ଅସଜଡ଼ା ଜଳ ନିଷ୍କାସନ ବ୍ୟବସ୍ଥା

ସହରରେ କୃତ୍ରିମ ବନ୍ୟାକୁ ନିମନ୍ତ୍ରଣ

ସମ୍ବଲପୁର: ସମ୍ବଲପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଗଳି ରାସ୍ତାର ଛୋଟିଆ ନାଳିଠୁ ଆରମ୍ଭ କରି ମହାନଦୀକୁ ସହର ସାରାର ନର୍ଦ୍ଦମା ପାଣି ନିଷ୍କାସିତ କରୁଥିବା ମୁଖ୍ୟ ନାଳା ଯାଏ ସବୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ନାଳ କେଉଁଠି ଜବରଦଖଲ ହୋଇଛି ତ କେଉଁଠି ଅଳିଆ ଆବର୍ଜନାରେ ପୋତି ହୋଇ ରହିଛି। କେଉଁଠି ପୁଣି ନାଳି ଏତେ ଛୋଟ ଯେ ସାମାନ୍ୟ ବର୍ଷାରେ ପାଣି ଘରକୁ ପଶୁଛି ବା ରାସ୍ତା ଉପରକୁ ଆସୁଛି। ମୁଖ୍ୟ ରାସ୍ତା ଗୁଡ଼ିକ କଡ଼ରେ ବଡ଼ବଡ଼ ନାଲା ଥିଲେ ବି ତାକୁ ଜବରଦଖଲ କରାଯାଇ ତା’ ଉପରେ ବେଆଇନ୍‌ ନିର୍ମାଣ କରାଯାଇଛି।

