ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ:ବହୁ ବିଜେପି, କଂଗ୍ରେସ ନେତା ଗିରଫ

ସମ୍ବଲପୁର: ବ୍ୟାପକ ପ୍ରସ୍ତୁତି ଓ ଆଗୁଆ ଗିରଫଦାରି ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବାରୁ ବିଜେପି ‌ଯୁବମୋର୍ଚ୍ଚାକୁ ରୋକି ପାରି ନାହିଁ ସମ୍ବଲପୁର ପୁଲିସ୍‌। ନେଲସନ ମଣ୍ଡେଲା ଛକରେ ମହାନଦୀ ସେତୁ ଉଦ୍‌ଘାଟନ ସାରି ଭିଏସଏସ୍‌ ଷ୍ଟାଡିଅମକୁ ଆସିଲାବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ ବିଜେପି କର୍ମୀ। ଆଗରେ ଥିବା ପୁଲିସ୍‌ ପାଇଲଟିଂ ଗାଡ଼ି ସମେତ ଦୁଇ ତିନିଟି ଗାଡ଼ି ଅତିକ୍ରମ କରି ସାରିବା ପରେ ଭିଭିଆଇପି ଗାଡ଼ି ଗୁଡ଼ିକ ଆସିବା ମାତ୍ରେ ସେମାନେ ଲୁଚାଇ ରଖିଥିବା କଳାପତାକା ପ୍ରଦର୍ଶନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଗୋ’ ବ୍ୟାକ୍‌ ଆଦି ସ୍ଳୋଗାନ ଦେଇଥିଲେ। କାର୍‌କେଡ୍‌ ସଂପୂର୍ଣ୍ଣ ଅତିକ୍ରମ କରି ସାରିବା ପରେ ପୁଲିସ୍‌ ଗାଡ଼ି ପହଞ୍ଚି ସେମାନଙ୍କୁ ଗିରଫ କରି ନେଇଥିଲା।
ବିଜେପି ଓ କଂଗ୍ରେସ୍‌ର ଛାମୁଆ ନେତାମାନଙ୍କୁ ପୁଲିସ ଆଗୁଆ ଗିରଫ କରି ସାରିଥିବାବେଳେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ୩ଟି ଗ୍ରୁପ୍‌ରେ ବିଭକ୍ତ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରଥମ ଗ୍ରୁପ୍‌ ବାଲିବନ୍ଧାଠାରେ କଳା ପତାକା ଧରି ପ୍ରସ୍ତୁତ ଥିବାବେଳେ ମୁଖ୍ୟମନ୍ତ୍ରୀ ପହଞ୍ଚିବାର ୧୦ ମିନିଟ୍‌ ପୂର୍ବରୁ ପୁଲିସ୍‌ ସେମାନଙ୍କୁ ଗିରଫ କରି ନେଇଥିଲା। ଦ୍ବିତୀୟ ଗ୍ରୁପ୍‌ରେ ରାକେଶ ରୋସନ ରାଉତ, ପ୍ରଭୁଦତ୍ତ ପଣ୍ଡା, ଅମିତ ପଢ଼ିଆରୀ, ଅଭିଷେକ ମିଶ୍ର, ଶିବ ଟଣ୍ଡନ, ହରେକୃଷ୍ଣ ଓରାମ, ସୋମ କୁମାର, କାଳିଆ ପ୍ରଧାନଙ୍କ ସମେତ କିଛି ଯୁବକର୍ମୀ ଜେଲ ଛକ ଓ ଜେଲ ଗେଟ୍‌ ମଧ୍ୟବର୍ତ୍ତୀ ରାସ୍ତା କଡ଼ରେ ପ୍ରସ୍ତୁତ ହୋଇ ରହିଥିଲେ। ଏହାପରେ ଷ୍ଟାଡିଅମ୍‌ରେ ଥିବା ତୃତୀୟ ଗ୍ରୁପ୍‌ ଆଉ କୌଣସି ବିରୋଧ ପ୍ରଦର୍ଶନ କରି ନଥିବା ଜଣା ପଡ଼ିଛି। ବାଲିବନ୍ଧାଠାରେ ପ୍ରଦର୍ଶନ କରିଥିବା କର୍ମୀମାନେ ହେଲେ ରାହୁଲ ମୋଦକ, ରିକି ବେହେରା, ବିଜୟ ଅଗ୍ରୱାଲ, ବିଶ୍ବଜିତ ବାଗ, ବିକାଶ ଭୋଇ, ଅବିନାଶ ତିୱାରି ପ୍ରମୁଖ।
ଶୁକ୍ରବାର ଭୋରରୁ ପୁଲିସ୍‌ ପ୍ରମୁଖ ବିଜେପି ଓ କଂଗ୍ରେସ୍‌ ନେତାଙ୍କ ଘରେ ଚଢ଼ଉ କରି ଆଗୁଆ ଗିରଫ କରିଥିଲା। ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, ଗିରୀଶ ପଟେଲ, ରିକନ୍ ପଟ୍ଟନାୟକ, ସମୀର ବାବୁ, ଫଣୀଭୂଷଣ ମିଶ୍ର, କଂଗ୍ରେସ୍‌ ନେତା ଆସଫ ଅଲୀ ଖାନ, ଜୟରାମ ବନିଆଁ ପ୍ରମୁଖଙ୍କୁ ‌ଭୋରରୁ ସେମାନଙ୍କ ଘରୁ ଥାନାକୁ ଅାଣି ଅଟକ ରଖା ଯାଇଥିଲା। ସେହିପରି ବିଜେପିର କଚେରି ଛକସ୍ଥିତ କାର୍ଯ୍ୟାଳୟ ଓ ଗୋବିନ୍ଦତୋଲାରୁ ମହିଳା ନେତ୍ରୀ ସବିତା ନନ୍ଦ, ଅନ୍ନପୂର୍ଣ୍ଣା ବାରିକ, ଭବାନୀ ଧୂସରଙ୍କ ସମେତ ବହୁ ନେତ୍ରୀ ଓ କର୍ମକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା।
କଂଗ୍ରେସ୍‌ ନେତାମାନେ ଏକ ଶାନ୍ତିପୂର୍ଣ୍ଣ ‌ଶୋଭାଯାତ୍ରାରେ ବାହାରିବା ପାଇଁ ବସ୍‌ଷ୍ଟାଣ୍ଡସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ହେଲେ ସେମାନଙ୍କୁ ଅଫିସ ବାହାରୁ ପୁଲିସ୍‌ ଗିରଫ କରିଥିଲା। ନିରଂଜନ ତ୍ରିପାଠୀ, ବିଜୟ ଭୂୟାଁ, ସୁତପା ମିତ୍ର, ଲାଲମୋହନ ସାଠିଆ, ରେଣୁ କରିମ, ସଲ୍‌ମା ୱାସିମ, ଦୀନବନ୍ଧୁ ପରିଡ଼ା, ଆଦିତ୍ୟ ନାଥ, ନିୟତି ସେନ, ସରୋଜକାନ୍ତ ମିଶ୍ର, ମହମ୍ମଦ ଅଜଗର, ମହମ୍ମଦ ଜୁବେର, ଶ୍ରୀକାନ୍ତ ତ୍ରିପାଠୀ, ଆକବର ଚୌଧୁରୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର