃଦ୍ଧଶାଳୀ ହୋଇଛି। ବାର୍ଷିକ ୨୪ ହଜାର କୋଟି ଟଙ୍କାର କାରବାର କରୁଥିବା ଏମ୍ସିଏଲର ସମୃଦ୍ଧି ପାଇଁ ସବୁ ପକ୍ଷଙ୍କ ସହଯୋଗ ଆବଶ୍ୟକ। ବିଭିନ୍ନ ସ୍ଥାନରେ ଉଦ୍ବାସ୍ତୁଙ୍କ ସ୍ୱୟସଂପୂୂର୍ଣ୍ଣ କଲୋନି ନିର୍ମାଣରେ କଂପାନିର ଦୂରଦୃଷ୍ଟି ସଂପନ୍ନ ଭୂମିକା ରହିଛି। ଏହି ସମୟରେ ଏମ୍ସିଏଲର ଜନସଂପର୍କ ଅଧିକାରୀ ଡିକେନ୍ ମେହେରା ମଧ୍ୟ ଉପସ୍ଥିତ ଥିଲେ।