ତେଣୁ ଭିତରେ ନାଳ କେଉଁ ଅବସ୍ଥାରେ ଅଛି ତାହା ଜାଣିବା କଷ୍ଟକର। ସେହିପରି ସହର ସାରାର ନାଳ ମିଶୁଥିବା ଦୁଇ ମୁଖ୍ୟ ନାଳା ଧୋବିଯୋର ଓ ଟାଙ୍ଗନା ନାଲାର ଅବସ୍ଥା ବି ଭଲ ନାହିଁ। କିଛି କିଛି ସ୍ଥାନରେ ଏଗୁଡ଼ିକର ପୁନରୁଦ୍ଧାର କରାଯାଇ କଂକ୍ରିଟ୍‌କରଣ କରାଯାଇଛି। ହେଲେ ଅଧିକାଂଶ ଏବେ ବି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ନାଲା ଦ୍ୱୟ ମଧ୍ୟ ବହୁ ସ୍ଥାନରେ ଜବରଦଖଲ ହୋଇଛି। ସ୍ଥାନେ ସ୍ଥାନେ ଆବର୍ଜନାରେ ପୋତି ହୋଇଥିଲାବେଳେ କେଉଁଠାରେ ଦଳରେ ଭରି ହୋଇ ରହିଛି। ଗତ ୨୧ ତାରିଖ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଅଧା ସହର ପାଣିରେ ଭରିଥିଲା। ମହାନଦୀ ଶୁଖିଲା ଥାଇ ବି ବର୍ଷା ଛାଡ଼ିବାର ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜଳ ନିଷ୍କାସିତ ହୋଇପାରି ନଥିଲା। କେବଳ ସେଦିନର ବର୍ଷା ନୁହେଁ, କମ୍‌ ସମୟର ବର୍ଷାରେ ବି ସହରର ବିଭିନ୍ନ ଅଞ୍ଚଳରେ ପାଣି ଭରି ଯାଇଛି।
ଅନ୍ୟ ଉପକୂଳିଆ ସହର ଗୁଡ଼ିକ ତୁଳନାରେ ଯଥେଷ୍ଟ ଉଚ୍ଚ ସ୍ଥାନରେ ଥିଲେ ବି ସମ୍ବଲପୁର ସହରର ଜଳ ନିଷ୍କାସନ ଢାଞ୍ଚା ସୁବ୍ୟବସ୍ଥିତ ନୁହେଁ। ସହର ଭିତର ଦେଇ ଦୁଇଟି ଟି ନାଳ ଧୋବିଯୋର ଓ ଟାଙ୍ଗନା ନାଲା ଯାଇ ମହାନଦୀରେ ମିଶିଛି। ତେଣୁ ସହରର ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ତିଆରି ନାଳ ଗୁଡ଼ିକ ବିଭିନ୍ନ ସ୍ଥାନରେ ଏହି ନାଲା ଦ୍ୱୟରେ ପଡ଼ିଛି। ଏହା ଫଳରେ ସହରର ଭିତରୁ ସୁରୁଖୁରୁରେ ବର୍ଷା ଜଳ ନିଷ୍କାସିତ ହେବା କଥା। କିନ୍ତୁ ସହର ଭିତରେ ରାସ୍ତା କଡ଼ରେ ଥିବା ନାଳ ଗୁଡ଼ିକ ଜାମ ଓ ଜବରଦଖଲରେ ଥିବାରୁ ପାଣି ଠିକ୍‌ରେ ନିଷ୍କାସିତ ହୋଇପାରୁ ନାହିଁ। ବ୍ୟସ୍ତତମ ଲକ୍ଷ୍ମୀ ଟକିଜ୍‌ ଛକ ଓ ଭିଏସ୍‌ଏସ୍‌ ମାର୍ଗରେ ଉଭୟ ପାର୍ଶ୍ୱରେ ଗଭୀର ଓ ବଡ଼ ଆକାରର ନାଳ ରହିଛି। ତଥାପି ଘଣ୍ଟାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ଯାଉଛି। ଫାର୍ମ ରୋଡ୍‌ ଓ ବୁଢ଼ାରଜା ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ସମାନ। ତେଣୁ ଏସବୁ ଅଞ୍ଚଳରେ ନୂଆ କରି ନାଳ ନିର୍ମାଣ ବା ଜବରଦଖଲ ହଟାଇବାର ଆବଶ୍ୟକତା ରହିଛି। ସେହିପରି ଗଳି, କନ୍ଦି ଓ ଛୋଟ ରାସ୍ତା ଗୁଡ଼ିକରେ କେଉଁଠି ନାଳି ନାହିଁ ତ କେଉଁଠି ମନ ଇଚ୍ଛା ତିଆରି ହୋଇଛି। ଫଳରେ ଉକ୍ତ ନାଳି ଗୁଡ଼ିକରେ ନର୍ଦ୍ଦମା ଜଳ କୌଣସି ପ୍ରକାରେ ଯାଉଥିଲେ ବି ବର୍ଷା ହେଲେ ରାସ୍ତା ଉପରେ ହିଁ ପାଣିର ସ୍ରୋତ ବୋହୁଛି। ଧୋବିଯୋର ନାଲାର କିଛି ଅଂଶ ପୁନରୁଦ୍ଧାର କରାଯାଇ କଂକ୍ରିଟ୍‌ କରାଯାଇଛି। କିନ୍ତୁ ଗୋଲବଜାର ନିକଟରେ ଏହି ନାଳ ପୋତି ହୋଇ ରହିଛି। ଆବର୍ଜନାରେ ଭରି ଯାଇଛି।
ଢାଞ୍ଚାଗତ ପରିବର୍ତ୍ତନ ସହ ବର୍ଷା ଋତୁ ଆସିବା ପୂର୍ବରୁ ଜଳ ନିଷ୍କାସନର ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ ଜରୁରୀ ଯାହା କେବେ ଠିକ୍‌ଭାବେ କରାଯାଉ ନାହିଁ। ବର୍ଷା ଆସିବା ପୂର୍ବରୁ ସହରର ପ୍ରତ୍ୟେକ ନାଳ ସଫା କରିବା ମହାନଗର ନିଗମର କର୍ତ୍ତବ୍ୟ। ଏହା କରା ଯାଉଥିଲେ ବି ଠିକ୍‌ରେ ହେଉ ନଥିବା ଅଭିଯୋଗ ହୁଏ। ଠିକ୍‌ରେ ନାଳ ସଫା ନହେବା, ନାଳ ସଫା ହେଲେ ବି ବାହାରିଥିବା କଠିନ ଆବର୍ଜନାକୁ ସେହି ନାଳ ଉପରେ ଜମା କରି ଦେବା ଦେଖିବାକୁ ମିଳୁଛି। ଫଳରେ ବର୍ଷା ହେଲେ ଜମା ହୋଇଥିବା ପୁଣି ଧୋଇ ହୋଇ ନାଳରେ ପଡ଼ିଥାଏ। ଅନେକ ସ୍ଥାନରେ ଲୋକେ ନିର୍ମାଣ ଆଦି ବ୍ୟକ୍ତିଗତ କାମ ପାଇଁ ସର୍ବସାଧାରଣ ନାଳକୁ ବନ୍ଦ କରି ରଖିଥାଆନ୍ତି। ଖରା ଦିନେ ତାହା ଶୁଖିଲା ଥିବାରୁ ସମସ୍ୟା ହୋଇ ନଥାଏ। କିନ୍ତୁ ବର୍ଷା ପୂର୍ବରୁ ତାହା ଖୋଲା ନଗଲେ ପାଣି ନିଷ୍କାସିତ ହୋଇ ନପାରି ଘରେ ଓ ରାସ୍ତାରେ ପଶେ। ତେଣୁ ସମ୍ବଲପୁରକୁ ଏକ ଉନ୍ନତ ଓ ସମୃଦ୍ଧ ସହରଭାବେ ଗଢ଼ିବାକୁ ହେଲେ ଏହାର ରାସ୍ତାଘାଟ ଓ ଜଳ ନିଷ୍କାସନ ସମସ୍ୟାକୁ ଅଗ୍ରାଧିକାରୀ ଭିତ୍ତିରେ ସୁଧାରିବା ଆବଶ୍ୟକ। ଏହାଛଡ଼ା ସହରର ନାଳନର୍ଦ୍ଦମା ସଫା ରଖିବା ପ୍ରଶାସନ ସହ ସହରବାସୀଙ୍କ ବି ମୌଳିକ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଏ।

ସମ୍ବନ୍ଧିତ ଖବର